ଜଙ୍ଗଲ ଭିତରେ ଚାଲିଛି ବେଧଡକ ଦେଶୀ ମଦ କାରଖାନା, ସବୁ ଜାଣି ବି ପ୍ରଶାସନ ଚୁପ

ଖଣ୍ଡପଡା : ଅବକାରୀ ବିଭାଗକୁ ମଦ ମାଫିଆଙ୍କ ଖୋଲା ଚାଲେଞ୍ଜ । ଜଙ୍ଗଲ ଭିତରେ ଚାଲିଛି ବେଧଡକ ଦେଶୀ ମଦ କାରଖାନା । ବିଭାଗ ପାଖରେ ଖବର ଥାଇ ମଧ୍ୟ ସବୁ ଜାଣିଶୁଣି ଚୁପ । ସେପଟେ ମଦ କାରବାର ବନ୍ଦ କରିବାକୁ ବିଭିନ୍ନ ଆଡୁ ହେଉଛି ଦାବି । ନୟାଗଡ ଜିଲ୍ଲା ଖଣ୍ଡପଡାର ବିଭିନ୍ନ ଅଞ୍ଚଳଗୁଡିକରେ ବ୍ୟାପକ ଦେଶୀ ମଦ କାରବାର ବୃଦ୍ଧି ପାଉଥିବା ବେଳେ ପ୍ରଶାସନ ସବୁ ଜାଣିଶୁଣି ଚୁପ୍ ବସିଥିବା ଅଭିଯୋଗ ହେଉଛି । ଖଣ୍ଡପଡା ଅଞ୍ଚଳର ବିଭିନ୍ନ ଜଙ୍ଗଲ ଗୁଡିକରେ ମାଫିଆମାନେ ଚୋରା ମଦ ତିଆରି କରି ବାହାରେ ବିକ୍ରି କରୁଥିବା ଦେଖାଦେଇଛି । ତେବେ ଜନବସତି ଠାରୁ ଦୂରରେ ଥିବା  ସହ ପର୍ଯ୍ୟାପ୍ତ ପରିମାଣର ଜାଳ କାଠ ଓ ପାଣି ମହଜୁତ ଥିବା ହେତୁ  ମାଫିଆମାନେ ଜଙ୍ଗଲକୁ ମଦ କାରଖାନା ବସାଇବା ପାଇଁ ବାଛିଥାନ୍ତି । ଗୁଡ, ୟୁରିଆ ଭଳି ପଦାର୍ଥ ସବୁ ବ୍ୟବହାର କରି ପୋଚ ତିଆରି କରି ସେହି ପୋଚରୁ ମଦ ପ୍ରସ୍ତୁତ କରିଥାନ୍ତି ମାଫିଆ । ତେବେ ଦୀର୍ଘ ଦିନ ହେବ ବିଭିନ୍ନ ଜଙ୍ଗଲମାନଙ୍କରେ ମଦ ମାଫିଆମାନେ ଚୋରା ଦେଶୀ ମଦ ପ୍ରସ୍ତୁତି କରିଆସୁଥିବାବେଳେ ପ୍ରଶାସନ ସବୁ ଜାଣିଶୁଣି ଚୁପ ବସିଥିବା ଅଭିଯୋଗ ହୋଇଛି । ଅବକାରୀ ବିଭାଗ ହେଉ ବା ବନ ବିଭାଗ କେହି ହେଲେ ବି ଚୋରା ମଦ ତିଆରିକୁ ରୋକିବା ଦିଗରେ ପଦକ୍ଷେପ ନେଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ସେପଟେ ତିଆରି କରାଯାଉଥିବା ମଦଗୁଡିକରେ ୟୁରିଆ ଭଳି ରାସାୟନିକ ମିଶାଯାଉଥିବାରୁ ଏହା ଶରୀରରେ ସିଧାସଳଖ ପ୍ରଭାଇବ ପକାଇ ପରେ ବୋଲି ମଧ୍ୟ ଆଶଙ୍କା ଦେଖାଦେଇଛି । ଖଣ୍ଡପଡାର ବିଭିନ୍ନ ଛକମାନଙ୍କରେ ଚୋରା ମଦ ବିକା ଯାଉଥିବାବେଳେ ପ୍ରଶାସନ କିନ୍ତୁ ନିରବଦ୍ରଷ୍ଟା ସାଜିଛି । ମଦ ନିର୍ମାଣ ପାଇଁ ସରକାରଙ୍କର ସ୍ବୀକୃତି ପ୍ରାପ୍ତ ଅନୁଷ୍ଠାନ ଥିବାବେଳେ ଚୋରା ମଦର ବ୍ୟାପକ ବ୍ୟବହାର ଯୋଗୁଁ ରାଜସ୍ୱ ହାନି ହେବା ସହ ମଦମୃତ୍ୟୁକୁ ମଧ୍ୟ ଏଡାଇ ନ ଯାଇପାରେ । ତେବେ ତୁରନ୍ତ ଚୋରା ଦେଶୀ ମଦ କାରବାରକୁ ରୋକିବା ପାଇଁ ପଦକ୍ଷେପ ନେବାକୁ ଦାବି ହେଉଛି ।

Leave a Reply

Your email address will not be published. Required fields are marked *