ବେଗୁନିଆ : ବେଗୁନିଆରେ ଅବସ୍ଥିତ ଗ୍ରାମ୍ୟ ଜଳଯୋଗାଣ କନିଷ୍ଠ ଯନ୍ତ୍ରୀଙ୍କ କାର୍ୟ୍ୟାଳର ପାଚେରୀ ବିଭିନ୍ନ ସ୍ଥାନରେ ଫାଟି ଆଁ କରି ବିପଦଜନକ ଅବସ୍ଥାରେ ରହିଥିବାବେଳେ ତାର ମରାମତି କରାନଯାଇ ପ୍ରତିବର୍ଷ ସେହି ଭଙ୍ଗା ଦଦରା କାନ୍ଥରେ ରଙ୍ଗ କରିବାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ଗତ ବର୍ଷ ଏହି କାର୍ୟ୍ୟାଳୟରେ ଥିବା ଘର, ଟାଙ୍କି, ପ୍ରାଚୀର, ପମ୍ପ ହାଉସ ଏବଂ ଓଭରହେଡ ଟାଙ୍କି ସହିତ ବ୍ଲକର ବିଭିନ୍ନ ସ୍ଥାନରେ ଥିବା ଓଭରହେଡ ଟାଙ୍କି, ପମ୍ପ ହାଉସଗୁଡିକ ରଙ୍ଗ କରାଯାଇଥିଲା ।ଏପରିକି ବିଭିନ୍ନ ସ୍ଥାନରେ ଥିବା ପାଚେରୀ ଫାଟି ଆଁ କରିଥିବାବେଳେ କେଉଁଠାରେ ଓଭରହେଡ ଟାଙ୍କି ଫାଟି ପାଣି ଲିକ କରୁଛି । ସେଗୁଡିକ ମରାମତି କରାନଯାଇ କେବଳ ପ୍ରତିବର୍ଷ ରଙ୍ଗ ବଦଳା ଯାଉଛି । ମରାମତି କାର୍ଯ୍ୟ ଠାରୁ ରଙ୍ଗ ମରା କାର୍ଯ୍ୟରେ ଲାଭ ବେଶୀ ବୋଲି ଠିକାଦାରମାନଙ୍କ ଠାରୁ ଶୁଣିବାକୁ ମିଳୁଛି । ଏହି କାର୍ଯ୍ୟାଳୟରେ ପ୍ରତିବର୍ଷ ଭଙ୍ଗାଗଢା କାର୍ଯ୍ୟ ଚାଲିଥିବାବେଳେ ଆଜି ପର୍ଯ୍ୟନ୍ତ କାର୍ଯ୍ୟାଳୟରେ ନାମ ଫଳକଟିଏ ଲାଗିପାରି ନାହିଁ । ଫଳରେ ଲୋକମାନେ କାର୍ଯ୍ୟାଳୟର ଅବସ୍ଥିତି କେଉଁଠାରେ ଜାଣି ନପାରି ଅନେକ ସମୟରେ ହଇରାଣ ହେଉଛନ୍ତି । ଏ ସଂକ୍ରାନ୍ତରେ ଜାଣିବା ପାଇଁ ସହକାରୀ ଯନ୍ତ୍ରୀଙ୍କୁ ବାରମ୍ବାର ଫୋନ କରାଯାଇଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇନଥିଲା ।
