ବଣାଇ : ବଣାଇଗଡ, ଆଜି ବଣାଇ ଗସ୍ତରେ ଅଛନ୍ତି ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୂଖ ପରାମର୍ଶଦାତା ଅସିତ୍ କୁମାର ତ୍ରିପାଠୀ । ରାଜ୍ୟ ସରକାର ତଥା ବିଶେଷ କରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଭିଜନର ସଠିକ ରୂପାୟନ ହେଉଛି ନା ନାହିଁ ସେଥିନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସେ ସମଗ୍ର ପଶ୍ଚିମ ଓଡିଶାରେ ଗସ୍ତ ଜାରି ରଖିଥିବା ପ୍ରକାଶ କରିଛନ୍ତି ।

ସୁନ୍ଦରଗଡ ଜିଲ୍ଲାର ବଣାଇ ଉପଖଣ୍ଡ ଗସ୍ତରେ ଆଜି ଆସି ଜିଲ୍ଲା ଖଣିଜ ପାଣ୍ଠିରୁ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ତଦାରଖ କରିବା ସହ ଅଞ୍ଚଳରେ ଥିବା ଅନେକ ସମସ୍ୟା ଜନିତ ଅଭିଯୋଗକୁ ଗୁରୁତ୍ଵ ଦେବା ପାଇଁ ବିଭିନ୍ନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଟୁଣିଆପାଲି ଠାରେ ଜିଲ୍ଲା ଖଣିଜ ପାଣ୍ଠିରୁ ୫୫ କୋଟି ଟଙ୍କା ବ୍ୟୟ ଅଟକଳରେ ହେଉଥିବା ଏଡୁକେସନ୍ ହବ ସେଣ୍ଟରରେ ବିଭିନ୍ନ ପ୍ରକାର ତାଲିମ ପ୍ରଦାନ ପ୍ରକଳ୍ପ, ବଣାଇ ଠାରେ ଥିବା ସୁଦକ୍ଷ ଓ ନିୟମ ତାଲିମ କେନ୍ଦ୍ର ବୁଲି ଦେଖିବା ସହ ବଣାଇ ଠାରେ ନିର୍ମାଣାଧୀନ ହକି ଷ୍ଟାଡିୟମ୍ ପରିଦର୍ଶନ କରିଥିବା ଦେଖାଯାଇଛି । ଏହି ଗସ୍ତ ସମୟରେ ସାଥିରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଟେକ୍ନିକାଲ ଟିମ୍ ସଦସ୍ୟ, ସୁନ୍ଦରଗଡ ଜିଲ୍ଲାପାଳ ଡ. ଗାଭେଲି ପରାଗ ହର୍ଷଦ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ, ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ଉପିଲ୍ଲାପାଳ ସୂରଞ୍ଜନ୍ ସାହୁ, ବଣାଇ ବିଡିଓ ସ୍ଵଦିପ ଟପୋଙ୍କ ସମେତ ଜିଲ୍ଲାସ୍ତରୀୟ ବହୁ ଅଧିକାରୀମାନେ ଉପସ୍ଥିତ ଥିଲେ ।
