ମନରେଗା ମହାଦୁର୍ନୀତିରେ ୩ ଦିନ ଧରି ତଦନ୍ତ ପରେ ଫେରିଯାଇଛନ୍ତି କେନ୍ଦ୍ରୀୟ ଟିମ୍‌

ଯାଜପୁର : ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ୍‌ ମନରେଗା ମହାଦୁର୍ନୀତି ନେଇ ୩ ଦିନ ଧରି ତଦନ୍ତ କରିବା ପରେ ଫେରିଯାଇଛନ୍ତି କେନ୍ଦ୍ରୀୟ ଟିମ୍‌ । ତିନି ଦିନ ମଧ୍ୟରେ ୬ ଟି ପଞ୍ଚାୟତରେ ତଦନ୍ତରୁ ପୁଳାପୁଳା ପ୍ରମାଣ ହାସଲ କରିଛନ୍ତି ଦୁଇଜଣିଆ ତଦନ୍ତକାରୀ ଦଳ । ଆଗାମୀଦିନରେ ଏହା ଉପରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି, ତାହା କେବଳ ଦେଖିବାକୁ ବାକି ରହିଲା । ଶୁ୍କ୍ରବାର ଥିଲା ତଦନ୍ତର ତୃତୀୟଦିନ । ଦୁଇ ତଦନ୍ତକାରୀ ଅଧିକାରୀ ଡକ୍ଟର ରମେଶ ବାବୁ ଓ କ୍ରିଷ୍ଣା କୁମାରୀ ଓଳେଇଚନ୍ଦନପୁର ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ତଦନ୍ତ କରିଥିଲେ । ସେଠାରେ ପ୍ରଥମେ ଫାଇଲ୍ ଯାଞ୍ଚ କରିଥିଲେ । ପରେ ପଞ୍ଚାୟତର ଦେବୀଭବନଠାରୁ ଖରସ୍ରୋତା ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ଵ ବନୀକରଣ ଯୋଜନାରେ ବୃକ୍ଷରୋପଣ ପ୍ରକଳ୍ପ, କଲେଜ ଛକ ଠାରୁ ପଞ୍ଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବନୀକରଣ ପ୍ରକଳ୍ପ, ପୂର୍ତ୍ତ ରାସ୍ତାଠାରୁ ଡାକଘର ପର୍ଯ୍ୟନ୍ତ ବନୀକରଣ, କଲରାପାଳ ଖେଳପଡ଼ିଆରେ ମାଟି ପକାଇବା, ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମାଟି ପକାଇବା, ଆରଡି ରାସ୍ତା ଠାରୁ ଛୋଟବେଣୀ ପର୍ଯ୍ୟନ୍ତ ଚାଷୀବନ୍ଧ ନିର୍ମାଣ ଓ କଲଭର୍ଟ ନିର୍ମାଣ, ପିଡବ୍ଲୁଡି ବନ୍ଧଠାରୁ ପ୍ରତାପ ଯେନା ଘର ପର୍ଯ୍ୟନ୍ତ ମାଟିରାସ୍ତା ସମେତ ୧୪ ଟି ପ୍ରକଳ୍ପର ତଦନ୍ତ କରିଥିଲେ । ବନୀକରଣ ଯୋଜନାରେ ଲାଗିଥିବା ବୃକ୍ଷ ନଥିଲା । ମାତ୍ର, ରାସ୍ତା କଡ଼ରେ ଥିବା ଖଜୁରୀ ଓ ସଜନା ଗଛକୁ ବନୀକରଣ କରାଯାଇଥିବା ସରପଞ୍ଚ ସୌଭାଗ୍ୟ କୁମାର ମହାପାତ୍ର ତଦନ୍ତକାରୀଙ୍କୁ କହିଥିଲେ । ସେହିପରି ଚାଷୀବନ୍ଧ ଧୋଇଯାଇଥିବା ସରପଞ୍ଚ ସଫେଇ ଦେଇଥିଲେ । ତଦନ୍ତ ବେଳେ ସରପଞ୍ଚ ଶ୍ରୀ ମହାପାତ୍ରଙ୍କ ସମେତ ପିଇଓ ଅନନ୍ତ ଚରଣ ସେଠୀ ଓ ଜିଆରଏସ ବାଲାଜୀ ସାହୁ ମଧ୍ୟ ଉପସ୍ଥିତ ଥିଲେ ।

ବ୍ୟକ୍ତିଗତ ଜାଗାକୁ ଖେଳପଡ଼ିଆ ଦର୍ଶାଇବା ସହିତ ଅନ୍ୟ ପ୍ରକଳ୍ପଗୁଡିକ ବନ୍ୟାରେ ପ୍ରଭାବିତ ହୋଇଥିବା ଦର୍ଶାଇଥିଲେ । କେନ୍ଦ୍ରୀୟ ଟିମ୍‌କୁ ବ୍ଲକ୍ ପ୍ରଶାସନ, ବିଂଝାରପୁର ପୁଲିସ ବାଟବଣା କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ କ୍ଷେତ୍ର ପରିଦର୍ଶନରେ ସବୁ ଧରାପଡ଼ି ଯାଇଥିଲା । ପଞ୍ଚାୟତର ବିଭିନ୍ନ ସ୍ଥାନରେ ମନରେଗା ଯୋଜନାରେ ହୋଇଥିବା କାମରେ ବ୍ୟାପକ ଦୁର୍ନୀତି ହୋଇଥିବା ତଦନ୍ତକାରୀ ଜାଣିପାରିଥିଲେ । ଅପରାହ୍‌ଣରେ ତଦନ୍ତକାରୀ ଟିମ୍‌ ଯାଜପୁର ଫେରିଯାଇ ଥିଲେ । ଆଜି ତଦନ୍ତ ବେଳେ ବିଜେପି ନେତ୍ରୀ ବବିତା ମଲିକ, ନିରଂଜନ ବେଉରିଆ, ସୀମାନ୍ତ କୁମାର ପାତ୍ର ଉପସ୍ଥିତ ଥିଲେ । ଗତ ଦୁଇ ଦିନରେ ବାଙ୍ଗରା, ଫତେପୁର, ଜରୀ, ସିଂହପୁର ଓ ଆଉଁରୀ ପଞ୍ଚାୟତରେ ତଦନ୍ତ କରାଯାଇଛି । କୌଣସି ପଞ୍ଚାୟତର କାମକୁ ନେଇ ଅନୁସନ୍ଧାନକାରୀ ଦଳ ସନ୍ତୋଷ ପ୍ରକାଶ କରିନାହାନ୍ତି । ସବୁ ପଞ୍ଚାୟତରେ ପୁଳାପୁଳା ଦୁର୍ନୀତିର ପ୍ରମାଣ ପଦାକୁ ଆସିଛି । ମନରେଗା କାମର ତଥ୍ୟ ୱେବସାଇଟ୍‌ରେ ଉପଲବ୍ଧ ହେଉଥିବାରୁ ଅସାଧୁମେଣ୍ଟ ଯେତେ ବାଟ ଓଗାଳିଲେ ବି ତାହା ଫୁଟି ବାହାରୁଛି । ବିଂଝାରପୁର ବ୍ଲକ୍‌ସାରା ଏହି ଦୁର୍ନୀତି ହୋଇଥିବାର ଏକପ୍ରକାର ସ୍ପଷ୍ଟ ହୋଇଯାଇଛି । ତଦନ୍ତ ରିପୋର୍ଟ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ବିଭାଗକୁ ପ୍ରଦାନ ପରେ କିଭଳି କାର୍ଯ୍ୟାନୁଷ୍ଠାନ ହେଉଛି, ତାହା ଉପରେ ଏବେ ସମସ୍ତଙ୍କ ନଜର ।

Leave a Reply

Your email address will not be published. Required fields are marked *