ନାସାରେ କେନ୍ଦ୍ରାପଡ଼ାର ଝିଅ ଓଁନାରାୟଣୀଙ୍କ କୀର୍ତ୍ତିମାନ

କଣ୍ଡିଆହାଟ : ଆମେରିକା ଅନ୍ତରୀକ୍ଷ ସଂସ୍ଥାନ ନାସା ମହାକାଶ ଗବେଷଣା କ୍ଷେତ୍ରରେ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି କେନ୍ଦ୍ରାପଡ଼ା ଜିଲା ରାଜକନିକା ଅଞ୍ଚଳର ଝିଅ ଓଁନାରାୟଣୀ ନାୟକ। ସର୍ବବୃହତ୍‌ ଦୂରବୀକ୍ଷଣ ଯନ୍ତ୍ର ‘ଜେମ୍ସ ୱେବ୍’କୁ ସଫଳତାର ସହିତ ମହାକାଶକୁ ପ୍ରେରଣ କରିବାରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଫେଞ୍ଚ ଗୁଏନାସ୍ଥିତ କୋରଉ ଲଞ୍ଚ ଷ୍ଟେସନରୁ ଏରିୟନ-୫ ଇସିଏ ରକେଟ ମାଧ୍ୟମରେ ଏହାର ଉତ୍‌କ୍ଷେପଣ ହୋଇଛି । ଏହି ଟେଲିସ୍କୋପ ପୂର୍ବରୁ ମହାକାଶରେ କାର୍ଯ୍ୟ କରୁଥିବା ‘ହବଲ’ ଠାରୁ ଅନେକ ପରିମାଣର ବଡ଼ ଓ ଅଧିକ ଦକ୍ଷତାର ସହିିତ କାର୍ଯ୍ୟକରିବ ବୋଲି କୁହାଯାଉଛି ।  ଏହା ସୂର୍ଯ୍ୟଠାରୁ ଦୂର ଓ ପୃଥିବୀର ଅନ୍ଧକାର ଦିଗରେ ଅବସ୍ଥାନ କରିବା ସହ ବ୍ରହ୍ମାଣ୍ଡ ସୃଷ୍ଟିର ରହସ୍ୟ ଠାବ କରିବ । ଜେମ୍ସ ୱେବ୍ ସ୍ପେସ୍‌ ଟେଲିସ୍କୋପ ମୋଟ ୧୪ ଟି ରାଷ୍ଟ୍ରର ୧୦ ହଜାରରୁ ଅଧିକ ବୈଜ୍ଞାନିକଙ୍କ ଦ୍ବାରା ନିର୍ମିତ । ଏଥିରେ ଓଁନାରାୟଣୀ ସାମିଲ ଥିଲେ । ଓଁନାରାୟଣୀ ହାଟସାହି ଅଞ୍ଚଳର ବିରଞ୍ଚି ନାରାୟଣ ନାୟକଙ୍କର ଏକମାତ୍ର କନ୍ୟା । ସେ ରାଜକନିକା ପଞ୍ଚାୟତ ସମିତିର ପ୍ରାକ୍ତନ ଅଧ୍ୟକ୍ଷ ଅଲେଖ ନାୟକ ଓ ଇନ୍ଦୁମତୀ ନାୟକଙ୍କର ନାତୁଣୀ ଅଟନ୍ତି । ପିଲାଟି ଦିନରୁ ମେଧାବୀ ଛାତ୍ରୀ ଭାବେ ତାଙ୍କର ସୁନାମ ଥିଲା । ତାଙ୍କର ଏହି ସଫଳତାରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ସମ୍ପ୍ରତି ସେ ନାସାରେ ବୈଜ୍ଞାନିକ ଭାବେ କାର୍ଯ୍ୟରତ ।

Leave a Reply

Your email address will not be published. Required fields are marked *