ଆଠଗଡ : ଗୁଜୁରାଟ ଝୁଲାପୋଲ ଅଘଟଣ ପରେ ଚେତିଲା ପ୍ରଶାସନ । ଆଜିଠୁ ଅନିର୍ଦ୍ଧିଷ୍ଟ କାଳ ଯାଏ ଧବଳେଶ୍ବର ଝୁଲା ପୋଲକୁ ବନ୍ଦ କରାଯାଇଛି । ଭିଡ଼ ଜନିତ ଦୁର୍ଘଟଣା ରୋକିବା ଲାଗି ପୀଠରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି । ଗ୍ରାମ୍ୟ ଉନ୍ନୟନ ବିଭାଗର ପରାମର୍ଶ କ୍ରମେ ଝୁଲାପୋଲକୁ ଆଜିଠୁ ଅନିର୍ଦ୍ଧିଷ୍ଟ କାଳ ଯାଏ ବନ୍ଦ ଲାଗି ନିଷ୍ପତ୍ତି ହୋଇଥିବା ଆଠଗଡ଼ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ବାଇଁ ସୂଚନା ଦେଇଛନ୍ତି ।
ଧବଳେଶ୍ବର ଝୁଲାପୋଲର ସ୍ଥିତି ଭଲ ନଥିବା ବେଳେ କିଛି ଅଂଶର ସ୍ଥିତି ଭଲ ନାହିଁ । ସେହିପରି ପୋଲର ଅନେକ ସ୍ଥାନରେ କଳଙ୍କି ଲାଗିଥିବା ମଧ୍ୟ ଯାଞ୍ଚ ପାଇଁ ଆସିଥିବା ଟିମ୍ ଚିହ୍ନଟ କରିଛି । ଆଗକୁ କାର୍ତ୍ତିକ ମାସ ଆସୁଥିବାରୁ ଭକ୍ତଙ୍କ ଭିଡ ଆଶଙ୍କା କରାଯାଇ ପ୍ରଶାସନ ପକ୍ଷରୁ ପୀଠରେ ୧୪୪ ଧାରା ଲାଗୁ କରାଯାଇଛି ।
ଗୁଜରାଟ ଝୁଲାପୋଲ ଦୁର୍ଘଟଣାକୁ ଦୃଷ୍ଟିରେ ରଖି ଏଭଳି କଠୋର ନିଷ୍ପତ୍ତି ନିଆଯାଇଛି । ତେବେ ପଞ୍ଚକ ପୂର୍ବରୁ ଝୁଲାପୋଲର ମରାମତି ଶେଷ ହୋଇଯାଇଥିଲେ ଶ୍ରଦ୍ଧାଳୁମାନଙ୍କୁ ପୀଠକୁ ଅନୁମତି ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
