ବାରିପଦା : ଦୁଇ ସରକାରୀ କର୍ମଚାରୀଙ୍କୁ ନିଜ କାର୍ଯ୍ୟାଳୟକୁ ଡାକି ମାଡ଼ ମାରିବା ଘଟଣାରେ ସୋମବାର ଦିନ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ୱର ଟୁଡୁଙ୍କ ବାରିପଦା ସହର ତକତପୁରସ୍ଥିତ କାର୍ଯ୍ୟାଳୟରେ ଛାନ୍ଭିନ୍ କରିଛନ୍ତି ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ।ମଧ୍ୟାହ୍ନରେ ଅତିରିକ୍ତ ଏସ୍ପି ସୁରେଶ ଚନ୍ଦ୍ର ପାତ୍ର, ବାରିପଦା ସଦର ଏସ୍ଡିପିଓ କେ.କେ ହରିପ୍ରସାଦ ଓ ସଦର ଥାନା ଆଇଆଇସି ବୀରେନ୍ଦ୍ର ସେନାପତିଙ୍କ ନେତୃତ୍ବରେ ୮ ଜଣିଆ ପୁଲିସ ଟିମ୍ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳର ଫଟୋ ଉଠାଇଥିଲା । ଯେଉଁ କମ୍ପ୍ଲେକ୍ସର ଉପର ମହଲାରେ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ରହିଛି, ତା’ ତଳ ମହଲାର ଦୋକାନୀମାନଙ୍କୁ ତଦନ୍ତକାରୀ ଦଳ ପଚରାଉଚରା କରିଥିଲେ । ସେମାନଙ୍କ ପାଖରୁ ପୁଲିସ ଘଟଣା ଦିନର ବେଶ୍ କିଛି ତଥ୍ୟ ସଂଗ୍ରହ କରିଥିବା ଜଣାପଡ଼ିଛି । ତେବେ ଆଜି ମନ୍ତ୍ରୀଙ୍କ ଦେଖା ପାଇନଥିଲେ ତଦନ୍ତକାରୀ ଟିମ୍ । ସେ ଭୁବନେଶ୍ବର କିମ୍ବା ଦିଲ୍ଲୀ ଯାଇଥିବା ସୂଚନା ଦିଆଯାଇଥିଲା । ସୂଚନାଯୋଗ୍ୟ, ଗତ ୨୦ ତାରିଖରେ ମନ୍ତ୍ରୀ ଶ୍ରୀ ଟୁଡ଼ୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦୁଇ ଅଧିକାରୀଙ୍କୁ ଫୋନ୍ ଯୋଗେ ତାଙ୍କ କାର୍ଯ୍ୟାଳୟକୁ ଡାକି ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ପୁଲିସ ଆଇପିସି ଦଫା ୩୨୩, ୩୨୫, ୩୪୧, ୨୯୪ ଓ ୫୦୬ ରେ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରିଥିଲା । ସେପଟେ ମନ୍ତ୍ରୀ ଶ୍ରୀ ଟୁଡ଼ୁ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ପ୍ରଥମରୁ ଖଣ୍ଡନ କରି ଆସୁଛନ୍ତି ।
