କରୋନା ଛଡାଇ ନେଲା ୧୦ ହଜାର ଶିଶୁଙ୍କ ଠାରୁ ଉଭୟ ମାତାପିତାଙ୍କୁ

ନୂଆଦିଲ୍ଲୀ : ଭାରତରେ ୧୦ ହଜାର ଶିଶୁ କରୋନା ମହାମାରୀରେ ଉଭୟ ମାତାପିତାଙ୍କୁ ହରାଇଛନ୍ତି । ଅନାଥ ହୋଇଥିବା ଏହି ଶିଶୁମାନଙ୍କୁ କ୍ଷତିପୂରଣ ବାବଦରେ ୫୦ ହଜାର ଟଙ୍କା ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଗୌରବ କୁମାର ବଂସଲ ବନାମ ଭାରତ ସରକାର ମାମଲାର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଅନାଥ ଶିଶୁମାନେ କ୍ଷତିପୂରଣ ଦାବି କରିବା ସ୍ଥିତିରେ ନଥିବେ । ତେଣୁ ରାଜ୍ୟର ଅଧିକାରୀମାନେ ସେମାନଙ୍କ ନିକଟରେ ପହଞ୍ଚିବାକୁ ପଡ଼ିବ । ‘ବାଲ ସ୍ୱରାଜ’ ପୋର୍ଟାଲରେ ରାଜ୍ୟମାନଙ୍କ ଦ୍ଵାରା ଅପଲୋଡ୍ କରାଯାଇଥିବା ତଥ୍ୟ ଅନୁସାରେ ଦେଶରେ ୧୦ ହଜାର ଶିଶୁ ଅନାଥ ହୋଇଛନ୍ତି । ଜାତୀୟ ଶିଶୁ ସୁରକ୍ଷା ଆୟୋଗ ବା ଏନ୍‌ସିପିସିଆର୍ ସୁପ୍ରିମକୋର୍ଟଙ୍କୁ ଏହା ଅବଗତ କରାଇଛନ୍ତି । ବିଚାରପତି ଜଷ୍ଟିସ୍ ଏମ୍.ଆର୍. ଶାହା ଏବଂ ବିଚାରପତି ଜଷ୍ଟିସ୍ ସଂଜୀବ ଖନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି କହିଲେ, ତଥ୍ୟ ଅନୁସାରେ ଦେଶରେ ପ୍ରାୟ ୧୦ ହଜାର ଶିଶୁ ଉଭୟ ମାତାପିତାଙ୍କୁ ହରାଇଛନ୍ତି । ସେମାନେ ଏଥିପାଇଁ ଆବେଦନ କରିବା କିମ୍ବା କ୍ଷତିପୂରଣ ଦାବି କରିବା ବହୁତ କଷ୍ଟକର ବ୍ୟାପାର ହେବ ଯେଉଁ ଶିଶୁମାନେ ଅନାଥ ହୋଇଛନ୍ତି ସେମାନଙ୍କ ନିକଟରେ ଅଧିକାରୀମାନେ ପହଞ୍ଚନ୍ତୁ ବୋଲି ସଂପୃକ୍ତ ରାଜ୍ୟମାନଙ୍କୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ସଂପୃକ୍ତ ରାଜ୍ୟମାନଙ୍କୁ ପୋର୍ଟାଲରେ ଅପଲୋଡ ହୋଇଥିବା ବିବରଣୀକୁ ମଧ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *