ମେରାମଣ୍ଡଳୀ : ଶିରୋନାମାଟି ଟିକିଏ ଭିନ୍ନ ଲାଗୁଥିଲେ ବି ସତ । ମାତ୍ର ଗୋଟିଏ ବିଦ୍ୟୁତ୍ ବଲ୍ବ ପାଇଁ ଟାଟା ପାୱାର କଷିଛି ୧୩ ହଜାର ୭୦ ଟଙ୍କାର ବିଲ୍ । ଚଳିତ ମାସ ୭ ତାରିଖ ଦିନ ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ୍ ଖଡ୍ଗପ୍ରସାଦ ଗାଁର ଅମରି ମହାରଣା ଟିପିସିଓଏଲ୍ଡି ଠାରୁ ଏତେ ମୋଟା ଅଙ୍କର ବିଲ୍ ପାଇଲା ପରେ ମୁଣ୍ଡରେ ହାତ ଦେଇଛନ୍ତି । ଘରେ ଏକୁଟିଆ ରହୁଥିବା ବେଳେ ତାଙ୍କ ନାଁରେ ଟାଟା ପାୱାର କାହିଁକି ଏତେ ଟଙ୍କାର ବିଲ୍ କଲା ତାହାକୁ ନେଇ ସେ ଆଜି ମେରାମଣ୍ଡଳୀ ସେକ୍ସନରେ ଲିଖିତ ଅଭିଯୋଗ କରିଛନ୍ତି । ସୂଚନା ମୁତାବକ, ଖଡ୍ଗପ୍ରସାଦ ପାଟଣା ମଝିସାହିର ସ୍ବର୍ଗତ ଅଲେଖ ମହାରଣାଙ୍କ ସ୍ତ୍ରୀ ଅମରିଙ୍କ ପରିବାର କହିଲେ ସେ ଏକୁଟିଆ । ପୁଅ-ବୋହୂ ବାହାରେ ରହୁଛନ୍ତି । ସେ ମଧ୍ୟ ଅଧିକାଂଶ ଦିନ ଗାଁରେ ନ ରହି ଝିଅ ଘରେ ରୁହନ୍ତି । ତାଙ୍କ ଘରକୁ ସ୍ବାମୀଙ୍କ ନାମରେ ବିଦ୍ୟୁତ୍ ସଂଯୋଗ କରାଯାଇଛି । ବିଜୁଳିର ଉପଯୋଗ କହିଲେ, ମାତ୍ର ଗୋଟିଏ ବଲ୍ବ ବୋଲି ସେ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି । ଗଲା ବର୍ଷକ ମଧ୍ୟରେ ସେ ପ୍ରାୟ ୧୦ ମାସ ଝିଅ ଘରେ କଟାଇଛନ୍ତି । ଘରେ ସେହି ଗୋଟିଏ ବଲ୍ବ ବି ସେହି ୧୦ ମାସ କାଳ ଜଳି ନାହିଁ । କିନ୍ତୁ, ତାଙ୍କ ନାଁରେ ସାରା ବର୍ଷର ବିଲ୍ ଆସିଛି ୧୩ ହଜାର ୭୦ ଟଙ୍କା । ଚଳିତ ମାସ ୭ ତାରିଖରେ ଟାଟା ପାୱାର କର୍ତୃପକ୍ଷ ଏଭଳି ବିଲ୍ ତିଆରି କରି ଅମରିଙ୍କୁ ଧରାଇଛନ୍ତି । ଯାହାକୁ ନେଇ ସେ ଚକିତ ହୋଇଛନ୍ତି । ଗୋଟିଏ ବଲ୍ବ ପାଇଁ ଏତେ ଟଙ୍କାର ବିଲ୍ କେମିତି ହେଲା ତାହାକୁ ନେଇ ସେ ଆଜି ଟାଟା ପାୱାର୍ ମେରାମଣ୍ଡଳୀ ସେକ୍ସନରେ ଲିଖିତ ଅଭିଯୋଗ କରିଛନ୍ତି ।
ଏ ସମ୍ପର୍କରେ ମେରାମଣ୍ଡଳୀ ସେକ୍ସନ୍ର କନିଷ୍ଠ ଯନ୍ତ୍ରୀ ମନୋଜ ପ୍ରଧାନ କହିଛନ୍ତି, ଏହି ଅଭିଯୋଗ ଆମର ହସ୍ତଗତ ହୋଇଛି । ମିଟର ରିଡିଂ ନେବାରେ ତ୍ରୁଟି ଯୋଗୁଁ ଏମିତି ଅଧିକ ବିଲ୍ ଆସିଥିବା ଆମେ ଅନୁମାନ କରୁଛୁ । ମିଟର ଭେରିଫିକେସନ୍ ପାଇଁ ଗୋଟିଏ ଟିମ୍ ଆଜି ଶ୍ରୀମତୀ ମହାରଣାଙ୍କ ଘରକୁ ଯାଇ ମିଟର ଯାଞ୍ଚ କରିଛନ୍ତି । ଏତେ ଟଙ୍କାର ବିଲ୍ ଆସିବାର କାରଣ ସେ ଦର୍ଶାଇଛନ୍ତି, ଶ୍ରୀମତୀ ମହାରଣାଙ୍କର ମଝିରେ ଗୋଟିଏ ମାସର ଅଧିକ ରିଡିଂ ଆସିଥିଲା । ତା’ ପରେ ପରେ ମିଟର ନ ଥିବାରୁ ନୋ-ମିଟର ରିଡିଂ କରାଯାଇଛି । ଯେଉଁଥି ପାଇଁ ଶ୍ରୀମତୀ ମହାରଣାଙ୍କର ଅଧିକ ବିଲ୍ ହୋଇଯାଇଛି । ସମସ୍ୟାର ସମାଧାନ ପାଇଁ ଡିଜିଟାଲ୍ ମିଟର ଲଗାଇବା ପାଇଁ ଆମେ ପରାମର୍ଶ ଦେଇଛୁ । ଡିଜିଟାଲ୍ ମିଟରରେ ଯେତିକି ରିଡିଂ ଆସିବ ସେହି ଅନୁସାରେ ବିଲ୍ରେ ସଂଶୋଧନ କରାଯିବ ବୋଲି କନିଷ୍ଠ ଯନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।
