ଲାଞ୍ଜିଗଡ଼ : ଲାଞ୍ଜିଗଡ଼ରେ ଜଳ ସଙ୍କଟ ଦେଖାଦେଇଛି । ଆଜିକୁ ୧୫ ଦିନ ହେଲା ଜଳ ଯୋଗାଣ ବନ୍ଦ ହୋଇଥିବାରୁ ଲାଞ୍ଜିଗଡର ବିଭିନ୍ନ ପଡ଼ାରେ ପାନୀୟ ଜଳ ପାଇଁ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ସେହିପରି ସବୁଠାରୁ ପାନୀୟ ଜଳର ମୁଖ୍ୟ ସମସ୍ୟା ଦେଖା ଦେଇଛି ଲାଞ୍ଜିଗଡ଼ ପୂଜାରୀ ପଡ଼ା ଓ କଲୋନୀ ପଡ଼ାରେ । ଏହି ଦୁଇ ଗୋଟି ପଡ଼ାରେ ୧୬ ଶହରୁ ଅଧିକ ଲୋକ ବସବାସ କରୁଥିବା ବେଳେ ୧୫ ଦିନ ହେଲା ଜଳଯୋଗାଣ ବନ୍ଦ ରହିଛି । ଫଳରେ ଏହି ପଡାବାସୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ୨୦୧୦ ମସିହାରେ ଲାଞ୍ଜିଗଡ ନିକଟରେ ଥିବା ବଂଶଧାରା ନଦୀରୁ ପାଣି ଯୋଗାଣ ପାଇଁ ଲାଞ୍ଜିଗଡ ସହରକୁ ପାଇପ ବିଛା ଯାଇଛି । ହେଲେ ନିମ୍ନ ମାନର ପାଇପ ଓ କାମ ଯୋଗୁଁ ସେସବୁ ବାରମ୍ବାର ଫାଟି ଯାଉଥିବା ଫଳରେ ବିଭିନ୍ନ ସମୟରେ ମାସ ମାସ ଧରି ଜଳ ଯୋଗାଣରେ ବାଧାପ୍ରାପ୍ତ ହେଉଛି । ବର୍ତ୍ତମାନ ପୂଜାରୀପଡା ଓ କଲୋନୀପଡା ଲୋକେ ପାନୀୟ ଜଳ ପାଇଁ ଲାଞ୍ଜିଗଡ ବଂଶଧାରା ନଦୀରୁ ପାଇପ ଯୋଗେ ଆସୁଥିବା ପାଣି ଉପରେ ନିର୍ଭର କରିଥାନ୍ତି । ଏହି ଦୁଇ ଗୋଟି ପଡ଼ାରେ ୪ ଗୋଟି ନଳକୂପ ଥିଲେ ମଧ୍ୟ ପଡ଼ାବାସୀଙ୍କ ବ୍ୟବହାର ପାଇଁ ନଳକୂପ ନିକଟରେ ଘଣ୍ଟା ଘଣ୍ଟା ଧରି ପଡାବାସୀଙ୍କୁ ଅପେକ୍ଷା କରୁଥିଲେ ମଧ୍ୟ ପାଣି ପାଇବା ସମ୍ଭବ ହେଉନାହିଁ । ବାରମ୍ବାର ଏହି ପାଇପ ଲାଇନ ଫାଟି ଯିବା ଫଳରେ ମାସକୁ କଷ୍ଟେ ମଷ୍ଟେ ଏକ ସପ୍ତାହ ଲୋକେ ପାଣି ବ୍ୟବହାର କରୁଛନ୍ତି । ଚଳିତ ମାସ ୨ ତାରିଖରେ ପୁଣି ଲାଞ୍ଜିଗଡ଼ ଏଟିଏମ ଛକ ନିକଟରେ ପାଇପ ଫାଟି ରାସ୍ତା ଉପରେ ପାଣି ପ୍ରଭାବିତ ହେଉଥିବା ଯୋଗୁଁ ଅତିଶୀଘ୍ର ଏହାର ମରାମତି କରିବା ପାଇଁ ଲୋକେ ଅଭିଯୋଗ କରିଥିଲେ । ଏନେଇ ବ୍ଳକ ଜଳଯୋଗାଣ ଦାଇତ୍ୱରେ ଥିବା ଯନ୍ତ୍ରୀ ଦଶମନ୍ତ ମାଝୀଙ୍କୁ ମଧ୍ୟ ବାରମ୍ବାର ଅଭିଯୋଗ କରିଥିଲେ । କିନ୍ତୁ ଏହି ଅଭିଯୋଗ ପରେ ସେହିଦିନ ଠାରୁ ଲାଞ୍ଜିଗଡ଼ ଜଳ ଯୋଗାଣ ଆଜିକୁ ପ୍ରାୟ ୧୫ ଦିନ ହେଲା ବନ୍ଦ ହୋଇଯାଇଛି । ଜଳଯୋଗାଣକୁ ନେଇ ପଞ୍ଚାୟତ ଓ ବ୍ଲକ କର୍ତ୍ତୃପକ୍ଷକୁ ଅଭିଯୋଗ କରିବା ନିତି ଦିନିଆ ଘଟଣା ହୋଇଛି ବୋଲି ଲାଞ୍ଜିଗଡ଼ ସହର ବିଭିନ୍ନ ପଡାବାସୀ ଅଭିଯୋଗ କରିଛନ୍ତି । ଏସମ୍ପର୍କରେ ଲାଞ୍ଜିଗଡ଼ ବ୍ଲକ ଜଳଯୋଗାଣ ଦାୟିତ୍ୱରେ ଥିବା ଯନ୍ତ୍ରୀ ଦଶମନ୍ତ ମାଝୀଙ୍କୁ ପଚାରିବାରୁ ବାରମ୍ବାର ପାଇପ ଫାଟିବା ଯୋଗୁଁ ଲୋକଙ୍କ ଅଭିଯୋଗ ପରେ ମୁଁ ପାଣି ବନ୍ଧ କରିବା ପାଇଁ କହିଥିଲି । ଆମ ପାଖରେ ମରାମତି ପାଇଁ ସାମଗ୍ରୀ ନଥିଲା । ବର୍ତ୍ତମାନ ସାମଗ୍ରୀ ଆସିଯାଇଛି । ଆସନ୍ତା କାଲି ଫାଟି ଥିବା ପାଇପଗୁଡିକୁ ଓଲଡିଂ କରିବା ପରେ ଲାଞ୍ଜିଗଡ଼ ସହରକୁ ପାଣି ଛଡାଯିବ ବୋଲି ପ୍ରକାଶ କରିଥିଲେ ।
