ଆମରଣ ଅନଶନରେ ବସିଲେ ହିତାଧିକାରୀ, ଯେପର୍ଯ୍ୟନ୍ତ ବିଲ୍ ନହେଇଛି ସେପର୍ଯ୍ୟନ୍ତ ଅନଶନ ଜାରି ରହିବାକୁ ଚେତାବନୀ

ପାଟଣା : କେନ୍ଦୁଝର ଜିଲ୍ଲା ସାହାରପଡ଼ା ବ୍ଲକ ଅଧିନସ୍ଥ ଡାଳପକା ପଞ୍ଚାୟତରେ ୨୦୨୦ ମସିହାରୁ ଅଦ୍ୟାବଧି ସରକାରୀ ଯୋଜନାର ବିଭିନ୍ନ ପ୍ରକଳ୍ପ କାମ ୨ ବର୍ଷ ହେବ କାମ ସାରିବା ପରେ ମଧ୍ୟ ବ୍ଲକ ପ୍ରଶାସନର ଉଦାସୀନତା ଯୋଗୁଁ ଆଜି ପର୍ଯ୍ୟନ୍ତ ବିଲ୍ ମିଳିନଥିବା ଅଭିଯୋଗ ହୋଇଛି । ଏହି ବିଷୟରେ ପୂର୍ବରୁ ସାହାରପଡ଼ା ଗୋଷ୍ଟି ଉନ୍ନୟନ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ କୌଣସି ସୁଫଳ ମିଳି ନଥିଲା ବୋଲି ହିତାଧିକାରୀମାନେ ଅଭିଯୋଗ କରିଛନ୍ତି । ପ୍ରଶାସନିକ ଅଧିକାରୀମାନେ ଏହି ଘଟଣାକୁ ଗୁରୁତ୍ୱ ନ ଦେବାରୁ ଏନେଇ ଆଜି ଡାଳପକା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ହିତାଧିକାରୀ ଓ ଠିକାଦାରମାନେ ଆମରଣ ଆନଶନରେ ବସିଥିବା ଦେଖିବାକୁ ମିଳିଛି । ପୂର୍ବରୁ ଘଟଣା ସମ୍ପର୍କରେ ସାହାରପଡ଼ା ତହସିଲଦାର, ପାଟଣା ଥାନା ଅଧିକାରୀ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ଜିଲ୍ଲାପାଳ କେନ୍ଦୁଝରଙ୍କୁ ଘଟଣା ସମନ୍ଧରେ ଅବଗତ କରାଯାଇ ଥିଲେ ସୁଦ୍ଧା ଅନଶନରତ ଲୋକମାନଙ୍କ ନିକଟକୁ କୌଣସି ଅଧିକାରୀ ପହଞ୍ଚି ନାହାନ୍ତି । ଅନଶନରତ ଲୋକମାନଙ୍କ କହିବା ଅନୁଯାୟୀ ଯେପର୍ଯ୍ୟନ୍ତ ବିଲ୍ ନହେଇଛି ସେପର୍ଯ୍ୟନ୍ତ ଅନଶନ ଜାରି ରହିବାକୁ ଚେତାବନୀ ଦେଇଛନ୍ତି । ଗାଈ ଗୁହାଳ, ଗଭୀର କୂପ, ଅଙ୍ଗନବାଡି ଗୃହ ଓ ଅନ୍ୟାନ୍ୟ ଉନ୍ନୟନ କାର୍ଯ୍ୟର ପ୍ରାପ୍ୟ ପାଇ ନଥିବା ୭ ଜଣ ହିତାଧିକାରୀ ଓ ଠିକାଦାର ଆଜି ଠାରୁ ଆମରଣ ଅନଶନରେ ବସିଛନ୍ତି । ସଂପ୍ରତି ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଥିବା ବେଳେ କାର୍ଯ୍ୟର ୨ ବର୍ଷ ବିତିଯାଇଥିଲେ ମଧ୍ୟ ପ୍ରାପ୍ୟ ନ ମିଳିବା ସାହାରପଡା ବ୍ଲକ ପ୍ରଶାସନର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Leave a Reply

Your email address will not be published. Required fields are marked *