ଭୁବନେଶ୍ବର : ରାଜ୍ୟରେ ଶୀତ ପ୍ରକୋପ ବଢ଼ୁଛି । ପ୍ରବଳ ଜାଡ଼ରେ ଥରୁଛି ଦାରିଙ୍ଗବାଡ଼ି । ଅପରାହ୍ଣରୁ ଶୀତ ପଡ଼ିବା ଆରମ୍ଭ ହେଉଛି । ସକାଳ ୮ ଟା ଯାଏଁ ଶୀତ ଲାଗି ରହୁଛି । ଦାରିଙ୍ଗବାଡ଼ିରେ ପାରଦ ତଳ ମୁହାଁ ହୋଇଛି । କେବଳ ଦାରିଙ୍ଗବାଡ଼ି ନୁହେଁ ଫୁଲବାଣୀ ଏବଂ ବାଲିଗୁଡ଼ାରେ ମଧ୍ୟ ପ୍ରବଳ ଥଣ୍ଡା ପଡୁଛି । ରାତିରେ ବାହାରିବା କଷ୍ଟଦାୟକ ହୋଇ ପଡୁଛି । ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଆଗକୁ ଆହୁରି ଶୀତ ବଢ଼ିବ । ଉତ୍ତର-ପଶ୍ଚିମ-ଉତ୍ତର ଦିଗରୁ ଓଡ଼ିଶା ମଧ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହ କରୁଥିବାରୁ ଆଗାମୀ ୪ ରୁ ୫ ଦିନ ଯାଏଁ ସର୍ବନିମ୍ନ ତାପମାତ୍ର ୨ ରୁ ୩ ଡିଗ୍ରୀ ଯାଏଁ ତଳକୁ ଖସିବ । ଗତ ୨୪ ଘଣ୍ଟା ମଧ୍ୟରେ ରାତି ତାପମାତ୍ରା ୧ ରୁ ୨ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବା ଦ୍ବାରା ୧୯ ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ତଳକୁ ଖସି ଆସିଛି । ଉପରୋକ୍ତ ସ୍ଥାନ ଗୁଡ଼ିକରେ ପ୍ରବଳ ଜାଡ଼ ଅନୁଭୂତ ହେଉଛି । ପାହାଡ଼ିଆ ଅଞ୍ଚଳ ମଧ୍ୟରେ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୭.୫ ଡିଗ୍ରୀ ରେକର୍ଡ କରାଯାଇ ଥିବାବେଳେ ସମତଳ ଅଞ୍ଚଳ ମଧ୍ୟରେ ଫୁଲବାଣୀରେ ପାରଦ ୧୦ ଡିଗ୍ରୀ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଝାରସୁଗୁଡ଼ାରେ ୧୦.୮ ଡିଗ୍ରୀ, କେନ୍ଦୁଝରରେ ୧୧.୨ ଡିଗ୍ରୀ, ସୁନ୍ଦରଗଡ଼ରେ ୧୨ ଡିଗ୍ରୀ, ସୋନପୁରରେ ୧୨.୪ ଡିଗ୍ରୀ, ଭବାନୀପାଟଣାରେ ୧୨.୯ ଡିଗ୍ରୀ, ବାଲେଶ୍ୱରରେ ୧୪.୬ ଡିଗ୍ରୀ, ଚାନ୍ଦବାଲିରେ ୧୩.୬ ଡିଗ୍ରୀ, କଟକରେ ୧୪.୫ ଡିଗ୍ରୀ, ଭୁବନେଶ୍ୱରରେ ୧୪.୫ ଡିଗ୍ରୀ, ଅନୁଗୋଳରେ ୧୪.୬ ଡିଗ୍ରୀ, ବାରିପଦା, ତାଳଚେର ଏବଂ ସମ୍ୱଲପୁରରେ ୧୪ ଡିଗ୍ରୀ, ହୀରାକୁଦରେ ୧୩.୨ ଡିଗ୍ରୀ, ବଲାଙ୍ଗୀରରେ ୧୩.୬ ଡିଗ୍ରୀ, କୋରାପୁଟରେ ୧୩.୮ଡିଗ୍ରୀ ଏବଂ ଟିଟିଲାଗଡ଼ରେ ୧୧.୩ ଡିଗ୍ରୀ ରାତି ତାପମାତ୍ରା ରେକର୍ଡ କରାଯାଇଛି । ଫୁଲବାଣୀରେ ଘନକୁହୁଡ଼ି ଦୃଶ୍ୟମାନ ହୋଇଥିବାବେଳେ ମାଲକାନଗିରି ଓ କୋରାପୁଟର କେତେକ ଅଞ୍ଚଳରେ ହାଲୁକା କୁହୁଡ଼ି ଦେଖିବାକୁ ମିଳିଛି । ଉପକୂଳ ଓଡ଼ିଶାରେ ରାତି ତାପାମାତ୍ରା ୦.୫ ରୁ ୧.୫ ଡିଗ୍ରୀ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ୦.୫ ରୁ ୨ ଡିଗ୍ରୀଯାଏ ତଳକୁ ଖସିଛି ।
