ଭୋଟର ଲିଷ୍ଟରେ ନାମ ନ ଥିବାରୁ ନାମାଙ୍କନ ପତ୍ର ଦାଖଲ କରିପାରିଲେନି ପ୍ରାର୍ଥୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ମୋହନା : ସ୍ଥାନୀୟ ବ୍ଳକର ପ୍ରାୟ ୨୨ଟି ପଞ୍ଚାୟତରେ ଭୋଟରଙ୍କ ନାମ ବାଦ ପଡିବା, ଆଶାୟୀ ପ୍ରାର୍ଥୀଙ୍କ ନାମ ନଥିବା, ନିଜ ୱ।ର୍ଡରେ ଭୋଟରଙ୍କ ନାମ ନ ଥାଇ ଅନ୍ୟ ୱ।ର୍ଡରେ ନାମ ରହିଥିବା ପ୍ରତିବାଦରେ ମୋହନା ବ୍ଳକର ଦୁଇଟି ପଞ୍ଚାୟତରେ ଲୋକେ ପକାଇଛନ୍ତି ତାଲା । ସ୍ଥାନୀୟ ପଞ୍ଚାୟତ ଅଧିନ ଧନୁପଙ୍କ ଗ୍ରାମର ୧୫ ନମ୍ବର ୱ।ର୍ଡର ୮୦ ଭୋଟରଙ୍କ ନାମ ତାଲିକାରେ ଆଦୌ ନ ଥିବାରୁ ସରପଞ୍ଚ ପଦବୀ ପାଇଁ ଆଶାୟୀ ପ୍ରାର୍ଥୀନୀ ସୋମବାର ସୁନିତା ମଳିକ ବ୍ଳକକୁ ଆସିଥିଲେ ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିନପାରି ଦୁଃଖ ପ୍ରକାଶ କରିଥିଲେ । ସେହିପରି ୧୧, ୧୨, ୧୩, ୧୪ ନମ୍ବର ୱ।ର୍ଡର ଭୋଟରଙ୍କ ନାମ ପରିବର୍ତ୍ତନ ଓ ତାଲିକାରୁ ବାଦ ପଡିଥିବା ଜଣାପଡିଛି । ମୋହନା ପଞ୍ଚାୟତର ଖାରିଗୁଡା ୱ।ର୍ଡ ନମ୍ବର ୪ ରେ ୱ।ର୍ଡ ସଭ୍ୟା ଭାବେ ଆଶାୟୀ ପ୍ରାର୍ଥୀ ମିନି ନାୟକଙ୍କ ନାମ ଭୋଟର ତାଲିକାରୁ ବାଦ ପଡିଥିବା ଯୋଗୁଁ ସେ ବ୍ଲକ କାର୍ଯ୍ୟାଳୟକୁ ଅଭିଯୋଗ କରିବା ପାଇଁ ଆସିଥିଲେ । କିନ୍ତୁ ସୁଫଳ ନ ପାଇ ନିରାଶରେ ଫେରିଥିଲେ । ସେହିପରି ଜିରାଙ୍ଗ ପଞ୍ଚାୟତରେ ସମିତିସଭ୍ୟା ପାଇଁ ଆଶାୟୀ ପ୍ରାର୍ଥୀ ଭାବେ ସୁଲକ୍ଷଣି ବେହେରଦଳାଇ ଓ ତାଙ୍କ ସମର୍ଥକମାନେ ଆସିଥିବା ବେଳେ ତାଙ୍କ ନାମ ବାଦ ପଡିଥିବା ଓ କରଚବାଡି ପଞ୍ଚାୟତର ୬ ନମ୍ବର ୱ।ର୍ଡରେ ଅନ୍ତର୍ଭୁକ୍ତ ଲୁଦୁପଙ୍କା, ତାଲିମେରା, ରାଲଡିପଙ୍କା ଓ ବୁଡ୍ରିଙ୍ଗ, କନ୍ଧ ଅଡବା, ରାଜମା, ହଲାଗାଡି ଆଦି ଗ୍ରାମର ପ୍ରାୟ ୪୦୦ ଭୋଟର ତାଲିକାରେ ନାମ ନାହିଁ । ଲୁଦୁପଙ୍କା ଗ୍ରାମର ସମିତି ସଭ୍ୟ ପାଇଁ ଆଶାୟୀ ପ୍ରାର୍ଥୀ ଦାଉଦ ଗମାଙ୍ଗଙ୍କ ତାଲିକାରେ ନାମ ନଥିବାରୁ ସେ ନାମାଙ୍କନ ପତ୍ର ଦାଖଲ କରିପାରିଲେ ନାହିଁ । ଉକ୍ତ ପଞ୍ଚାୟତ ଅଧିନ ଖଜୁରୀପଦା, ଲୁଦୁହେରି, ବୁଢାପଙ୍କା ଗ୍ରାମର ୨୨୦ ଭୋଟରଙ୍କ ନାମ ତାଲିକାରୁ ବାଦ ପଡିଛି । ସେହିପରି ସ୍ଥାନୀୟ ବ୍ଳକର ୨୨ ଗୋଟି ପଞ୍ଚାୟତରେ ଭୋଟରମାନଙ୍କ ତାଲିକାରେ ବାଦ ପଡିଥିବାରୁ ଭୋଟରମାନେ ବାରମ୍ଵାର ବ୍ଳକ କାର୍ଯ୍ୟାଳୟକୁ ଆସି ବିଡିଓଙ୍କୁ ଅଭିଯୋଗ କରିଆସୁଥିଲେ ମଧ୍ୟ ସେଥିରେ କୌଣସି ସୁଫଳ ନ ମିଳିବାରୁ ଜିଲ୍ଲାପାଳଙ୍କୁ ମଧ୍ୟ ଫାକ୍ସ ଜରିଆରେ ଏବଂ ଇମେଲ ଯୋଗେ ଜଣାଇବା ପରେ ଜିଲ୍ଲାପାଳ ଏହାର ସମାଧାନ କରିବାପାଇଁ ମେଲ ଯୋଗେ ବ୍ଳକକୁ ଜଣାଇଥିଲେ ।

Leave a Reply

Your email address will not be published. Required fields are marked *