ମୋବାଇଲ ଫୋନ ଆଲୁଅରେ ଅସ୍ତ୍ରୋପଚାର

ବୁର୍ଲା: ବୁର୍ଲା ବଡ଼ ଡାକ୍ତରଖାନା ‘ଭିମ୍‌ସାର’କୁ ଆଜି ପର୍ଯ୍ୟନ୍ତ ୨୪ ଘଣ୍ଟିଆ ବିଦ୍ୟୁତ୍‌ ଯୋଗାଣ ବ୍ୟବସ୍ଥା ହୋଇପାରି ନାହିଁ। ଶୁକ୍ରବାର ସକାଳ ୯ଟାରେ ହଠାତ୍‌ ବିଦ୍ୟୁତ୍‌ ସଂଯୋଗ କଟିଗଲା। ଏଠାରେ ଥିବା ଉଚ୍ଚ କ୍ଷମତାସମ୍ପନ୍ନ ୧୦୦୦ କେଭି କ୍ଷମତା ବିଶିଷ୍ଟ ଜେନେରେଟର ମଧ୍ୟ କାମରେ ଆସିପାରିଲା ନାହିଁ। କାରଣ ସେଥିରୁ ଗୋଟିଏ ହିଁ କେବୁଲ୍‌ର ବ୍ୟବସ୍ଥା ରହିଛି। ଉକ୍ତ କେବୁଲ ଛିଣ୍ଡି ଯାଇଥିବାରୁ ଏଭଳି ଅବ୍ୟବସ୍ଥା ଦେଖାଦେଇଥିଲା। ବିଦ୍ୟୁତ୍‌ ବିଭ୍ରାଟ ଦେଖାଦେବା ପରେ ଡାକ୍ତରମାନେ ଚିନ୍ତାରେ ପଡିଯାଇଥିଲେ। କାରଣ ଅସ୍ତ୍ରୋପଚାର କକ୍ଷରେ ରୋଗୀଙ୍କୁ ନିଶ୍ଚେତକ ଦେଇସାରିବା ପରେ ହଠାତ୍‌ ବିଦ୍ୟୁତ୍‌ ଚାଲିଯିବା ଏବଂ ଜେନେରେଟର କାମ ନ ଦେବାରୁ ଡାକ୍ତରମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ରୋଗୀଙ୍କ ଜୀବନ ପ୍ରତି ବିପଦ ଥିବାରୁ ବାଧ୍ୟହୋଇ ସେମାନେ ମୋବାଇଲ ଫୋନ ଆଲୁଅରେ ଅସ୍ତ୍ରୋପଚାର କରିଥିଲେ।

କେବଳ ସେତିକି ନୁହେଁ, ୩ ଘଣ୍ଟା ଧରି ରୋଗୀମାନେ ଗରମରେ ଛଟପଟ ହୋଇଥିଲେ। ଗତ ଦୁଇ ବର୍ଷ ହେଲା ‘ଭିମ୍‌ସାର’ରେ ମାତ୍ର ଗୋଟିଏ କେବୁଲ ସହାୟତାରେ ବିଦ୍ୟୁତ୍‌ ସଂଯୋଗ ଏବଂ ଜେନେରେଟର ସେଟ୍‌ରୁ ସମଗ୍ର ହସ୍ପିଟାଲକୁ ବିଦ୍ୟୁତ୍‌ ଯୋଗାଣ ବ୍ୟବସ୍ଥା କରାଯାଇଛି। ଭିମ୍‌ସାର କର୍ତ୍ତୃପକ୍ଷଙ୍କ ଦୂରଦୃଷ୍ଟି ଅଭାବରୁ ଆଜି ପର୍ଯ୍ୟନ୍ତ ଅଲଗା କେବୁଲ୍‌ ବ୍ୟବସ୍ଥା କରାଯାଇ ପାରିଲା ନାହିଁ। ରକ୍ଷଣାବେକ୍ଷଣ ଦାୟିତ୍ବରେ ଥିବା ଜିଇଡ଼ି ବିଭାଗୀୟ ଯନ୍ତ୍ରୀ କୌଣସି ପ୍ରତିକାର ବ୍ୟବସ୍ଥା କରୁନାହାନ୍ତି। ଶୁକ୍ରବାର ସକାଳ ୯ଟାରେ ଅସୁସ୍ଥ ଶିଶୁ ଯତ୍ନ କେନ୍ଦ୍ର (ଏସଏନସିୟୁ) ନିକଟରେ ଭୀଷଣ ଶବ୍ଦକରି କେବୁଲ ପୋଡ଼ି ଯାଇଥିଲା ଏବଂ ବିଦ୍ୟୁତ୍‌ ବିଭ୍ରାଟ ଦେଖାଦେଇଥିଲା। ସେପଟେ ଶଲ୍ୟ ବିଭାଗ ଅସ୍ତ୍ରୋପଚାର କକ୍ଷରେ ରୋଗୀଙ୍କୁ ନିଶ୍ଚେତକ ଦିଆଯାଇଥିଲା, ହଠାତ୍‌ ବିଦ୍ୟୁତ୍‌ ବିଭ୍ରାଟ ହେବାରୁ ଡାକ୍ତରମାନେ ବାଧ୍ୟହୋଇ ମୋବାଇଲ ଆଲୁଅରେ ରୋଗୀଙ୍କ ଅସ୍ତ୍ରୋପଚାର କରିଥିଲେ। ଯଦି ସେ ସମୟରେ କୌଣସି ରୋଗୀଙ୍କ ଲାପ୍ରୋସ୍କୋପି ଅସ୍ତ୍ରୋପଚାର ହେଉଥାନ୍ତା, ତା’ହେଲେ ଅନ୍ତରୀଣ ରକ୍ତପ୍ରବାହରେ ରୋଗୀଙ୍କ ମୃତ୍ୟୁ ସମ୍ଭାବନା ରହିଥିଲା।

ସେପଟେ ମସ୍ତିଷ୍କ ଶଲ୍ୟ ବିଭାଗ, କର୍ଣ୍ଣ, ନାସା ଓ ଗଳା ବିଭାଗ, କେନ୍ଦ୍ରୀୟ ଆଇସିୟୁ, ହୃଦ୍‌ରୋଗ ବିଭାଗ, ନବଜାତ ଶିଶୁଯତ୍ନ ଗୃହ ବିଭାଗ ପକ୍ଷରୁ ସମସ୍ତ ଅସ୍ତ୍ରୋପଚାରକୁ ଘୁଞ୍ଚାଇ ଦିଆଯାଇଥିଲା। ଏ ନେଇ ‘ଭିମ୍‌ସାର’ ଅଧୀକ୍ଷକ ପ୍ରଫେସର ଲାଲମୋହନ ନାୟକଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ମାତ୍ର ଗୋଟିଏ କେବୁଲ୍‌ରେ ଉଭୟ ବିଦ୍ୟୁତ୍‌ ଏବଂ ଜେନେରେଟର ସେଟ୍‌ ସଂଯୋଗ ହୋଇଥିବା ତଥା କେବୁଲ୍‌ଟି ପୋଡ଼ି ଯାଇଥିବାରୁ ଏଭଳି ବିଦ୍ୟୁତ୍‌ ବିଭ୍ରାଟ ହୋଇଥିବା କହିଥିଲେ।

Leave a Reply

Your email address will not be published. Required fields are marked *