ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡାଳିରେ ଜମୁଛି ନିର୍ବାଚନ ତାତି, ମୈଦାନରେ ୫ ନୂଆ ମୁହଁ

ହରଭଙ୍ଗା : ବୌଦ୍ଧ ବିଧାନସଭା ନିର୍ବାଚନମଣ୍ଡଳୀର ୯ ନଂ ଜିଲ୍ଲାପରିଷଦ ଜୋନ୍ ଏଥର ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହୋଇଛି । ଚଳିତ ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନରେ ଏହି ଜିଲ୍ଲାପରିଷଦ ଜୋନରୁ ବିଜେଡିରୁ ପ୍ରଭାସିନୀ ଦାସ, ବିଜେପିରୁ ଅରୁପା ଦୀପ, କଂଗ୍ରେସରୁ ରାଜେନ୍ଦ୍ର ଦୀପ, ସି.ପି.ଆଇରୁ ରଞ୍ଜନ ଦଳାଇ ଏବଂ ସ୍ୱାଧିନଭାବେ ପ୍ରଦ୍ୟୁମ୍ନ ଦାସ ଭଳି ୫ ଜଣ ଜିଲ୍ଲାପରିଷଦ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନକୁ ଓହ୍ଲେଇଛନ୍ତି । ଅନୁସୂଚିତ ଜାତି ପାଇଁ ଏହି ଆସନ ସଂରକ୍ଷିତ ରହିଛି । ସବୁଦଳ ଜଣେ ଜଣେ ନୂଆମୁହଁକୁ ଏହି ଆସନରୁ ପ୍ରାର୍ଥୀ କରିଛି । କେବଳ ବିଜେଡି ଏହି ଆସନରୁ ଜଣେ ମହିଳାଙ୍କୁ ପ୍ରାର୍ଥୀ କରିଥିବାବେଳେ ଅନ୍ୟ ୪ଟି ରାଜନୈତିକ ଦଳ ଜଣେ ଜଣେ ପୁରୁଷ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲେଇଛନ୍ତି । କୁଶଙ୍ଗ ପଂଚାୟତର ପୂର୍ବତନ ସରପଂଚ ସ୍ୱର୍ଗତ ଶ୍ରୀରାମ ଦାସଙ୍କ ବୋହୁ ପ୍ରଭାସିନୀ ଦାସ ଏକ ମାତ୍ର ପ୍ରାର୍ଥୀ ରାଜନୈତିକ ପରିବାରରୁ ଆସିଛନ୍ତି । ଗରିବ ପରିବାରର ଅରୁପା ଦୀପକୁ ବିଜେପି ପ୍ରାର୍ଥୀ କରିଛି । ସେହିପରି କଂଗ୍ରେସ ଗରିବ ପରିବାର ରାଜେନ୍ଦ୍ର ଦୀପକୁ ପ୍ରାର୍ଥୀ କରିଥିବାବେଳେ ସି.ପି.ଆଇ ରଞ୍ଜନ ଦଳାଇ ଭଳି ଜଣେ ଗରିବ ପରିବାରର ଯୁବକଙ୍କୁ ପ୍ରାର୍ଥୀ କରିଛି । ୫ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ବିଜେଡିକୁ ଛାଡିଦେଲେ କାହାର ରାଜନୈତିକ ପୃଷ୍ଠଭୂମି ଟାଣଥିବା ସେତେଟା ଜଣାପଡୁନାହିଁ । ହରଭଙ୍ଗା, କୁଶଙ୍ଗ, ଛତ୍ରଙ୍ଗ, ମହାଲ୍ଲିକପଡା, ସଙ୍କୁଲେଇ, ଆଡେଣିଗଡ ଏବଂ ତଳଗାଁ ଭଳି ୭ଟି ପଂଚାୟତକୁ ନେଇ ୯ନଂ ଜିଲ୍ଲାପରିଷଦ ଜୋନ ଗଠିତ ହୋଇଛି । ଏହି ଜୋନରେ ୨୯ ହଜାର ୭୪ ଭୋଟର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ମହାଲ୍ଲିକପଡା ଭଳି ନୂଆ ପଂଚାୟତରୁ ବିଜେଡି ପ୍ରଭାସିନୀକୁ ପ୍ରାର୍ଥୀ କରିଥିବାବେଳେ ଟିକଟ ରେସରୁ କଟିଥିବା ପ୍ରଦ୍ୟୁମ୍ନ ସ୍ୱାଧିନଭାବେ ଏହି ପଂଚାୟତରୁ ପ୍ରାର୍ଥୀ ହୋଇଛନ୍ତି । ସେହିପରି ଶଙ୍କୁଲେଇ ପଂଚାୟତରୁ ବିଜେପି ଅରୁପାଙ୍କୁ ପ୍ରାର୍ଥୀ କରିଥିବାବେଳେ, ଏହି ପଂଚାୟତରୁ କଂଗ୍ରେସ ମଧ୍ୟ ରାଜେନ୍ଦ୍ରକୁ ପ୍ରାର୍ଥୀ କରିଛି । ମାତ୍ର ସି.ପି.ଆଇ ଛତ୍ରଙ୍ଗରୁ ରଞ୍ଜନକୁ ପ୍ରାର୍ଥୀ କରିଥିବା ଜଣାପଡିଛି ।୧୯୯୭ ରୁ ୨୦୨୨ ପର୍ୟ୍ୟନ୍ତ ୫ ଥର ଜିଲ୍ଲାପରିଷଦ ସଭ୍ୟ ନିର୍ବାଚିତ ହୋଇଛନ୍ତି । ସେଥିରୁ ୧୯୯୭ ରେ ଜନତାଦଳ ପକ୍ଷରୁ ମାନଭଞନ ମାଝୀ ପ୍ରଥମ ଜିଲ୍ଲାପରିଷଦ ସଭ୍ୟ ନିର୍ବାଚିତ ହୋଇଥିଲେ । ୨୦୦୨ ରେ କଂଗ୍ରେସର ବାସନ୍ତୀ ମଲ୍ଲିକ ୨୦୦୭ ରେ ବିଜେଡିର ଅଲେଖ ପ୍ରଧାନ, ୨୦୧୨ ରେ କଂଗ୍ରେସର ନମିତା ରାଉତ ଏବଂ ୨୦୧୭ ରେ ସି.ପି.ଆଇ ର ଅବକାଶ ସାହୁ ଏହି ଆସନରୁ ଜିଲ୍ଲାପରିଷଦ ସଭ୍ୟ ନିର୍ବାଚିତ ହୋଇଥିଲେ । ବିଗତ ୫ଟି ଜିଲ୍ଲାପରିଷଦ ନିର୍ବାଚନକୁ ସମୀକ୍ଷା କଲେ ଏହି ଆସନ ସର୍ବାଧିକ ଦୁଇଥର କଂଗ୍ରେସ, ଥରେ ଜନତା ଦଳ, ଥରେ ବିଜେଡି ଏବଂ ଶେଷଥର ସି.ପି.ଆଇ ଅକ୍ତିଆର କରିଥିଲା । ଗତଥର ନିର୍ବାଚନରେ ବିଜେଡିର ସୁଦୃଢ ସଂଗଠନ ସତ୍ୱେ ଏହି ଆସନକୁ ସି.ପି.ଆଇ ହାତେଇ ବିଜେଡି ପ୍ରାର୍ଥୀକୁ ମାତ୍ ଦେଇ ପାଖାପାଖି ୧୭ ଶହ ଭୋଟରେ ବିଜୟୀ ଲାଭକରିଥିଲା । ଚଳିତ ନିର୍ବାଚନରେ ବିଜେଡି ପାଇଁ ଏହି ଆସନ ଅତ୍ୟନ୍ତ ସମ୍ମାନର ପ୍ରଶ୍ନ ହୋଇରହିଛି । ମାତ୍ର ବିଜେଡିକୁ ଟକ୍କର ଦେବା ପାଇଁ ଆସନ ହାତେଇଥିବା ସ.ପି.ଆଇ ମଧ୍ୟ ନିଜ ରଣନୀତି ପ୍ରସ୍ତୁତ କରିଛି । ବିଜେପି ଏବଂ କଂଗ୍ରେସ ମଧ୍ୟ ଆସନ ଅକ୍ତିଆର ପାଇଁ ନିଜର ରଣକୌଶଳ ଆରମ୍ଭ କରିଛନ୍ତି । ମାତ୍ର ଗତଥର ସି.ପି.ଆଇର ଜିଲ୍ଲାପରିଷଦ ବିଜୟୀ ପ୍ରାର୍ଥୀ ଅବକାଶ ସାହୁ ନିଜ ଧର୍ମପନ୍ତ୍ରୀଙ୍କୁ ଛତ୍ରଙ୍ଗରୁ ସରପଂଚ ପ୍ରାର୍ଥୀ କରିଥିବାବେଳେ ତାଙ୍କର ଜିଲ୍ଲାପରିଷଦ ଆସନ ପାଇଁ ସେତେଟା ଆଗ୍ରହଥିବା ଜଣାପଡୁନାହିଁ । ଶାସକ ବିଜେଡି ସବୁଥିରେ ଆଗରେ ଥିବାବେଳେ ଏହାକୁ ମାତଦେବା ପାଇଁ ବିଜେପି ଏବଂ କଂଗ୍ରେସ ମଧ୍ୟ ଜୋରଦାର ଲଢେଇ ପାଇଁ ଆପ୍ରାଣ ଚେଷ୍ଟା ଚଳେଇଛନ୍ତି । ମାତ୍ର ସବୁଠାରୁ ବଡକଥା ହେଲା ଗତ ନିର୍ବାଚନରେ ୬ଟି ପଂଚାୟତରେ ବିଜେଡି ସମର୍ଥୀତ ସରପଂଚ ବିଜୟୀ ହୋଇଥିବାରୁ ଏହି ଆସନରେ ବିଜେଡିର ପଲ୍ଲାଭାରି ରହିଥିବା କୁହାଯାଉଛି । ଆଗକୁ ବିଜେଡିର ରଣନୀତିକୁ ମାତ ପାଇଁ ବିରୋଧୀ କଂଗ୍ରେସ ଏବଂ ବିଜେପି କେଉଁ ରଣକୌଶଳ ଆପଣାଉଛନ୍ତି ତାକୁ ନେଇ ରାଜନୈତିକ ଅଙ୍କକଷା ଜୋରଧରିଛି ।

Leave a Reply

Your email address will not be published. Required fields are marked *