କାମରେ ଆସୁନି ପାନୀୟଜଳ ପ୍ରକଳ୍ପ, ପ୍ରଶାସନିକ ଅବହେଳା ପାଇଁ ଉପାନ୍ତ ଅଞ୍ଚଳରେ ଲୋକଙ୍କୁ ମିଳୁନି ପାନୀୟ ଜଳ

ଦାରିଙ୍ଗବାଡି : ଗ୍ରାମାଞ୍ଚଳରେ ଲୋକଙ୍କୁ ପିଇବା ପାଣି ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର । ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦିଆଯାଉଛି । କିନ୍ତୁ ଉପାନ୍ତ ଅଞ୍ଚଳରେ ପ୍ରଶାସନିକ ଅବହେଳା ପାଇଁ ଲୋକଙ୍କୁ ପାନୀୟ ଜଳ ମିଳୁନାହିଁ । ବସୁଧା ଯୋଜନା କାର୍ଯ୍ୟକାରୀ ହେଉଛି ସତ । ହେଲେ ରକ୍ଷଣାବେକ୍ଷଣ ଅଭାବ ସାଙ୍ଗକୁ ପ୍ରଶାସନର ଆନ୍ତରିକତା ଅଭାବରୁ ଜଳ ପ୍ରକଳ୍ପ ନିର୍ମାଣ ହୋଇଥିଲେ ମଧ୍ୟ ଲୋକଙ୍କୁ ବୁନ୍ଦାଏ ପାଣି ମିଳୁନି । ଏହା ଦେଖିବକୁ ମିଳିଛି କନ୍ଧମାଳ ଜିଲ୍ଲା ଗୁମିକିଆ ପଞ୍ଚାୟତ ୧୧ ନମ୍ବର ୱ।ଡ଼ ପାଟାମାହା ଗ୍ରାମରେ ।

ଏଠାରେ ୧୦୦ ପରିବାରରୁ ଉର୍ଦ୍ଧ ଲୋକ ସଂଖ୍ୟା ଥିବାବେଳେ ଗ୍ରାମରେ ସୋଲାର ପାଣି ଟାଙ୍କି ନିର୍ମାଣ ହୋଇଛି । ହେଲେ ଆଜକୁ ଛଅ ମାସ ହେବ ଷ୍ଟାଣ୍ଡ ପୋଷ୍ଟରେ ଆବଶ୍ୟକ ମୁତାବାକୁ ପାଣି ଆସୁନାହିଁ । ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଟାଙ୍କି ପ୍ରତିଷ୍ଠା ହେବା ଦିନରୁ ମଝିରେ ମଝିରେ ଏମିତି ଦୀର୍ଘ ଦିନ ଯାଏ ପାଣି ଆସୁ ନଥିବା ଗ୍ରାମର ନାଏବ ସରପଞ୍ଚ କାଦିତା ପ୍ରଧାନ ଅଭିଯୋଗ କରିଛନ୍ତି । ସେଇଭଳି ବର୍ଷା ଦିନରେ ଚୁଆ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି ଲୋକେ । ଏଭଳି ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ପାଟାମାହା ଗ୍ରାମରେ ୫ ହଜାର ଲିଟର କ୍ଷମତା ବିଶିଷ୍ଟ ଏହି ପାଣି ଟାଙ୍କି ନିର୍ମାଣ କରାଯାଇ ଜଳ ଯୋଗାଣ ଆରମ୍ଭ ହୋଇଥିଲା । ହେଲେ ବାରମ୍ବାର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦୀର୍ଘ ମାସ ହେଲା ପାଣି ବନ୍ଦ ହୋଇରହୁଛି । ତୁରନ୍ତ ଏହାର ସମାଧାନ ପାଇଁ ଗ୍ରାମବାସୀ ବାରମ୍ବାର ପଞ୍ଚାୟତ, ବ୍ଲକରେ ଅଭିଯୋଗ କଲା ପରେ ବି କୌଣସି ସୁଫଳ ମିଳି ନଥିବା ଜଣାପଡିଛି । ତୁରନ୍ତ ପାନୀୟଜଳ ପ୍ରକଳ୍ପକୁ କାଯ୍ୟକ୍ଷମ କରାନଗଲେ ଆଗାମୀ ଦିନରେ ବ୍ଲକ ଘେରାଉ କରିବେ ବୋଲି ଚେତାବନି ଦେଇଛନ୍ତି ପଞ୍ଚାୟତବାସୀ ।

Leave a Reply

Your email address will not be published. Required fields are marked *