ସମ୍ବଲପୁର : ସମ୍ବଲପୁରର ଉପକଣ୍ଠସ୍ଥ ଶାସନ ଥାନା ଅର୍ନ୍ତଗତ ମୁରା ଅଞ୍ଚଳରେ ୨୫ ତାରିଖ ବିଳମ୍ବିତ ରାତ୍ରିରେ ମୁଣ୍ଡେନପାଲି ନିବାସୀ ମନୋଜ ନାୟକ ଓ ସାଥି ଶ୍ରୀଚରଣ କିଷାନଙ୍କୁ ମାଡ ମାରି ଲୁଟ ଘଟଣାରେ ପୁଲିସ ୨ ଜଣ ନାବାଳକଙ୍କ ସମେତ ୮ ଜଣଙ୍କୁ ଧରିଛି । ଉଭୟ ପିଡିତ ପଧାନପାଲିରୁ କାମ ସାରି ଘରକୁ ଫେରୁଥିବା ବେଳେ ନୁଆ ତିହୁରା (ଲକ୍ଷ୍ମୀ ମନ୍ଦିର) ନିକଟରେ ଥିବା କେନାଲ ପୋଲ ଠାରେ ଅଜଣା ବ୍ୟକ୍ତିମାନେ ବିଭିନ୍ନ ମାରଣାସ୍ତ୍ରରେ ମରଣାନ୍ତକ ଆକ୍ରମଣ କରି ନଗଦ ୮ ହଜାର ୬ ଶହ ଟଙ୍କା, ୩ଟି ଏଟିଏମ କାର୍ଡ ଓ ଗୋଟିଏ ମୋବାଇଲ ଲୁଟ କରି ନେଇଥିଲେ । ପିଡିତମାନେ ପାଟିତୁଣ୍ଡ କରିବାରୁ ସ୍ଥାନୀୟ ନିବାସୀମାନେ ଘଟଣାସ୍ଥଳକୁ ଆସିଯିବାରୁ ଅଭିଯୁକ୍ତମାନେ ୩ଟି ମୋଟର ବାଇକ ଛାଡି ଫେରାର ହୋଇ ଯାଇଥିଲେ । ଏ ନେଇ ପିଡିତ ମନୋଜ ନାୟକ ଶାସନ ଥାନାରେ ଅଭିଯୋଗ କରିବାରୁ ପୁଲିସ ମାମଲା ସଂଖ୍ୟା ୩୦/୨୦୨୨ ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା ।

ବିଭିନ୍ନ ସୂତ୍ରରୁ ସୂଚନା ସଂଗ୍ରହ କରି ଉକ୍ତ ଡକାୟତମାନଙ୍କୁ ଧରିଛି । ପୁଲିସ ଏହି ଘଟଣାରେ ଅଭିଯୁକ୍ତ ମୂରା ନିବାସୀ ଅଜିତ ହାତି (୨୮), ଡୁମ୍ବେରପାଲି (ଟିକ୍ରାପଡ଼ା) ନିବାସୀ ନିଳାମ୍ବର ବେସନ (୧୯), ଲରପଙ୍କ ନିବାସୀ ଅନୀଲ ଓରାମ (୧୯), ତୁଷାର ଆଇନ୍ଦ ଓରଫ କାହ୍ନୁ (୧୯), ହିମାଂଶୁ ଶେଖର ଚୌବେ (୩୦) ଏବଂ ଆକାଶ ମୁଣ୍ଡା (୨୨) ଙ୍କୁ ଗିରଫ କରିଛି । ଏହା ସହିତ ୨ ଜଣ ନାବାଳକଙ୍କୁ ମଧ୍ୟ ପୁଲିସ ଅଟକ ରଖି ବାଳ ଅଦାଲତ ସମ୍ମୁଖରେ ପ୍ରସ୍ତୁତ କରିଛି । ଗିରଫ ହୋଇଥିବା ସମସ୍ତ ୬ ଅଭିଯୁକ୍ତମାନଙ୍କୁ ପୁଲିସ ମଙ୍ଗଳବାର ଅଦାଲତକୁ ଚାଲାଣ କରିଛି । ଏହା ସହିତ ଅଭିଯୁକ୍ତମାନଙ୍କ ନିକଟରୁ ଲୁଟ ହୋଇଥିବା ୩ଟି ଏଟିଏମ କାର୍ଡ, ଗୋଟିଏ ମୋବାଇଲ ସମେତ ୨ଟି ଭୁଜାଲି, ୨ଟି ଲୁହା ଛଡ, ଗୋଟିଏ ଛୁରୀ ଏବଂ ୮ଟି ମୋବାଇଲ ଫୋନ ଜବତ କରିଛି ବୋଲି ଶାସନ ପୁଲିସ ଜଣାଇଛି ।
