ରେଙ୍ଗାଲିକେମ୍ପ : ସରକାର ମଣ୍ଡିର ସୁରକ୍ଷିତ ବ୍ୟବସ୍ଥା ସହ ଭିତ୍ତି ଭୂମି ନେଇ ଚାଷୀଙ୍କ ଅମଳକ୍ଷମ ଧାନ ସୁରକ୍ଷିତ ଭାବରେ ରଖି ବିକ୍ରି କରି ତା’ର ଉଚିତ୍ ପ୍ରାପ୍ୟ ପାଇଁ ପାରିବେ ବୋଲି ମଣ୍ଡି ତଥା ଧାନ କ୍ରୟ କେନ୍ଦ୍ରମାନଙ୍କର କୋଟି କୋଟି ଟଙ୍କା ବ୍ୟୟ କରି ତା’ର ନବୀକରଣ ଓ ଉନ୍ନତି କରଣ କରୁଛନ୍ତି । କିନ୍ତୁ କାମ ହେଉଛି ନିମ୍ନମାନର । ଓଡ଼ିଶାର ଭାତ ହାଣ୍ଡି ରୂପେ ବେଶ୍ ପରିଚିତ ଥିବା ବରଗଡ଼ ଜିଲ୍ଲା ଅତାବିରା ଆର.ଏମ.ସି ଅନ୍ତର୍ଗତ ମାର୍କେଟ ୟାଡ ତଥା ଧାନ କ୍ରୟ କେନ୍ଦ୍ରମାନଙ୍କ ପାଇଁ ୩୦ କୋଟି ଟଙ୍କାର ଅନୁଦାନ ଖର୍ଚ୍ଚ ହେଇ ଆସୁଥିବା ବେଳେ କାର୍ଯ୍ୟଗୁଡ଼ିକ ଆଖି ଦୃଶିଆ ନହୋଇ ଅତି ନିମ୍ନ ମାନର ହେଉଥିବା ଓଡ଼ିଶା ରାଜ୍ୟ କୃଷକ ସଂଗଠନ କହନ୍ତି । ଏ ନେଇ ଆର.ଏମ.ସି ସଂପାଦକ ପ୍ରଦୀପ ବେସନଙ୍କୁ ଓଡ଼ିଶା ରାଜ୍ୟ କୃଷକ ସଂଗଠନ ପକ୍ଷରୁ ବ୍ଲକ୍ ସଭାପତି ହାରାଧନ ପ୍ରଧାନଙ୍କ ନେତୃତ୍ୱରେ ସଂଗଠନର ନେତୃ ବୃନ୍ଦ ତଥା ସକ୍ରିୟ କର୍ମୀ ବସନ୍ତ ବାରିକ୍, ବୃଷଭାନୁ ସାହୁ, ଭିକାରୀ ଚରଣ ବାରିକ୍, ପଲଉ ମାଝି ପ୍ରମୁଖ ଗଣ ନିମ୍ନମାନର କାମ ହେଉଥିବା ଦେଖି ତାଗିଦ୍ କରି କାମ କିଭଳି ଭାବରେ ହେବ ତାହା ଜାଣିବା ପାଇଁ ଚାହିଥିଲେ ହେଁ ସଂପାଦକ ମହାଶୟ କୌଣସି ଉତ୍ତର ଦେଇ ନଥିଲେ । ଏହା ପଛରେ ରହସ୍ୟ କଣ ରହିଛି ବୋଲି ଚାଷୀ ମହଲରେ ପ୍ରଶ୍ନବାଚି ସୃଷ୍ଟି କରିଛି । ପୁରୁଣା ପାଚେରୀ ନିହରେ ନୂଆଁ କାନ୍ଥ ତାହା ପୁଣି ଭଙ୍ଗା ଦଦରା ବହୁ ପୁରୁଣା ଇଟା ଓ ବହୁ ପୁରୁଣା ଗୋଦାମ ଗୃହର ଭୁଶୁଡ଼ି ପଡ଼ିଥିବା କାନ୍ଥର ଚୋପା ଛଡେଇ ପେଚିଂ ଦେଇ ପ୍ଲାଷ୍ଟର ଚଢ଼େଇ ଦିଆଯାଉଛି । କାର୍ଯ୍ୟଗୁଡ଼ିକ ବିନା ଜେଇଙ୍କ ସୁପର ଭିଜନରେ ହେଉଥିବା ବେଳେ ଜିଲ୍ଲା ପ୍ରଶାସନର ଆଢ଼ୁଆଳରେ ଅତି ନିମ୍ନମାନର କାର୍ଯ୍ୟ ଠିକାଦାର ପୋଷା ନୀତିରେ ହୋଇ ଅର୍ଥ ହରିଲୁଟ ହେଉଥିବା ଚାଷୀ ମହଲରେ ବେଶ୍ ଚର୍ଚ୍ଚାର ବିଷୟ ହେଉଛି । ଏନେଇ ବରଗଡ଼ ସବ୍ କଲେକ୍ଟର ଶୁଭେନ୍ଦୁ ସାମଲଙ୍କ ଦୃଷ୍ଟି କୁ ତାହା ଆସିଥିଲେ ମଧ୍ୟ ନିମ୍ନ ମାନର ଚୋପା ଛଡ଼ା କାର୍ଯ୍ୟ ଆଗେଇ ଚାଲିଛି । ଧାନକୁ ସୁରକ୍ଷିତ ରଖିବାରେ ଧାନ କ୍ରୟ କେନ୍ଦ୍ରମାନଙ୍କରେ ତିଆରି ହେଉଥିବା କଭର ସେଟ୍ କଥା ନକହିବା ଭଲ, କିଛି ଅସାଧୁ ଅଧିକାରୀମାନଙ୍କ ସ୍ବାର୍ଥ ଲାଳସା ଓ ଜେଇ ଠିକାଦାରଙ୍କ ମଧୁ ଚନ୍ଦ୍ରିକାରେ ବାଲି ଜାଗାରେ ମାଟି ଭର୍ତ୍ତି କରି ଦେଇ ନିଜର ମନ ମାନି ଭାବେ କାହାକୁ କିଛି ଖାତିର ନକରି ଅନଭିଜ୍ଞ ଠିକାଦାର ଭରଷାରେ କାର୍ଯ୍ୟଗୁଡ଼ିକୁ ଟେକି ଦିଆଯାଉଛି । ଯାହାର ପରିଣାମ ସ୍ୱରୂପ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ମଧ୍ୟ ଚାଷୀ ଅମଳକ୍ଷମ ଫସଲକୁ କୋଉଠି ଓ କେମିତି ରଖିବ ବୋଲି ଚିନ୍ତାରେ ପଡ଼ିଛି । ରାସ୍ତାଘାଟ, ବିଲବାଡି ସହ ମଣ୍ଡିରେ ଗଜା ହୋଇ ଚାଷୀଙ୍କ ଅକ୍ଲାନ୍ତ ପରିଶ୍ରମର କଷ୍ଟୋପାର୍ଜିତ ସୁନାର ଫସଲ ନଷ୍ଟ ହେଇ ଖତ ଗଦାକୁ ମଧ୍ୟ ଯୋଗ୍ୟ ହେଇପାରୁନି । ଆଉ କିଛି ଚାଷୀଙ୍କ ବହୁ କଷ୍ଟରେ ଉପାର୍ଜିତ କରିଥିବା ଫସଲ ଶାଗ ମାଛ ଦରରେ ବିକ୍ରୀ କରିଦେଇ ସର୍ବସ୍ୱାନ୍ତ ହୋଇ କୁଳ ବେଉସା ବୁଡିବାରେ ଲାଗିଛି । ତେବେ ସରକାର କଡାକଡ଼ି ଭାବରେ ଏହାର ଯାଞ୍ଚ କରି ତୁରନ୍ତ ଦୃଢ଼ ପଦକ୍ଷେପ ଗ୍ରହଣ କରିବା ପାଇଁ ସଂଗଠନ ପକ୍ଷରୁ ଦାବି ହେଉଛି ।
