ଥାନା ପରିସରରେ ଆତ୍ମହତ୍ୟା ଘଟଣା, ଭୟରେ ମୁହଁ ଖୋଲୁନାହାନ୍ତି ପରିବାର

ଗୋପାଳପୁର : ଗୋଳନ୍ଥରା ଥାନ ପରିସରରେ କିରୋସିନ ଢାଳି ଆତ୍ମହତ୍ୟା ଘଟଣା ପରେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କ ପକ୍ଷରୁ ଏହାକୁ ଗୁରୁତର ସହ ନେବା ସହ ତଦନ୍ତ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଅନ୍ୟପଟେ ଗତକାଲି ଗୁରୁତର ଥିବା କାଳିଆଙ୍କ ଆଜି ଭୋର ସମୟରେ ଭୂବନେଶ୍ବରରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଘଟିବା ପରିବାର ବର୍ଗଙ୍କ ପକ୍ଷରୁ ପୁରୀ ସ୍ୱର୍ଗଦ୍ୱାରରେ ଶବ ସତ୍କାର କରାଯାଇଥିବା ଜଣାପଡ଼ିଛି । ମୃତକ ସନ୍ତୋଷ ଓରଫ କାଳିଆ ସାମନ୍ତରା ରଣ୍ଢା ଗ୍ରାମର ବ୍ରାହ୍ମଣସାହିର ଲକ୍ଷ୍ମୀସାମନ୍ତରାଙ୍କ ଏକମାତ୍ର ପୁତ୍ର ଅଟନ୍ତି । ସୋମବାର କାଳିଆ ପ୍ରଥମେ ସନ୍ଧ୍ୟା ୬ଟା ବେଳେ ଥାନାକୁ ଯାଇ ନିଜ ଜିବନ ପ୍ରତି ବିପଦ ଥିବା କହି ଅଭିଯୋଗ କରିଥିଲେ । କିନ୍ତୁ ପୁଲିସ ପକ୍ଷରୁ ଏନେଇ ଲିଖିତ ଅଭିଯୋଗ କରିବାକୁ କୁହାଯାଇ ଫେରାଇ ଦିଆଯାଇଥିଲା, କିନ୍ତୁ ରାତ୍ର ପ୍ରାୟ ନଅଟା ବେଳେ ଅଚାନକ କାଳିଆ ପୁଣିଥରେ ଏକ ମୋଟରସାଇକେଲରେ ଥାନା ସମ୍ମୁଖକୁ ଥାନା ଗେଟ୍ ବାହାରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇବା ସହ ଥାନା ମଧ୍ୟକୁ ସେ ପଶି ଯାଇଥିଲେ । ତୁରନ୍ତ ପୋଲିସ ତାଙ୍କୁ ଥାନା ମଧ୍ୟରୁ ନିଆଁ ଲାଗିଥିବା ଅବସ୍ଥାରେ ଅତି ସତର୍କତାର ସହ ଥାନା ଏସଆଇ ପବିତ୍ର କୁମାର ସାହୁ ଉଦ୍ଧାର କରିବା ସମୟରେ ନିଜର ପିନ୍ଧିଥିବା ଡ୍ରେସରେ ନିଆଁ ଲାଗି ଯାଇଥିଲା ଏହା ସହ କାଳିଆ ଜଳନ୍ତା ଅବସ୍ଥାରେ ଏସଆଇ ଜ୍ଞାନରଞ୍ଜନ ସାହୁଙ୍କ ଉପରକୁ ମାଡିଯାଇଥିଲେ, କିନ୍ତୁ ନିଜକୁ ବଞ୍ଚାଇବାକୁ ଯାଇ ଏସଆଇଙ୍କ ହାତଗୋଡ଼ରେ ସାମାନ୍ୟ ଆଘାତ ଲାଗିଥିଲା । ଘଟଣା ପରେ ପରେ ଅନ୍ୟ ରୁମରେ ଥିବା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ତୁରନ୍ତ ନିଆଁ ଲିଭାଇବା ପାଇଁ ଟୱାଲ ପକାଇ ପ୍ରୟାସ କରିଥିଲେ । ସେତେବେଳକୁ ଏକ ଲାପଟପ୍, ପ୍ରିଣ୍ଟର, କିଛି ଥାନାର ଦରକାରୀ ନଥିପତ୍ର ମଧ୍ୟ ପୋଡ଼ିଯାଇଥିଲା । ଘଟଣା ସମୟରେ ଥାନା ପରିସରରେ ଉପସ୍ଥିତ ଥିବା ୱାରେଣ୍ଟ ବଳରେ ଅଟକଥିବା ଜି.ଲାଛେୟା ଏହି ଘଟଣା ସ୍ଵଚକ୍ଷୁରେ ଦେଖିଥିବା ବେଳେ ଭୟରେ ପାଖ ରୁମରେ ଲୁଚି ପଡ଼ିଥିଲେ ବୋଲି ଆଲୋଚନା ବେଳେ ସୂଚନା ଦେଇଛନ୍ତି । ଘଟଣା ପରେ ପୁଲିସ ନିଜଗାଡ଼ିରେ ଆହତ କାଳିଆକୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଇ ଚିକିତ୍ସିତ କରିଥିଲେ ସୁଦ୍ଧା ଅଧିକ ଚିକିତ୍ସା ନିମନ୍ତେ ତୁରନ୍ତ ଭୂବନେଶ୍ବରର ଏକ ଘରୋଇ ହସପିଟାଲକୁ ନିଆଯାଇଥିଲା । ସେଠାରେ ମଙ୍ଗଳବାର ସକାଳ ୬ଟା ବେଳେ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି । ଏମ୍ସ ହସ୍ପିଟାଲରେ ଶବକୁ ବ୍ୟବଛେଦ କରାଯାଇ ପୁରୀ ସ୍ଵର୍ଗଦ୍ଵାର ଶ୍ମଶାନରେ ସତ୍କାର କରାଯାଇଥିବା ଜଣାପଡିଛି । ମଙ୍ଗଳବାର ଦିନ ସାଇଣ୍ଟଫିକ ଟିମ୍ ଥାନାରେ ପହଞ୍ଚି କାଳିଆ ପିନ୍ଧିଥିବା ଚପଲ, ଦିଆସିଲି, ପୋଡ଼ି ଯାଇଥିବା ନଥିପତ୍ର ଯାଞ୍ଚ କରିଥିବା ସହ ଘଟଣାସ୍ଥଳରେ ପଡିଥିବା ଏକ ପ୍ଲାଷ୍ଟିକ ବୋତଲ ଯେଉଁଥିରେ ପେଟ୍ରୋଲ ନିଆଯାଇଥିଲା ତାହାର ନମୁନା ମଧ୍ୟ ସଂଗ୍ରହ କରିଥିବା ଜଣାପଡିଛି ।

ଘଟଣା ସ୍ଥଳରେ ଏସପି ପିନାକ ମିଶ୍ର, ଏସଡିପିଓ ଶିବଶଙ୍କର ମହାପାତ୍ର ପହଞ୍ଚି ଥାନା ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ । ଘଟଣା ଦିନ ଡିସିଓ ଚାର୍ଜରେ ଥିବା ଅଭିଷେକ ପାଣ୍ଡବ, ସେଣ୍ଟ୍ରୀ ଦାୟିତ୍ୱରେ ଥିବା ଫୀଲିପ ସୋରେନଙ୍କୁ ମଧ୍ୟ ଘଟଣା ସମ୍ପର୍କରେ ପଚାରି ବୁଝିଥିବା ଜଣାପଡିଛି । ଏ ନେଇ କାଳିଆର ପରିବାର ଲୋକେ ମୁଁହ ଖୋଲୁନାହାନ୍ତି । ହେଲେ କାଳିଆ କ’ଣ ପାଇଁ ଥାନାକୁ ଯାଇଥିଲେ ? ତାଙ୍କର ଅଭିଯୋଗ କ’ଣ ଥିଲା ? ସେ ନେଇ ତନାଘନା ଆରମ୍ଭ ହୋଇଯାଇଛି । କାଳିଆ କୌଣସି ଜଣେ ବ୍ୟକ୍ତିଙ୍କ ନାମରେ ଅଭିଯୋଗ କରିବାକୁ ଯାଇଥିଲେ ବୋଲି ସୂଚନା ମିଳୁଛି । ଏନେଇ ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ସୂଚନା ପ୍ରକାରେ ସନ୍ଧ୍ୟା ୬ଟା ବେଳେ କାଳିଆ ଆସିଥିଲା କିଛି ଅଭିଯୋଗ କରିବା ପାଇଁ ଲିଖିତ ଅଭିଯୋଗ ଆଣିବାକୁ କହିଥିଲେ । ସେ ନିଜ ଚେମ୍ବର ଭିତରେ ବସି ଥାନା କାମରେ ଲାପଟପରେ କାମ କରିବା ବେଳେ ଏଭଳି ଘଟଣା ଘଟିଛି ବୋଲି ଥାନା ଅଧିକାରୀ କହିଛନ୍ତି । ତେବେ ସେ ଲିଖିତ ଭାବେ ଅଭିଯୋଗ ନ କରି ମୌଖିକ ଅଭିଯୋଗ କରିଥିଲେ ବୋଲି କୁହାଯାଉଛି । କାଳିଆ ପୂର୍ବରୁ ରଣ୍ଢାର ଆରଟିଆଇ କର୍ମକର୍ତ୍ତା ବୁବୁ ପଣ୍ଡା ହତ୍ୟା ଘଟଣାରେ ସାକ୍ଷୀ ରହିଥବା ବେଳେ ବିଭିନ୍ନ ସମୟରେ ହତ୍ୟାରେ ସମ୍ପୃକ୍ତ ରହିଥିବା ବ୍ୟକ୍ତିମାନେ ଧମକ ଚମକ ଦେଉଥିବା ମଧ୍ୟ ଅଭିଯୋଗ ରହିଛି । କାଳିଆ ଥାନା ମଧ୍ୟକୁ ଯିବା ପୁର୍ବରୁ ଯୋଜନାବଦ୍ଧ ଭାବେ ସାଥିରେ ପେଟ୍ରୋଲ ନେଇ ଏହିପରି ଘଟଣା ଭିଆଇ ଥିବା ଜଣାପଡିଛି । ଏହାକୁ ନେଇ ଆଜିଠାରୁ ପୋଲିସ ତଦନ୍ତ ଆରମ୍ଭ କରିଛି । କାଳିଆ କିଛି ଦିନ ହେଲା ମାନସିକ ବ୍ୟତିବ୍ୟସ୍ଥ ଥିବା ସ୍ଥାନୀୟ ଅଞ୍ଚଳବାସୀ କହିଛନ୍ତି । ବ୍ୟକ୍ତିଗତ ଶତ୍ରୁତା ନା ଆଉ କ’ଣ ତାହା ତଦନ୍ତ ସାପେକ୍ଷ । ସିସିଟିଭି ଫୁଟେଜରୁ କିପରି ଘଟଣା ଘଟିଛି ତାହା ସ୍ୱଷ୍ଟ ଜାଣିହେବ ବୋଲି ଆଲୋଚନା ଜୋର ଧରିଛି ।

Leave a Reply

Your email address will not be published. Required fields are marked *