ଭୁବନେଶ୍ବର : ବିଭିନ୍ନ ନଦୀ, ଡ୍ୟାମ୍, ଜଳପ୍ରପାତ ଆଦିରେ କେଉଁ ଦିନ କେତେ ଜଳ ପ୍ରବାହ ହେଉଛି, କେଉଁ ସ୍ଥିତିରେ ଜଳ ଉତ୍ସଗୁଡ଼ିକ ଅଛି, କେଉଁଠି କେତେ ବର୍ଷା ହେଲା, ବନ୍ୟା ମୁକାବିଲା ପାଇଁ କିପରି ଆଗୁଆ ପଦକ୍ଷେପ ନିଆଯାଇପାରିବ ସେନେଇ ବିଭିନ୍ନ ଜଳଉତ୍ସରେ ସେନ୍ସର ସମେତ ରିଅଲ ଟାଇମ୍ ଡାଟା ଆକ୍ବିଜିସନ୍ ସିଷ୍ଟମ୍ ଲଗାଯାଇଥାନ୍ତା । ଜଳ ସମ୍ପଦ ବିଭାଗର କାର୍ଯ୍ୟାଳୟରେ ସବୁ ଜଳ ଉତ୍ସଗୁଡ଼ିକର ତଥ୍ୟ ମିଳିଥାନ୍ତା । ପଡ଼ୋଶୀ ରାଜ୍ୟ ନଦୀରେ ପାଣି ଛାଡ଼ୁଛି ନା ଛାଡ଼ୁନି, ବର୍ଷା ଦିନେ ଅଦିନିଆ ବନ୍ୟା ପରିସ୍ଥିତି ସୃଷ୍ଟି କରୁଛି କି ନାହିଁ ତା’ର ସବିଶେଷ ତଥ୍ୟ ପାଇଥାନ୍ତା ରାଜ୍ୟ । କେବଳ ଏତିକି ନୁହେଁ ଲୋକ ମନଇଚ୍ଛା ବୋରୱେଲ୍ ଖୋଳିବା ଦ୍ବାରା ଭୂତଳ ଜଳସ୍ତର କମୁଥିବାରୁ କେଉଁ ଅଞ୍ଚଳରେ କେତେ ଜଳସ୍ତର ଅଛି, କେଉଁ ମାସରେ କେତେ ଖସୁଛି ତା’ର ସବୁ ତଥ୍ୟ ଜଳସମ୍ପଦ ବିଭାଗ ଜାଣିପାରିଥାନ୍ତେ ।
ହେଲେ ସବୁଠାରୁ ଅଧିକ ନଦୀ ବିବାଦରେ ଛନ୍ଦି ହୋଇଥିବା ଓଡ଼ିଶା ସରକାରଙ୍କ ଜଳସମ୍ପଦ ବିଭାଗର ଅଧିକାରୀମାନଙ୍କର ଏସବୁ ତଥ୍ୟ ଜାଣିବାକୁ ଆଗ୍ରହ ନାହିଁ କି ଲୋକଙ୍କ ସମସ୍ୟା ସମଧାନ ନେଇ ପଦକ୍ଷେପ ନେବାକୁ ଉତ୍ସାହ ନାହିଁ । ରାଜ୍ୟରେ ରାଷ୍ଟ୍ରୀୟ ଜଳ ବିଜ୍ଞାନ ପ୍ରକଳ୍ପ (ନାସନାଲ୍ ହାଇଡ୍ରୋଲୋଜି ପ୍ରୋଜେକ୍ଟ) ବାଟବଣା ହୋଇଯାଇଛି । ଜାତୀୟ ଜଳବିଜ୍ଞାନ ପ୍ରକଳ୍ପ ୨୦୧୬ ମସିହାରୁ କାର୍ଯ୍ୟକାରୀ ହୋଇଥିବାବେଳେ ମାର୍ଚ୍ଚ ୩୧, ୨୦୨୪ରେ ଏହି ପ୍ରକଳ୍ପର ଅବଧି ସରିବ । ଓଡ଼ିଶା ସରକାର ଏହି ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଜଳଶକ୍ତି ମନ୍ତ୍ରଣାଳୟ ୬ ବର୍ଷ ମଧ୍ୟରେ ୯୧ କୋଟି ୧୫ ଲକ୍ଷ ଟଙ୍କା ଦେଇଥିବାବେଳେ ଜଳସମ୍ପଦ ବିଭାଗ ମାତ୍ର ୧୩ କୋଟି ୬୯ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି । ଏପରିକି ଯେଉଁ ସବୁ ଭିତ୍ତିଭୂମି ଉନ୍ନତି କରିବା କଥା କରିନଥିବାରୁ ଓଡ଼ିଶା ସାରା ଦେଶରେ ୨୬ ତମ ସ୍ଥାନରେ ଅଛି । ଦେଶରେ ୩୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିଲେ ହେଁ ଓଡ଼ିଶାର ସ୍ଥିତି ଦୟନୀୟ । ତେଣୁ ଜୁନ୍ ୩୦, ୨୦୨୨ ସୁଦ୍ଧା ସମସ୍ତ ଯନ୍ତ୍ରାଂଶ କିଣି ତୁରନ୍ତ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାକୁ ଜଳଶକ୍ତି ମନ୍ତ୍ରଣାଳୟ ସଚିବ ପଙ୍କଜ କୁମାର ରାଜ୍ୟ ସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଅନୁ ଗର୍ଗଙ୍କୁ ଚିଠି ଲେଖିଛନ୍ତି ।
ଏହି ଚିଠି ମାଧ୍ୟମରେ ଜଳଶକ୍ତି ମନ୍ତ୍ରଣାଳୟ ଓଡ଼ିଶାର ସ୍ଥିତି କେତେ ଦୟନୀୟ ତାହା ଜଣାଇ ଦେଇଛି । ମନ୍ତ୍ରଣାଳୟ ପକ୍ଷରୁ ଆସିଥିବା ଚିଠିରେ ଆହୁରି କୁହାଯାଇଛି ଯେ, ନଦୀ, ଡ୍ୟାମ୍, ଜଳପ୍ରପାତ ଆଦିର ଜଳ ପରିଚାଳନା ପାଇଁ ୩୧୮ଟି ରିଅଲ୍ ଟାଇମ୍ ଡାଟା ଆକ୍ବିଜିସନ୍ ସିଷ୍ଟମ୍ ଲଗାଯିବାର ଥିଲା । ହେଲେ ଏପର୍ଯ୍ୟନ୍ତ ଗୋଟିଏ ବି ଲାଗିଲାନି । ଭୂତଳ ଜଳ ପରିଚାଳନା ପାଇଁ ଯେତିକି ଯନ୍ତ୍ରାଂଶ ଲାଗିବାର ଥିଲା ତା’ର ଅଧା ଲାଗିଛି । ଦୁଇଟି ସ୍କାଡା ସିଷ୍ଟମ କିଣିବାର ଥିଲେ ହେଁ ଗୋଟିଏ ବି କିଣାଯାଇନି । ଏହାବାଦ୍ ପେଇଜୋମିଟର ନିର୍ମାଣ, ଜଳ ଗୁଣାବତ୍ତା ଉନ୍ନତୀକରଣ ଭିତ୍ତିଭୂମି, ଡାଟା ସେଣ୍ଟର ପରିଚାଳନା ଆଦି ନିର୍ମାଣ ହୋଇନି । ଯଦି ଜୁନ୍ ୩୦ ତାରିଖ ସୁଦ୍ଧା ସମସ୍ତ ଯନ୍ତ୍ରାଂଶ କିଣାନଯାଏ ତେବେ ବଳକା ୭୭ କୋଟି ୪୬ ଲକ୍ଷ ଟଙ୍କା ଫେରାଇବ ବୋଲି କହିଛନ୍ତି ।
ପ୍ରଶ୍ନ ଉଠୁଛି, ମହାନଦୀରୁ ଆରମ୍ଭ କରି ବଂଶଧାରା, ପୋଲାଭରମ୍ ପର୍ଯ୍ୟନ୍ତ ବିବାଦରେ ରାଜ୍ୟ ସରକାର ଫସିଛନ୍ତି । ପଡ଼ୋଶୀ ରାଜ୍ୟ ନାଁରେ ରାଜ୍ୟ ସରକାର ଯେଉଁ ସବୁ ଅଭିଯୋଗ ଆଣୁଛନ୍ତି ତାକୁ କେନ୍ଦ୍ର ସରକାରଙ୍କ ଏହି ଯୋଜନା ମାଧ୍ୟମରେ ପ୍ରମାଣିତ କରିବାର ବାଟଟିକୁ ଆପଣାଉନାହାନ୍ତି କାହିଁକି ? ବିଭାଗୀୟ ଉଦାସୀନତାକୁ ଦାୟୀ କରାଯିବ ନା ଆଉ କିଛି ଏହା ପଛରେ କାରଣ ରହିଛି ? କେବଳ ସେତିକି ନୁହେଁ, ଓଡ଼ିଶାରେ ପ୍ରତିବର୍ଷ ବନ୍ୟା ବ୍ୟାପକ କ୍ଷୟକ୍ଷତି କରୁଛି । ଏହି ବ୍ୟବସ୍ଥା ଦ୍ବାରା ବନ୍ୟା ନିୟନ୍ତ୍ରଣ କରିବା ସହଜ ହୁଅନ୍ତା । ହେଲେ ଏସବୁ ହେଉନାହିଁ କାହିଁକି ?
