କଳାବାଡ଼ିଆ : ବାଙ୍ଗିରିପୋଷି ବ୍ଲକ୍ ଦେଇ ପ୍ରବାହିତ ବୁଢ଼ାବଳଙ୍ଗ ଓ କତରା ନଦୀକୁ ଏକପ୍ରକାର କବ୍ଜା କରି ନେଲେଣି ବାଲି ମାଫିଆ । ଏବେ ଉଭୟ ନଦୀରେ ଶୁଖିବା ପରିସ୍ଥିତିରେ ଅଛି । ବର୍ଷା ନଥିବାରୁ ଶିମିଳିପାଳର ଉପରମୁଣ୍ଡ ଗୋଦରଗଡ଼ାରୁ ବାହାରିଥିବା ବୁଙ୍ଗାବଳଙ୍ଗ ନଦୀ ଶଯ୍ୟା ଶୁଖିଲା ପଡ଼ିଛି । ଏପରିକି ନଦୀ ଗର୍ଭରେ ଠାଏ ଠାଏ ପଥର ଦିଶିଲାଣି । ଆଉ ଏହାର ଭରପୁର ଫାଇଦା ନେଉଛନ୍ତି ବାଲି ମାଫିଆ । ଏହି ଦୁଇ ନଦୀ ସମେତ ସଂକରାଇ ନାଳରୁ ରାତି ହେଲେ ଗାଡ଼ି ଆଲୁଅରେ ଚାଲୁଛି ବାଲି ଉତ୍ତୋଳନ ।
ବ୍ଲକ୍ର କାଳିଆମି, ଚନ୍ଦନପୁର, ନିତେଇ, ପଥୁରୀ, କଳାବାଡିଆ, କତରା ନିକଟସ୍ଥ ନଦୀଘାଟରେ ବାଲି ଉତ୍ତୋଳନ ହେଉଛି । ସରକାର ରାଜସ୍ବ ହରାଉଥିବା ବେଳେ ମାଫିଆ ମାଲାମାଲ ହେଉଛନ୍ତି । ବେଆଇନ ବାଲି ଉତ୍ତୋଳନ ପାଇଁ ବୁଢ଼ାବଳଙ୍ଗ ଓ କତରା ନଦୀ ଦିଗ ପରିବର୍ତ୍ତନ କଲାଣି । ଯାହାର ପରିଣାମ ଭୋଗୁଛନ୍ତି ଗୋଲାମୁଣ୍ଡାକଟା, ଦଶରାପଦା, ବଣକାଟୀ, କାଳିଆମି, ଜାମଦାପାଳ, ପଥୁରୀ, ନିତେଇ, ନାଫ୍ରି ପଞ୍ଚାୟତର ଲୋକ । ଜନବସତି ଆଡ଼କୁ ନଦୀ ମାଡ଼ି ଆସୁଥିବାରୁ ଏ ସବୁ ପଞ୍ଚାୟତ ନଦୀ ଆଁରେ ପଡ଼ିବା ଅଶାଙ୍କା ଉପୁଜିଲାଣି । ସେହିପରି ଏହି ତହସିଲ ଅଞ୍ଚଳରେ ବେଆଇନ ମୋରମ ଉତ୍ତୋଳନ ସୀମା ଟପିଲାଣି । ଏମିତିକି ଚୋରାରେ ମୋରମ ଉଠାଇ ସରକାରୀ ରାସ୍ତା ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ହେଉଥିବାର ଦେଖାଯାଉଛି । ତେବେ ପ୍ରଶାସନ ପକ୍ଷରୁ ଚୋରା ଲଘୁ ଖଣିଜ ଚାଲାଣ ରୋକିବାକୁ ସବୁ ପ୍ରକାର ଉଦ୍ୟମ ହେଉଛି ଓ ପ୍ରାୟ ସମୟରେ ଚଢ଼ଉ ଜାରି ରହିଛି ବୋଲି ତହସିଲଦାର ସତ୍ୟବାନ ନାୟକ କହିଛନ୍ତି ।
