ବ୍ରାଉନ୍‌ସୁଗାର୍‌ ବ୍ୟବସାୟର ପେଣ୍ଠସ୍ଥଳୀ ପାଲଟିଛି ଖୋର୍ଦ୍ଧା ସହର, ବେପାରରେ ମାତୁଛନ୍ତି କମ୍ ବୟସର ମହିଳା

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲାର ସଦର ମହକୁମା ଖୋର୍ଦ୍ଧା ସହର ପାଲଟିଛି ବ୍ରାଉନ୍‌ସୁଗାର୍‌ ବ୍ୟବସାୟର ପେଣ୍ଠସ୍ଥଳୀ । ୩-୪ ବର୍ଷ ମଧ୍ୟରେ ଏହି କାରବାର ସହରର ଗଳିକନ୍ଦିକୁ ବ୍ୟାପି ଗଲାଣି । ଏହି ଡ୍ରଗ୍ସ ଜାଲରେ ପଡ଼ୁଥିବା ଯୁବଗୋଷ୍ଠୀଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ି ଚାଲିଥିବା ବେଳେ କାରବାରର କୌଶଳରେ ମଧ୍ୟ ପରିବର୍ତ୍ତନ ହୋଇଚାଲିଛି । ଟଙ୍କାର ଲୋଭ ଦେଖାଇ ଯୁବଗୋଷ୍ଠୀଙ୍କୁ ନିଶା ବେପାରରେ ନିୟୋଜିତ କରାଯାଉଛି । ବିଡ଼ମ୍ବନାର ବିଷୟ, ଟଙ୍କା ଲୋଭରେ କମ୍ ବୟସର ମହିଳାମାନେ ମଧ୍ୟ ଏହି ରାସ୍ତାକୁ ଆପଣେଇବାରେ ଲାଗିଛନ୍ତି ।

ଦେଢ଼ମାସରେ ଖୋର୍ଦ୍ଧା ସହରରୁ ଅବକାରୀ ବିଭାଗ, ପୁଲିସ ଏବଂ ଏସ୍‌ଟିଏଫ୍‌ର ଚଢ଼ଉରେ ୧୩୧୧.୨୮ ଗ୍ରାମ୍‌ର ବ୍ରାଉନ୍‌ସୁଗାର୍‌ ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ପାଖାପାଖି ୧ କୋଟି ୩୨ ଲକ୍ଷ ଟଙ୍କା ହେବ । ଏହି ମାମଲାରେ ୧୨ ଜଣଙ୍କୁ ଗିରଫ କରାଯାଇଛି । ଜଣେ କିମ୍ବା ଦୁଇଜଣଙ୍କୁ ଛାଡ଼ିଦେଲେ ଗିରଫ ହୋଇଥିବା ପ୍ରାୟ ସମସ୍ତ ବ୍ୟକ୍ତି ଖୋର୍ଦ୍ଧା ସହରର ନିର୍ଦ୍ଦିଷ୍ଟ ଅଞ୍ଚଳର । ଟାଉନ୍‌ ଥାନା ଅଧୀନସ୍ଥ ବରୁଣେଇ, ଗୁରୁଜଙ୍ଗ, ସ୍ବପ୍ନେଶ୍ବର ସାହି, ଫରେଷ୍ଟ କଲୋନୀ, ସଦର ଥାନା ଅଧୀନସ୍ଥ ଦଧିମାଛଗାଡ଼ିଆ ଅଞ୍ଚଳରୁ ଏହି ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି । କେବଳ ଏତିକି ନୁହେଁ, ଗିରଫ ହୋଇଥିବା ଅଭିଯୁକ୍ତଙ୍କ ବୟସ ୧୭ ବର୍ଷରୁ ୫୦ ବର୍ଷ ମଧ୍ୟରେ ଥିବା ବେଳେ ସେମାନଙ୍କ ମଧ୍ୟରେ ତିନିଜଣ ମହିଳା ମଧ୍ୟ ଅଛନ୍ତି । ଗିରଫ ହୋଇଥିବା ମହିଳାଙ୍କ ମଧ୍ୟରୁ ଦୁଇଜଣଙ୍କ ବୟସ ୧୭ ରୁ ୨୨ ବର୍ଷ ମଧ୍ୟରେ । ଖୋର୍ଦ୍ଧାକୁ ପଶ୍ଚିମବଙ୍ଗର ଦିଘା, ବାଲେଶ୍ବର ଏବଂ ଜଳେଶ୍ବର ଅଞ୍ଚଳରୁ ବ୍ରାଉନ୍‌ସୁଗାର୍‌ ଚାଲାଣ ହେଉଥିବା ଜାଣିବାକୁ ପାଇଛି ପୁଲିସ, ଏସ୍‌ଟିଏଫ୍ ଓ ଅବକାରୀ ବିଭାଗ । ତେବେ ଖୋର୍ଦ୍ଧା ଜିଲ୍ଲାରୁ ନୟାଗଡ଼, ବୌଦ୍ଧ, ଫୁଲବାଣୀ, ପୁରୀ ଜିଲ୍ଲାର କଣାସ, ଡେଲାଙ୍ଗଠାରୁ ଆରମ୍ଭ କରି ଗଂଜାମ ଜିଲ୍ଲାର ଖଲିକୋଟ ପର୍ଯ୍ୟନ୍ତ ଏହି ନିଶା କାରବାର ଚାଲିଛି ।

ଖୋର୍ଦ୍ଧା ସହରରେ ମଧ୍ୟ ଏହି ବ୍ରାଉନ୍‌ସୁଗାର୍‌ କାରବାରରେ ପରିବା ଦୋକାନ, ତେଜରାତି ଦୋକାନର ମାଲିକମାନେ ମଧ୍ୟ ସମ୍ପୃକ୍ତ ଅଛନ୍ତି । ଏପ୍ରିଲ୍ ଓ ମେ ମାସରେ ଏଭଳି ଚଢ଼ଉରେ ଦୁଇଟି ତେଜରାତି ଦୋକାନ ଓ ପରିବା ଦୋକାନର ମାଲିକ ଗିରଫ ହୋଇଥିଲେ । ପୂର୍ବରୁ ଏହି ବ୍ରାଉନ୍‌ସୁଗାର୍‌ କାରବାରରେ ଯୁବକମାନଙ୍କୁ ନିୟୋଜିତ କରାଯାଉଥିବା ବେଳେ ପୁଲିସର କ୍ରମାଗତ ଧରପଗଡ଼ ଯୋଗୁ ନିଶା ମାଫିଆମାନେ ନିଜ ବ୍ୟବସାୟ ରଣନୀତିରେ ପରିବର୍ତ୍ତନ ଆଣିଛନ୍ତି । ଏଥିରେ କମ୍ ବୟସର ମହିଳାଙ୍କୁ ନିୟୋଜିତ କରାଯାଉଛି । ମହିଳା ହେତୁ କେହି ସନ୍ଦେହ କରିନପାରନ୍ତି ଭାବି ଏଭଳି କୁତ୍ସିତ କାର୍ଯ୍ୟରେ ସେମାନଙ୍କୁ ନିୟୋଜିତ କରାଯାଉଛି ।

ଜୁନ୍‌ ମାସ ୩ ତାରିଖରେ ଟାଉନ୍ ଥାନା ପୁଲିସ ସ୍ବପ୍ନେଶ୍ବର ସାହିରୁ ୧୦ ଗ୍ରାମ୍‌ ବ୍ରାଉନ୍‌ସୁଗାର୍‌ ସହ କୃଷ୍ଣଚନ୍ଦ୍ର ଦଳେଇ(୪୦) ଗିରଫ ହୋଇଥିବା ବେଳେ ଜୁନ୍‌ ୬ ତାରିଖରେ ଫରେଷ୍ଟ କଲୋନୀରୁ ୧୦୦ ଗ୍ରାମ୍‌ ବ୍ରାଉନ୍‌ସୁଗାର୍‌ ସହିତ ଦେବବ୍ରତ ମିଶ୍ର (୪୦)କୁ ଗିରଫ କରାଯାଇଥିଲା । ଜୁନ୍‌ ୧୫ ତାରିଖରେ ଗୁରୁଜଙ୍ଗ ନାଦସାହିରୁ ନୃସିଂହ ସିଂହ (୨୫) ଓ ଲିପ୍ସା ମହାପାତ୍ର (୨୦)ଙ୍କୁ ୨୧ ଗ୍ରାମ୍‌ ବ୍ରାଉନ୍‌ସୁଗାର୍‌, ୧୭ ତାରିଖରେ ସଦର ଥାନା ପୁଲିସ ଦଧିମାଛ ଗାଡ଼ିଆରୁ ୧୧.୨୮ ଗ୍ରାମ୍‌, ପୁରୀ ଜିଲ୍ଲାର ରୋହିତ କୁମାର ବେହେରା (୩୨) ଓ ବିଶ୍ବନାଥ ବେହେରା (୨୧)ଙ୍କୁ ଗିରଫ କରିଯାଇଛି । ସେହିଭଳି ଅବକାରୀ ବିଭାଗ ପକ୍ଷରୁ ସ୍ବପ୍ନେଶ୍ବର ସାହିରୁ ୨୬ ଗ୍ରାମ୍‌ ବ୍ରାଉନ୍ସୁଗାର ସହ ଅଶାନ୍ତି ବ୍ରହ୍ମା (୫୮)ଙ୍କୁ ଗିରଫ କରିଥିବା ବେଳେ ଜୁନ୍‌ ୨୮ ତାରିଖରେ ବରୁଣେଇ ନିକଟରୁ ଜଟଣୀ ଅଞ୍ଚଳର ସେକ୍ ମୁମ୍‌ତାଜ (୨୨)କୁ ଗିରଫ କରିବା ସହ ତା’ ନିକଟରୁ ୪୨ ଗ୍ରାମ୍‌ ବ୍ରାଉନ୍‌ସୁଗାର୍‌ ଜବତ କରାଯାଇଛି । ସେହିଭଳି ୨୬ ତାରିଖରେ ଏସ୍‌ଟିଏଫ୍ ଦ୍ବାରା ୧ କୋଟି ୩ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର୍‌ ସହ ଖୋର୍ଦ୍ଧା କୋଚିଲାବଣ ସାହି ଓ ସ୍ବପ୍ନେଶ୍ବର ସାହିର ରାକେଶ ବାରିକ (୨୨), ବିରଞ୍ଚି ନାରାୟଣ ସାହୁ (୨୮) ଓ ଜଗବନ୍ଧୁ ବିଶ୍ବାଳ (୩୨)ଙ୍କୁ ଗିରଫ କରାଯାଇଛି । ଚଳିତ ମାସରେ ଖୋର୍ଦ୍ଧା ଟାଉନ୍ ଥାନା ପୁଲିସ ବରୁଣେଇ ଠାରେ ଚଢ଼ଉ କରି ବଦ୍ଧ ଶବର ସାହିର ହୁଲ୍ଲାସ ମହାନ୍ତି (୫୫) ଓ ମମତା ସେନାପତି (୨୪)ଙ୍କୁ ଗିରଫ କରିବା ସହ ୭୧ ଗ୍ରାମ୍‌ର ବ୍ରାଉନ୍‌ସୁଗାର୍‌ ଜବତ କରିଥିଲା । ଦେଢ଼ମାସ ମଧ୍ୟରେ ତେରଶହ ଗ୍ରାମ୍‌ର ବ୍ରାଉନ୍‌ସୁଗାର୍‌ ଜବତ ହେବା ପରେ ମଧ୍ୟ ଏହି କାରବାର ଥମୁ ନଥିବାରୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀମାନେ କ୍ଷୋଭ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *