ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଅବାଧ, ମୁକ୍ତ ଓ ନିରପେକ୍ଷ କରିବା ପାଇଁ ନିର୍ବାଚନ ଆୟୋଗ ପ୍ରତିଶ୍ରୁତିବଦ୍ଧ । ଏହାକୁ ନେଇ ଆୟୁକ୍ତ ଆଦିତ୍ୟ ପ୍ରସାଦ ପାଢ଼ୀ ନିର୍ବାଚନ ପର୍ଯ୍ୟବେକ୍ଷକ, ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କୁ ବାରମ୍ବାର ତାଗିଦା କରୁଛନ୍ତି । ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ କରି ଜଣେ ମହାବିଦ୍ୟାଳୟ ଅଧ୍ୟକ୍ଷ ଏବଂ ବରିଷ୍ଠ ପୁଲିସ ଅଧିକାରୀ ନିଲମ୍ବିତ ହୋଇସାରିଲେଣି । କିନ୍ତୁ କେତେକ କ୍ଷେତ୍ରରେ ନିର୍ବାଚନ ଆୟୋଗଙ୍କ ନିର୍ଦେଶନାମା ଠିକଣା ଭାବେ ପାଳନ ହେଉନାହିଁ । ଏହାକୁ ଦୃଷ୍ଟିରେ ରଖି ଆୟୋଗଙ୍କ ପକ୍ଷରୁ ଗୁରୁବାର ପୁନର୍ବାର ସବୁ ଦଳର ଆଶାୟୀ ଏବଂ ନିର୍ବାଚନ ପରିଚାଳନା ଅଧିକାରୀଙ୍କୁ କଢ଼ା ନିର୍ଦେଶନାମା ଜାରି ହୋଇଛି । ସେଥିରେ କୁହାଯାଇଛି ଯେ ବିଭିନ୍ନ ସ୍ଥାନରେ ପ୍ରାର୍ଥୀ/ପ୍ରାର୍ଥିନୀ ନାମାଙ୍କନ ପତ୍ର ଦାଖଲ ବେଳେ କରୋନା ନିୟମାବଳୀ ଉଲ୍ଲଘଂନ ହେଉଥିବା ଆୟୋଗଙ୍କ ନଜରକୁ ଆସିଛି । ନିର୍ବାଚନ ଆୟୋଗଙ୍କ ପକ୍ଷରୁ ୧୫ ତାରିଖରେ ଅନୁଷ୍ଠିତ ହୋଇଥିବା ଜିଲାପାଳ-ଆରକ୍ଷୀ ଅଧୀକ୍ଷକ ସମ୍ମିଳନୀରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ଯେ ଜଣେ ବରିଷ୍ଠ ପୁଲିସ ଅଧିକାରୀ (ଡିଏସପି ପାହ୍ୟା)ଙ୍କୁ କୋଭିଡ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯିବ ଓ ନାମାଙ୍କନ ପତ୍ର ଦାଖଲ ଓ ନିର୍ବାଚନୀ ବୈଠକ ସମୟରେ ହେଉଥିବା ଭିଡ଼କୁ ନିୟନ୍ତ୍ରଣ ସହ କଡ଼ାକଡ଼ି ଭାବେ କରୋନା ନିୟମାବଳୀର ଅନୁପାଳନ କରାଯିବ । ଆଜି ନାମାଙ୍କନ ଦାଖଲର ଶେଷ ଦିନ ହେଉଥିବାରୁ ନାମାଙ୍କନ ପତ୍ର ଦାଖଲବେଳେ ପ୍ରବଳ ଜନଗହଳି ହେବା ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି କରୋନା ମାର୍ଗଦର୍ଶିକା ଯେଭଳି ଠିକଣା ଭାବେ ପାଳନ ହେବ ସେ ନେଇ ଗୁରୁତ୍ବ ଦେବାକୁ ରାଜ୍ୟ ପୁଲିସ ମହାନିର୍ଦେଶକଙ୍କୁ ଆୟୋଗଙ୍କ ପକ୍ଷରୁ ସ୍ପଷ୍ଟ ନିର୍ଦେଶନାମା ଜାରି ହୋଇଛି । ଯେଉଁଠାରେ କରୋନା ମାର୍ଗଦର୍ଶିକାର ଉଲ୍ଲଘଂନ ହେବ ସେଠାରେ ବିନା କୌଣସି ଦ୍ବିଧାରେ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି ।
