ଆଠଗଡ : ଆଠଗଡ ବ୍ଲକର ଜୋରନ୍ଦା ପ୍ରାଥମିକ ସେବା ସମବାୟ ସମିତି ଧାନମଣ୍ଡିରେ ମିଲରଙ୍କ ମନମୁଖୀ କାର୍ଯ୍ୟ ପାଇଁ ଶତାଧିକ ଚାଷୀ ସେମାନଙ୍କର ବଳକା ଖରିଫ ଧାନ ବିକ୍ରୟ କରିନପାରି ହତାଶ ହୋଇପଡିଛନ୍ତି । ଧାର୍ଯ୍ୟ ସମୟରେ ଏଠାରୁ ଧାନ ଉଠାଇବା ଲାଗି ନିୟୋଜିତ ମିଲର ନଆସିବା ଫଳରେ ଯୋଗାଣ ବିଭାଗ ପକ୍ଷରୁ ଚାଷୀମାନଙ୍କୁ ଦିଆଯାଇଥିବା ଟୋକନର ଅବଧି ଶେଷ ହୋଇଯାଇଛି । ଅବଧି ଶେଷ ହୋଇଯାଇଥିବାରୁ ଧାନ ବିକି ପାରିନଥିବା ଚାଷୀ ବାଧ୍ୟ ହୋଇ ସରକାରଙ୍କ ଧାର୍ଯ୍ୟ ସର୍ବନିମ୍ନ ସହାୟକ ମୂଲ୍ୟଠାରୁ ଯଥେଷ୍ଟ କମ୍ ଦରରେ ଅଭାବୀ ବିକ୍ରି କରି ବହୁ କ୍ଷତିର ସମ୍ମୁଖୀନ ହେଉଛନ୍ତି । ଯୋରନ୍ଦା ସମିତି ଅଧିନରେ ଯୋରନ୍ଦା, ତରଡିଙ୍ଗ ଓ ମହାକାଳବସ୍ତ ଆଦି ୩ଟି ପଞ୍ଚାୟତର ପ୍ରାୟ ୫ ଶହ ଚାଷୀ ବଳକା ଖରିଫ ଧାନ ବିକ୍ରୟ ପାଇଁ ନାମ ପଞ୍ଜିକରଣ କରିଥିବା ଜଣାପଡିଛି । ତେବେ ଯେଉଁ ଚାଷୀମାନଙ୍କ ମୋବାଇଲ ଫୋନରେ ଜାନୁଆରୀ ୭, ୮ ଓ ୯ ତାରିଖରେ ଧାନ ବିକ୍ରୟ ପାଇଁ ଟୋକନ ଆସିଥିଲା ସେମାନେ ମଣ୍ଡିକୁ ମିଲର ନଆସିବାରୁ ଧାନ ବିକ୍ରୟ କରିପାରିନାହାଁନ୍ତି । ଏହି ଜାନୁଆରୀ ମାସରେ ମାତ୍ର ୨ ଥର ମିଲର ଆସିଥିବାବେଳେ ଦୈନିକ ୮ ଶହ କ୍ୟୁଣ୍ଟାଲ ଧାନ ନେବା ପରିବର୍ତ୍ତେ ମାତ୍ର ୨ ଶହ କ୍ୟୁଣ୍ଟାଲ ଲେଖାଏଁ ଧାନ ନେଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ସେଥିରେ ପୁଣି ମିଲରମାନେ ମନଇଚ୍ଛା ଅଖା ପାଇଁ ପଇସା ନଦେଇ କ୍ୟୁଣ୍ଟାଲ ପିଛା ୪-୫ କେଜି ଲେଖାଏଁ ଧାନ କଟନିଛଟନୀ କରୁଥିବା ଛାଷୀମାନେ ଅଭିଯୋଗ କରିଛନ୍ତି । ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଚାଷୀଙ୍କ ଅସନ୍ତୋଷକୁ ଦୂରେଇବା ପାଇଁ ଯୋଗାଣ ବିଭାଗ ଶହ ଶହ ଟୋକନ ଛାଡିଥିବା ବେଳେ ସେହି ଅନୁଯାୟୀ ମିଲରମାନେ ଧାନ ଉଠାଉ ନଥିବାରୁ ଚାଷୀ ଅସନ୍ତୋଷ ଥମିବା ପରିବର୍ତ୍ତେ ଦିନକୁ ଦିନ ବଢିବାରେ ଲାଗିଛି । ଯୋରନ୍ଦା ସେବା ସମବାୟ ଅଧିନ ବହୁ ଚାଷୀ ସୋମବାର ଉପଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ସହକାରୀ ଯୋଗାଣ ଅଧିକାରୀଙ୍କୁ ଦେବା ସହ ସେଠାରେ ମିଲର ପରିବର୍ତ୍ତନ ଏବଂ ସମସ୍ତ ଚାଷୀଙ୍କର ଧାନ କ୍ରୟ କରିବା ଲାଗି ପଦକ୍ଷେପ ନେବା ପାଇଁ ଦାବି ଜଣାଇଥିଲେ । ସହକାରୀ ଯୋଗାଣ ଅଧିକାରୀ ଜଗମୋହନ ଦାସ ଓ ସମବାୟ ସମିତି ସମୂହର ସହକାରୀ ନିବନ୍ଧକ ଅଶୋକ କୁମାର ପାଣି ସେମାନଙ୍କର ଅଭିଯୋଗ ଶୁଣିବା ପରେ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ଆଲୋଚନା କରି ଯୋରନ୍ଦା ସମିତି ପାଇଁ କୁଶପଙ୍ଗିସ୍ଥିତ ଆରକେ ଆଗ୍ରୋ ନାମକ ମିଲର ମାଧ୍ୟମରେ ଧାନ ଉଠାଇବା ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେଇଥିଲେ ।
