ପ୍ରକଳ୍ପ ବାହାରେ କାର୍ଯ୍ୟ : ଭିଜିଲାନ୍ସ ତଦନ୍ତ ଦାବି

ସୋର : ସରକାରଙ୍କ ଯୋଜନା ଠିକାଦାରଙ୍କ ଲୁଟ ଯେମିତି ଗୋଟିଏ ଟଙ୍କାର ଦୁଇଟି ପାର୍ଶ୍ୱ । ଗୋଟେ ପଟେ ସରକାରଙ୍କ ଯୋଜନା ସାଧାରଣ ଲୋକଙ୍କ ପାଇଁ ଅନ୍ୟପଟେ ପେଟି ଠିକାଦାରଙ୍କ ଲୁଟ ନିଜର ସମ୍ପତି ବଢାଇବା ପାଇଁ । ୟାସ ବାତ୍ୟାର କ୍ଷୟକ୍ଷତି ଆକଳନ ପରେ ସୋର ବ୍ଲକକୁ ୪ କୋଟି ଟଙ୍କା ଉନ୍ନୟନ କାର୍ଯ୍ୟ ଯଥା ରାସ୍ତା ଓ କଲଭଟ (ପୋଲ) ପାଇଁ ପ୍ରଦାନ କରାଯାଇଥିଲା । ପଂଚାୟତ ନିର୍ବାଚନ ଆଚରଣ ବିଧି ପୂର୍ବରୁ ୨୪ ପଂଚାୟତରେ ଏହି ଅର୍ଥରେ କିଛି ପ୍ରକଳ୍ପର କାମ ଆରମ୍ଭ ହୋଇସରିଛି । ତେବେ ଏ ସମସ୍ତ କାର୍ଯ୍ୟର କାର୍ଯ୍ୟାଦେଶ ବିଭିନ୍ନ ଜେଇ ମାନଙ୍କ ନାମରେ ରହିଥିବା ବେଳେ କାଁ ଭାଁ କାମ କିଛି ଗ୍ରାମର ଯୁବକ କରିଛନ୍ତି । ହେଲେ ଅଧିକ କାମ ଗାଁ ଟାଉଟର ଓ ପେଟି କଣ୍ଟ୍ରାକ୍ଟର କରି ମାଲେ ମାଲ ହୋଇଛନ୍ତି । ଯାହାର ଜ୍ୱଳନ୍ତ ଉଦାହରଣ ଭାବେ ଗୋଟିଏ ରାସ୍ତା କାମକୁ ନିଆଯାଇପାରେ । ସୋର ଅନନ୍ତପୁର ପୂର୍ତ୍ତବିଭାଗ ରାସ୍ତା ଠାରୁ ବାଳଙ୍ଗ ପଂଚାୟତ, ସିମୁଳିଆ ଗାଁର ଚାଉଳି ପୋଖରୀ ଯାଏ ରାସ୍ତା ଓ କଲର୍ଭଟ ନିର୍ମାଣ ପାଇଁ ୟାସ ବାତ୍ୟା ପାଣ୍ଠିରୁ ୧ ଲକ୍ଷ ୫୦ ହଜାର ଟଙ୍କା ମଞ୍ଜୁର ହୋଇଥଲା । ଗ୍ରାମବାସୀଙ୍କ କହିବା ମୂଳେ ବର୍ଷାଦିନେ ସେଇ ରାସ୍ତାରେ ଥିବା ପୁରୁଣା କଲଭଟରେ ପାଣି ନିସ୍କାସନ ନହେବାରୁ ପାଖାପାଖି ୧୦ ରୁ ୨୦ ଏକର ଚାଷ ଜମି ଜଳମଗ୍ନ ହୋଇରହୁଛି ଯାହାକୁ ଆଖୀଆଗରେ ରଖୀ ଏଇ କଲଭଟ ନିର୍ମାଣ ପାଇଁ ଗ୍ରାମବାସୀ ଦାବି କରିଆସୁଥିଲେ, ପରେ କଲଭଟ ନିର୍ମାଣ ପାଇଁ ପ୍ରକଳ୍ପ ଆସିଥିଲେ ବି ସମ୍ପୃକ୍ତ ଠିକାଦାର ତାହା ନକରି ବଡ ଚତୁରତାର ସହ ଏକ ଅନାବଶ୍ୟକ ସ୍ଥାନରେ ନିମ୍ନ ମାନର ରାସ୍ତା କରି ବିଲ ଉଠାଇ ନେଇଥିବା ଶୁଣା ଯାଉଛି । ଏ ବାବଦରେ ସୋର ବ୍ଲକ କନିଷ୍ଠ ଯନ୍ତ୍ରୀ ମୋନାଲିସା ପତିଙ୍କୁ ପଚାରିବାରୁ ସେ କହିଛନ୍ତି କିଛି ବିଲ ହୋଇନି ସେଠି କଲଭଟ ହେବ ଯାହା ଲୋକଙ୍କର ଦରକାର । ଅନ୍ୟପଟେ ଗ୍ରାମବାସୀ ଦୁର୍ନୀତି ନିବାରଣ ବିଭାଗ ତଦନ୍ତ କଲେ ଏଇ ଗୋଟିଏ ରାସ୍ତା ନୁହଁ ଆହୁରି ବହୁ ପ୍ରକଳ୍ପରେ ଏଭଳି ହେରଫେର ହୋଇଥିବା ଜଣାପଡିବ ।

Leave a Reply

Your email address will not be published. Required fields are marked *