ତ୍ରୁଟିପୂର୍ଣ୍ଣ ରେଳ ନିଯୁକ୍ତି ନୀତି ବିରୋଧରେ ରେଳଷ୍ଟେସନ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରେଳବାଇ ନିଯୁକ୍ତି ଆବେଦନକାରୀ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ବାଲେଶ୍ବର : ତ୍ରୁଟିପୂର୍ଣ୍ଣ ରେଳ ନିଯୁକ୍ତି ନୀତି ବିରୋଧରେ ଆଜି ବାଲେଶ୍ବର ରେଳ ଷ୍ଟେସନ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରେଳବାଇ ନିଯୁକ୍ତି ଆବେଦନକାରୀ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଶତାଧିକ ମେଧାବୀ ପ୍ରାର୍ଥୀ ଏଥିରେ ସାମିଲ ହୋଇ କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜିଛନ୍ତି । ଆବେଦନକାରୀଙ୍କ ଅଭିଯୋଗ ଅନୁସାରେ, ରେଳବାଇ ଏନ୍‌ଟିପିସି ଓ ଗ୍ରୁପ୍-ଡି ପଦ ପାଇଁ ଆରଆରବି ଓ ଆରଆରସି ପକ୍ଷରୁ ୨୦୧୯ ଫେବ୍ରୁଆରିରେ ଦରଖାସ୍ତ ଆହ୍ବାନ କରାଯାଇଥିଲା । କରୋନାର ଦ୍ବିତୀୟ ଲହର ସମୟରେ କେବଳ ଗୋଟିଏ ପରୀକ୍ଷା କରାଯାଇ ଫଳ ପ୍ରକାଶିତ ହୋଇଥିଲା, ଯାହାକି ସନ୍ଦେହଜନକ । ଜଣେ ଜଣେ ପ୍ରାର୍ଥୀ ଏକାଧିକ ପଦରେ ଉତ୍ତୀର୍ଣ୍ଣ ହୋଇଥିବାବେଳେ ଅନେକ ମେଧାବୀ ପ୍ରାର୍ଥୀ ଏଥିରୁ ବଞ୍ଚିତ ହୋଇଥିଲେ । ସେହିଭଳି ଗ୍ରୁପ୍‌-ଡି ପଦ ପାଇଁ ଚଳିତ ଜାନୁଆରିରେ ରେଳବାଇ ନିଯୁକ୍ତି ସେଲ୍‌ ୨ଟି ପର୍ଯ୍ୟାୟରେ ପ୍ରିଲିମ୍‌ନାରି ଓ ମେନ୍‌ ପରୀକ୍ଷା ପାଇଁ ଘୋଷଣା କରିଛି । ରେଳବାଇ-ଏନ୍‌ଟିପିସି ପଦ ପାଇଁ ତ୍ରୁଟିଯୁକ୍ତ ଫଳ ପ୍ରକାଶନ ଓ ଗ୍ରୁପ୍-ଡି ପଦ ନିମନ୍ତେ ଦୁଇ ଥର ପରୀକ୍ଷା ବିରୋଧରେ ପ୍ରାର୍ଥୀମାନେ ଦେଶବ୍ୟାପୀ ପ୍ରତିବାଦ ଜାରି ରଖିଛନ୍ତି । ଜାନୁଆରି ୨୫ ରେ ରେଳ ମନ୍ତ୍ରାଳୟ ପ୍ରତିବାଦକାରୀ ପ୍ରାର୍ଥୀଙ୍କୁ ଚାକିରି ନଦେବା, ଦୃଢ କାର୍ଯ୍ୟାନୁଷ୍ଠାନର ଧମକ ଦେବା, ୨୬ ଜାନୁଆରିରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଗ୍ରୁପ୍-ଡି ପାଇଁ ୨୩ ଫେବ୍ରୁଆରିରୁ ପର୍ଯ୍ୟାୟକ୍ରମେ ହେବାକୁ ଥିବା ପରୀକ୍ଷା ବାତିଲ ଘୋଷଣା କରି ଏହାର ତଦାରଖ ପାଇଁ ଏକ କମିଟି ଗଠନ କରିଛନ୍ତି । ରେଳ ମନ୍ତ୍ରାଳୟ ନିଜ ତ୍ରୁଟିକୁ ଘଣ୍ଟ ଘୋଡ଼ାଇବାକୁ ଯେଉଁ ହୀନ ପ୍ରୟାସ କରିଛି ତାର ପ୍ରତିବାଦରେ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ପରେ ବାଲେଶ୍ବର ରେଳ ଷ୍ଟେସନ ପ୍ରବନ୍ଧକ ବିକାଶ ରଂଜନ ବେରାଙ୍କ ଜରିଆରେ ରେଳ ମନ୍ତ୍ରାଳୟ ଓ ବାଲେଶ୍ବର ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଜରିଆରେ ରେଳମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ବିକ୍ଷୋଭ ସମାବେଶରେ ଏଆଇଏସ୍ଏଫ୍‌ର ରାଜ୍ୟ ସଭାନେତ୍ରୀ ସଂଘମିତ୍ରା ଜେନା, ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟ ଶିକ୍ଷକ ସଂଘର ପୂର୍ବତନ ସଭାପତି ଅଜୟ ପଟ୍ଟନାୟକ, ଓଜେଟା ରାଜ୍ୟ କାର୍ଯ୍ୟକାରୀ ସଭାପତି ମନୋଜ କୁମାର କର, ଏଆଇଟିୟୁସିର ଜାତୀୟ ପରିଷଦ ସଦସ୍ୟ ଜୟନ୍ତ ଦାସ ପ୍ରମୁଖ ସାମିଲ ହୋଇଥିଲେ । ଆଗାମୀ ୧୫ ଦିନ ମଧ୍ୟରେ ଦାବି ପୂରଣ ନ ହେଲେ ଆନ୍ଦୋଳନକୁ ରାଜ୍ୟବ୍ୟାପୀ ତୀବ୍ରତର କରାଯିବ ବୋଲି ଚେତାବନୀ ଦିଆଯାଇଛି ।

Leave a Reply

Your email address will not be published. Required fields are marked *