ଥାନା ଅଧିକାରୀଙ୍କ ବଦଳି ନେଇ ଖୁଣ୍ଟୁଣୀ ଥାନା ଘେରାଉ

ଗୁରୁଡ଼ିଝାଟିଆ : ଖୁଣ୍ଟୁଣୀ ଥାନା ଅଧିକାରୀ ଏକ ନିର୍ଦ୍ଦିଷ୍ଟ ଦଳର ନେତାଙ୍କ ପ୍ରରୋଚନାରେ ଆକ୍ରୋଶମୂଳକ ଭାବରେ କଣ୍ଡରେଇ ପଞ୍ଚାୟତରେ ଅନ୍ୟାୟ ଗିରଫଦାରି ଓ ପକ୍ଷପାତିତା ନୀତି କରିବା ନେଇ ଶତାଧିକ ଜନସାଧାରଣ ଖୁଣ୍ଟୁଣୀ ଥାନାକୁ ଘେରାଉ କରିବା ସହ ଥାନା ଅଧିକାରୀଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି । ତୁରନ୍ତ ଥାନା ଅଧିକାରୀ ଭବାନୀ ପ୍ରସାଦ ଖୁଣ୍ଟିଆଙ୍କ ବଦଳି ପାଇଁ ବ୍ୟବସ୍ଥା କରାନଗଲେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଥାନାକୁ ଘେରାଉ କରି ରଖାଯିବ ଓ ଶୀତକାକରରେ ଥାନା ପରିସରରେ ବସିବୁ ବୋଲି ଉତ୍ୟକ୍ତ ଲୋକମାନେ ଜିଦ୍‍ ଧରିବା ଯୋଗୁଁ ପ୍ରଶାସନିକ ସ୍ତରରେ ହଟଚମଟ ସୃଷ୍ଟି ହୋଇଥିଲା । ଘଟଣାସ୍ଥଳରେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଲେଖ ଚନ୍ଦ୍ର ପହି, ଆଠଗଡ଼ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ, ତହସିଲଦାର ପ୍ରିୟବ୍ରତ ଦାସ, ଚୌଦ୍ୱାର ଏସଡିପିଓ ସତ୍ୟବ୍ରତ ଲେଙ୍କା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଥାନା ଘେରାଉ କରିଥିବା ଉଦ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିଥିଲେ । ସମାଧାନ ପାଇଁ ସନ୍ଧ୍ୟାରେ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନିଙ୍କ ଅଧ୍ୟକ୍ଷତାରେ ଉପଜିଲ୍ଲାପାଳ ଶ୍ରୀ ସ୍ୱାଇଁ ଓ ଥାନା ଘେରାଉ କରିଥିବା ଉତ୍ୟକ୍ତ ଲୋକଙ୍କ ପ୍ରତିନିଧିଙ୍କ ଏକ ମିଳିତ ବୈଠକ ହୋଇଛି ।

ପ୍ରକାଶଯୋଗ୍ୟ କଣ୍ଡରେଇ ପଞ୍ଚାୟତରେ ଜୈନିକ ବ୍ୟକ୍ତି ଜନଜାତି ଲୋକମାନଙ୍କୁ ଔଷଧ ପ୍ରଦାନ କରିବା ଓ ବିଭିନ୍ନ ଚିକିତ୍ସାସେବା ଯୋଗାଇଥାନ୍ତି । ହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କ କୌଣସି ଚିକିତ୍ସା ସଂପର୍କିତ ପ୍ରମାଣପତ୍ର ନାହିଁ । ତେଣୁ ଥାନା ଅଧିକାରୀ ଏହାକୁ ବନ୍ଦ କରିଥିଲେ । ଏଥିସହିତ ଦୁଇ ତିନୋଟି ମୋକଦ୍ଦମାରେ ଉଭୟ ପକ୍ଷର ଅଭିଯୁକ୍ତଙ୍କ ନାମରେ ମୋକଦ୍ଦମା କରିଛନ୍ତି । ଏହାକୁ ନେଇ କଣ୍ଡରେଇ ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁଦାମ ଚରଣ ବେଉରାଙ୍କ ନେତୃତ୍ୱରେ ପ୍ରାୟ ଶତାଧିକ ଉତ୍ୟକ୍ତ ଲୋକ ଥାନା ଅଧିକାରୀ ଶ୍ରୀ ଖୁଣ୍ଟିଆଙ୍କୁ ଜାଣିଶୁଣି ପଞ୍ଚାୟତର ଭଦ୍ରବ୍ୟକ୍ତିଙ୍କ ନାମରେ ଚାପରେ ପଡ଼ି ମୋକଦ୍ଦମା କରିବାକୁ ଦୃଢ ନିନ୍ଦା କରିବା ସହିତ ଥାନାକୁ ଘେରାଉ କରିଥିଲେ । କିଛି ଉତ୍ୟକ୍ତ ଲୋକ ବିଳମ୍ବିତ ରାତିରେ ଥାନା ପରିସରରେ ଶୀତକାକରରେ ମଧ୍ୟ ରାତ୍ରି ଯାପନ କରି ଥାନା ଅଧିକାରୀ ଶ୍ରୀ ଖୁଣ୍ଟିଆଙ୍କ ବଦଳି ଦାବି କରିଥିଲେ । ଏପରିକି ୫୫ ନଂ ଜାତୀୟ ରାଜପଥ ଉପରେ ଥାନାଅଧିକାରୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ । ଧିରେ ଧିରେ ପରିସ୍ଥିତି ବିଗୁଡୁଥିବା ଏବଂ ଏହା ଉଗ୍ରରୂପ ନେବା ସମ୍ଭାବନା ଥିବାରୁ ଗତକାଲି ଅପରାହ୍ନ ୫ଟା ସମୟରେ ବାଧ୍ୟ ହୋଇ ଆଠଗଡ଼ ଉପଜିଲ୍ଲାପାଳ ଶ୍ରୀ ସ୍ୱାଇଁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ପହି, ଏସଡିପିଓ ଶ୍ରୀ ଲେଙ୍କା, ତହସିଲଦାର ଶ୍ରୀ ଦାସ ପ୍ରମୁଖ ଘଟଣା ସଂପର୍କରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଘଟଣା ସଂପର୍କରେ ଆଲୋଚନା ପାଇଁ ଜିଲ୍ଲାପାଳ ଶ୍ରୀ ଚଇନି ଆନ୍ଦୋଳନକାରୀ ଜନସାଧାରଣଙ୍କ ପ୍ରତିନିଧିମାନଙ୍କୁ ଡାକି ପୋଲିସ ଅଧିକାରୀଙ୍କ ଉପସ୍ଥିତରେ ଆଲୋଚନା ଜାରି ରଖିଛନ୍ତି ।

Leave a Reply

Your email address will not be published. Required fields are marked *