୧୯୯୦ ର ବିଜ୍ଞପ୍ତିକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ କର୍ମଚାରୀ ଥଇଥାନ ଆଶାୟୀ ସଂଘର ଦାବି

ଭୁବନେଶ୍ବର : ୧୯୯୦ରେ ପ୍ରଣୀତ ବିଜ୍ଞପ୍ତି ଅନୁଯାୟୀ ମୃତ କର୍ମଚାରୀ ପରିବାର ଥଇଥାନ ଯୋଜନାକୁ କାର୍ଯ୍ୟକାରୀ କର ଓ ୨୦୨୦ ବିଜ୍ଞପ୍ତିକୁ ତୁରନ୍ତ ବାତିଲ କର ବୋଲି ଓଡ଼ିଶା ରାଜ୍ୟ କର୍ମଚାରୀ ଥଇଥାନ ଆଶାୟୀ ସଂଘ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛି । ସଂଘ ପକ୍ଷରୁ କୁହାଯାଇଛି, ସରକାରୀ କର୍ମଚାରୀମାନଙ୍କ ଅକାଳ ବିୟୋଗ ହେଲେ ସେମାନଙ୍କ ପରିବାର ବର୍ଗରୁ ଜଣଙ୍କୁ ଥଇଥାନ ଯୋଜନାରେ ଚାକିରି ଦେବା ପାଇଁ ୧୯୯୦ରେ ଓଡ଼ିଶା ସରକାର ଆଇନ ପ୍ରଣୟନ କରିଥିଲେ । କିନ୍ତୁ ରାଜ୍ୟ ସରକାର ଏବେ ଏହି ଆଇନରେ ବ୍ୟାପକ ପରିବର୍ତ୍ତନ ଆଣିଛନ୍ତି । ଖାଲି ପଦବିରେ ବାହ୍ୟ ନିଯୁକ୍ତି ସଂସ୍ଥାମାନଙ୍କ ମାଧ୍ୟମରେ ଠିକା ନିଯୁକ୍ତି ସହ ମୂଳ ପଦବି ଉଚ୍ଛେଦ କରାଯାଉଛି । ଅନ୍ୟ ପକ୍ଷରେ ମୃତ କର୍ମଚାରୀମାନଙ୍କ ପରିବାରକୁ ଓଡ଼ିଶା ସରକାର ଉପେକ୍ଷା କରୁଛନ୍ତି । ଏହା ଫଳରେ ସେମାନଙ୍କ ପରିବାର ବିଭିନ୍ନ କୋର୍ଟ କଚେରିରେ ଆଶ୍ରୟ ନେବାକୁ ବାଧ୍ୟ ହେଉଛନ୍ତି । ବର୍ତ୍ତମାନ ରାଜ୍ୟ ସରକାର ୧୯୯୦ ରୁ ପ୍ରଚଳିତ ଆଇନକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରି ୨୦୨୦ରେ ନୂଆ ନୀତି ପ୍ରଣୟନ କରିଛନ୍ତି । ଏହାକୁ ବିରୋଧ କରି କେତେକ ଆଶାୟୀ ହାଇକୋର୍ଟରେ ନ୍ୟାୟ ପାଇଲେ ମଧ୍ୟ ଏହି ଆଦେଶ ବିରୋଧରେ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଉଛନ୍ତି । ଫଳରେ ଆଶାୟୀଙ୍କ ପରିବାରକୁ ରାଜ୍ୟ ସରକାର ଜାଣିଶୁଣି ବେସାହାରା କରୁଛନ୍ତି । ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ଓଡ଼ିଶା ସରକାର ମୃତ ପରିବାର ସଦସ୍ୟଙ୍କୁ ନିଯୁକ୍ତି ଦେଲା ବେଳେ ମୃତ ତାରିଖକୁ ଅଗ୍ରାଧିକାର ଦେଉନାହାନ୍ତି । ରାଜ୍ୟ ସରକାରଙ୍କ ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଓ ମାନ୍ୟବର ସୁପ୍ରିମକୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶ ଥିବା ସତ୍ତ୍ବେ ରାଜ୍ୟ ସରକାର ଏହି ନିର୍ଦ୍ଦେଶନାମାକୁ ଅବଜ୍ଞା କରି ୨୦୨୦ ଫେବ୍ରୁଆରି ୧୭ରେ ନୂଆ ନିୟମ ଆଣିଛନ୍ତି । ଯାହା ଫଳରେ କୌଣସି ଜଣେ ହେଲେ ଆଶାୟୀ ଚାକିରୀ ପାଇବେ ନାହିଁ । ବର୍ତ୍ତମାନ ଶହ ଶହ କର୍ମଚାରୀଙ୍କ ଦରଖାସ୍ତକୁ ୨୦୨୦ ମସିହା ବିଜ୍ଞପ୍ତି ଆଧାରରେ ନିଷ୍ପତ୍ତି ନେବା ସମ୍ବିଧାନ ବିରୋଧୀ ଓ ଆଇନ ସମ୍ମତ ନୁହେଁ । ଏଣୁ ରାଜ୍ୟ ସରକାର ୨୦୨୦ ମସିହା ବିଜ୍ଞପ୍ତିକୁ ତୁରନ୍ତ ବାତିଲ କରି ପୂର୍ବବତ୍‌ ୧୯୯୦ ମସିହା ବିଜ୍ଞପ୍ତି ଅନୁଯାୟୀ ବର୍ଷ ବର୍ଷ ଧରି ପଡ଼ି ରହିଥିବା ଆଶାୟୀ ପ୍ରାର୍ଥୀଙ୍କୁ ତୁରନ୍ତ ନିଯୁକ୍ତି ଦେବା ପାଇଁ ଓଡ଼ିଶା ରାଜ୍ୟ କର୍ମଚାରୀ ଥଇଥାନ ଆଶାୟୀ ସଂଘ ଦାବି କରିଛି ।

Leave a Reply

Your email address will not be published. Required fields are marked *