ନୀଳଗିରି : ବାଲେଶ୍ଵର ଜିଲ୍ଲା ନୀଳଗିରି ନିର୍ଵାଚନ ମଣ୍ଡଳୀର ପୂର୍ବତନ ଯୁବ ବିଜେଡି ସଭାପତି ସବ୍ୟସାଚୀ ମହାପାତ୍ରଙ୍କ ଉପରୁ ହଟିଲା ନିଲମ୍ବନ ଆଦେଶ । ଜିଲ୍ଲା ସଭାପତି ରବୀନ୍ଦ୍ର କୁମାର ଜେନାଙ୍କ ନିର୍ଦ୍ଦେଶରେ ପ୍ରତ୍ୟାହାର ହୋଇଥିବା ବେଳେ ବିଜେଡି ନେତା ସନ୍ତୋଷ ଖଟୁଆ ନୀଳଗିରି ବିଜେଡି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମଳନୀ ଜରିଆରେ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଗତ ୨୦୨୧ ମସିହା ଜୁଲାଇ ମାସ ୨୪ ତାରିଖରେ ଦଳ ବିରୁଦ୍ଧରେ ଅରୁଚିକର ମନ୍ତବ୍ୟ ଓ ବିଶୃଙ୍ଖଳା ଆଚରଣ ପାଇଁ ସବ୍ୟସାଚୀ ମହାପାତ୍ରଙ୍କୁ ନିର୍ବାଚନ ମଣ୍ଡଳୀ ନେତା ଓ ବରିଷ୍ଠ ନେତାଙ୍କ ନିଷ୍ପତ୍ତି କ୍ରମେ ଦଳ ବିଜେଡି ଜିଲ୍ଲା ସଭାପତି ତାଙ୍କୁ ନିଲମ୍ବିତ କରିଥିଲେ । ପରେ ସେ ନିଜସ୍ୱ ଶିଶିର ମହାପାତ୍ର ଫାଉଣ୍ଡେସନ ନାମରେ ସଂଗଠନ କରିଥିଲେ । କାଳକ୍ରମେ ତାଙ୍କର ଲୋକପ୍ରିୟତା ବୃଦ୍ଧି ପାଇଥିବା ବେଳେ ଚଳିତ ପଞ୍ଚାୟତ ନିର୍ବାଚନରେ ବିଭିନ୍ନ ସ୍ଥାନରେ ସରପଞ୍ଚ, ସମିତିସଭ୍ୟ, ୱାର୍ଡମେମ୍ବର ଓ ୨ ନମ୍ବର ଜୋନରେ ଜିଲ୍ଲାପରିଷଦ ପ୍ରାର୍ଥୀ ଦେଇଛନ୍ତି । ତେବେ ବିଜେଡି ଦଳ ତାଙ୍କ ପାଇଁ ବହୁ କ୍ଷତି ହେବା ମଧ୍ୟ ଜଣାପଡିଥିଲା । ତେଣୁ ଆଜି ତାଙ୍କୁ ଦଳକୁ ଫେରାଇ ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାକୁ ଚାପ ପକାଯାଇଥିବା ଜଣାପଡିଛି । ତେବେ ଏଭଳି ଘଟଣାକୁ ନେଇ ନୀଳଗିରିରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି ।
