ପୁରୀ : ଶବ ସତ୍କାର ନେଇ ସ୍ୱର୍ଗଦ୍ୱାରରୁ ହଟିଲା କଟକଣା । ପୁରୀ ଜିଲ୍ଲା ବାହାରର ଶବ ସଂସ୍କାର ପାଇଁ ମିଳିଲା ଅନୁମତି । ଏଣିକି ଅଣ କୋଭିଡ୍ ମୃତ ବ୍ୟକ୍ତିଙ୍କ ଶବସତ୍କାର ସ୍ୱର୍ଗଦ୍ୱାରରେ କରାଯାଇପାରିବ । ତେବେ କେବଳ ୧୦ ଜଣଙ୍କ ଉପସ୍ଥିତିରେ ଶବ ସତ୍କାର ପାଇଁ ଅନୁମତି ପ୍ରଦାନ କରାଯାଇଛି । ଏହାପୂର୍ବରୁ ରାଜ୍ୟରେ ସଂକ୍ରମଣ ବୃଦ୍ଧି ଦେଖି ପୁରୀ ଜିଲ୍ଲା ପ୍ରଶାସନ ସ୍ୱର୍ଗଦ୍ୱାରରେ ଶବ ସତ୍କାର ନେଇ କଟକଣା ଜାରି କରିଥିଲା । ଜିଲ୍ଲା ବାହାରର ଶବକୁ ସ୍ୱର୍ଗଦ୍ୱାରରେ ସତ୍କାର କରାଯାଇପାରିବ ନାହିଁ ବୋଲି କୁହାଯାଇଥିଲା, ହେଲେ ଏବେ ସଂକ୍ରମଣ କମିବା ପରେ ଏହି କଟକଣାକୁ ହଟାଇ ଦିଆଯାଇଛି । ଅନ୍ୟପଟେ ଆଜି ବସି ଛତିଶା ନିଯୋଗ ବୈଠକ । ଭିଡିଓ କନଫରେନସିଂ ମାଧ୍ୟମରେ ବସିବ ବୈଠକ । ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ, ଏସପି, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ, ସମସ୍ତ ସେବାୟତ, ନିଯୋଗର କର୍ମକର୍ତ୍ତା ଓ ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହିବେ । ଶ୍ରୀମନ୍ଦିର ଖୋଲିବା ଉପରେ ନିଆଯାଇପାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । କୋଭିଡ୍ ସଂକ୍ରମଣ ପ୍ରସଙ୍ଗରେ ମଧ୍ୟ ହେବ ବିସ୍ତୃତ ଆଲୋଚନା । ଜାନୁୟାରୀ ୧୦ ରୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି ।
