ଗର୍ଭ ନଷ୍ଟ କରି ଘରୁ ତଡିଦେଲେ ସ୍ୱାମୀ, ନ୍ୟାୟ ପାଇଁ ଏସ୍‍ପିଙ୍କ ଦ୍ଵାରସ୍ତ ହେଲେ ପିଡ଼ିତା

ବଲାଙ୍ଗିର : ତୁରେକେଲା ବ୍ଲକ ଅନ୍ତର୍ଗତ ସେମଲା ଗାଁର ଦାମିନୀ ମେହେର । ଗତ ୧୦ ତାରିଖ ଦିନ ସେ ତାଙ୍କ ଭାଉଜଙ୍କ ସହ ତୁରେକେଲା ଥାନାକୁ ଶ୍ୱଶୁର ଘର ନିର୍ଯ୍ୟାତନା ସଂପର୍କରେ ଅଭିଯୋଗ ପାଇଁ ଯାଇଥିଲେ । ପୁଲିସ ଅଭିଯୋଗ ନରଖି ୧୭ ତାରିଖରେ ଆସିବାକୁ କୁହାଯାଇଥିଲା । ୧୭ ତାରିଖ ଦିନ ସେ ଯାଇ ଅଭିଯୋଗ କରିବାକୁ ଅପେକ୍ଷା କରିଥିବା ବେଳେ ଫୋନ୍‍ କଲେ ଅଭିଯୋଗ କରିବାକୁ ଆସିବ ବୋଲି ତାଙ୍କୁ ପୁଲିସ ପକ୍ଷରୁ କୁହାଯାଇଥିଲା । କିନ୍ତୁ ଥାନାରୁ କୌଣସି ଫୋନ୍‍ ନଆସିବାରୁ ଗୁରୁବାର ଦାମିନୀ ବଲାଙ୍ଗିର ଆରକ୍ଷୀ ଅଧୀକ୍ଷକ(ଏସ୍‍ପି)ଙ୍କୁ ଅଭିଯୋଗ କରିବାକୁ ଆସିଥିଲେ । ଦାମିନୀଙ୍କ ଅଭିଯୋଗ ଅନୁସାରେ, ଛୋଟ ବେଳୁ ସେ ତାଙ୍କ ବାପାଙ୍କୁ ହରାଇଛନ୍ତି । ତାଙ୍କ ଦୁଇ ଭାଇ କୁଲି ମଜୁରୀ କରି ପରିବାର ଚଳାନ୍ତି । ୨୦୧୧ ମସିହାରେ ଦାମିନୀଙ୍କ ବିବାହ ଠିକ୍‍ ହୋଇଥିଲା । ତେବେ ତାଙ୍କ ଗାଁର ହେମରାଜ ମେହେର ତାଙ୍କୁ ଘରୁ ନେଇଯାଇ ନିଜ ଘରେ ରଖିଥିଲେ । ଦାମିନୀ ଓ ହେମରାଜ ସ୍ୱାମୀ-ସ୍ତ୍ରୀ ଭଳି ରହୁଥିଲେ ବି ସ୍ୱାମୀ ଓ ଶ୍ୱଶୁର ଘର ଲୋକ ନିର୍ଯ୍ୟାତନା ଦେଉଥିବା ସେ ଅଭିଯୋଗ କରିଛନ୍ତି । ଏପରିକି ତାଙ୍କର ୭ ଥର ଗର୍ଭ ନଷ୍ଟ କରାଯାଇଥିବା ଅଭିଯୋଗରେ ଦର୍ଶାଇଛନ୍ତି ଦାମିନୀ । ୨୦୧୬ ମସିହାରେ ନିଜ ବାପ ଘରୁ ଚାଲିଆସି ଜାତି ସମାଜର ଆଶ୍ରୟ ନେଇଥିଲେ । ଜାତି ସମାଜ ପକ୍ଷରୁ ଦୁହିଁଙ୍କୁ ଏକାଠି ରଖିବା ପାଇଁ ବାରମ୍ବାର ସଭା ଡକାଯାଉଥିଲେ ବି କିଛି ସୁଫଳ ମିଳିଲା ନାହିଁ । ସ୍ୱାମୀ ହେମରାଜ ପତ୍ନୀଙ୍କୁ ଗ୍ରହଣ କରିବା ପାଇଁ ମନା କରିଦେବା ପରେ ଦାମିନୀ ନ୍ୟାୟ ପାଇଁ ଏସ୍‍ପିଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଥିଲେ । ମାନବାଧିକାର ସୁରକ୍ଷା ବିଭାଗ ପକ୍ଷରୁ ଉପଆରକ୍ଷୀ ଅଧୀକ୍ଷକ ମାମଲାର ତଦନ୍ତ କରିବାକୁ ତୁରେକେଲା ପୁଲିସକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *