କରଞ୍ଜିଆ : କଳାର ମାଟି ମୟୂରଭଞ୍ଜ । କରୋନା ମହାମାରୀ ସମୟରେ ଏ ମାଟି ହରାଇଛି ୫ ଜଣ ପ୍ରଥିତଯଶା ଅଭିନେତା ଓ ସଙ୍ଗୀତଜ୍ଞଙ୍କୁ । ୨୦୨୦ ରେ ଓଡ଼ିଆ ଚଳଚ୍ଚିତ୍ରର ପ୍ରତିଭାବାନ ଅଭିନେତା ବିଜୟ ମହାନ୍ତି, ବର୍ଷୀୟାନ ଅଭିନେତା ଅଜିତ ଦାସ, ବିଶିଷ୍ଟ ସଙ୍ଗୀତଜ୍ଞ ଶାନ୍ତନୁ ମହାପାତ୍ରଙ୍କର ନିଧନ ହୋଇଥିବା ବେଳେ ଏବେ ଅନ୍ୟତମ ଲୋକପ୍ରିୟ ଅଭିନେତା ମିହିର ଦାସ ପରଲୋକ ଗମନ କରିଛନ୍ତି । ଏହା ପୂର୍ବରୁ ୨୦୧୯ ରେ ଜଣାଶୁଣା ହାସ୍ୟ ଅଭିନେତା ସଲିଲ ମିତ୍ରଙ୍କର ଘଟଗାଁ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ଓଡ଼ିଶାର କଳା ଓ ସାଂସ୍କୃତିକ କ୍ଷେତ୍ରକୁ ମୟୂରଭଞ୍ଜ ମାଟିର ଅବଦାନ ଯେତେ କହିଲେ ବି କମ୍ ହେବ । ଏ ଜିଲ୍ଲା ବହୁ ପ୍ରତିଭାବାନ କଳାକାରଙ୍କୁ ଜନ୍ମ ଦେଇଛି । ଉତ୍ତମ ମହାନ୍ତି, ଅଜିତ ଦାସ, ମିହିର ଦାସ, ଅସିତ ପତି, ବାବୁସାନ୍, ସ୍ୱରାଜ ବାରିକ, ହାସ୍ୟ ଅଭିନେତା ପପୁ ପମ୍ ପମ୍, ସଲିଲ ମିତ୍ର, ଉମାକାନ୍ତ ସାହା, ଭୋଳାନାଥ ଦାସ, ଗୌରୀଶଙ୍କର ଦାସ, ପ୍ରମୋଦ ଦାସ ଅଧିକାରୀ, ସୁଧୀର ଦାସଙ୍କ ଭଳି ଯଶ୍ବସୀ ଅଭିନେତା, କଳାକାର ଏହି ଜିଲ୍ଲାରୁ ଜନ୍ମ ହୋଇ ଓଡ଼ିଆ ଚଳଚ୍ଚିତ୍ର ଏବଂ ନାଟ୍ୟ ଜଗତକୁ ଋଦ୍ଧିମନ୍ତ କରିଛନ୍ତି । ଯଦିଓ ବିଜୟ ମହାନ୍ତି କେନ୍ଦ୍ରାପଡ଼ାରେ ଜନ୍ମ ହୋଇଥିଲେ, କିନ୍ତୁ ତାଙ୍କ ଆଦ୍ୟ କର୍ମଭୂମି ଥିଲା ବାରିପଦା । ତେବେ ଏହି ଦେଢ଼ବର୍ଷ ଭିତରେ ଆଗପଛ ହୋଇ ବିଜୟ ମହାନ୍ତି, ଅଜିତ ଦାସ, ମିହିର ଦାସ, ସଙ୍ଗୀତଜ୍ଞ ଶାନ୍ତନୁ ମହାପାତ୍ର, ହାସ୍ୟ ଅଭିନେତା ସଲିଲ ମିତ୍ର ଅଫେରା ରାଇଜକୁ ଚାଲିଯିବା ଖାଲି ଜିଲ୍ଲାବାସୀଙ୍କୁ ମର୍ମାହତ କରିନି, ଓଡ଼ିଶାର ଅଗଣିତ କଳାପ୍ରେମୀଙ୍କୁ ଗଭୀର କଷ୍ଟ ପହଞ୍ଚାଇଛି । ଅଭିନୟ ଜଗତର ଅନ୍ୟତମ କ୍ରାନ୍ତିକାରୀ ଅଭିନେତା ବିଜୟ ମହାନ୍ତିଙ୍କୁ ହରାଇ ଏ ଜିଲ୍ଲା ଦୁଃଖରେ ଭାଙ୍ଗି ପଡ଼ିଥିଲା । ହେଲେ ସେହି ଦୁଃଖଠୁ ବଳେଇ ପଡ଼ିଲା ଲୋକପ୍ରିୟ ଅଭିନେତା ମିହିର ଦାସଙ୍କ ଆକସ୍ମିକ ନିଧନ । ଏହା ପୂର୍ବରୁ ମୟୂରଭଞ୍ଜ ହରାଇଥିଲା ଜିଲ୍ଲାର ପ୍ରଥମ ସିନେ କଳାକାର ଭୋଳାନାଥ ଦାସଙ୍କୁ । ପରେ ପରେ ପ୍ରମୋଦ ଦାସ ଅଧିକାରୀ ଓ ଛଉନୃତ୍ୟର ମଉଡ଼ମଣି ଲକ୍ଷ୍ମୀନାରାୟଣ ଦାସ । ଏମାନଙ୍କ ପରେ ପରେ ଅବେଳରେ ଅଭିନୟ ସାରି ଚାଲିଗଲେ ମିହିର ଦାସ । ସେ ଥିଲେ ମୟୂରଭଞ୍ଜ ମାଟିର କିଂବଦନ୍ତୀ ନାୟକ । ବାରିପଦାରେ ୧୯୫୯ ମସିହାରେ ଜନ୍ମଗ୍ରହଣ କରି ବାଲ୍ୟଜୀବନ ସେହିଠାରେ କାଟି ଅଭିନୟ ଜୀବନର ଅୟମାରମ୍ଭ କରିଥିଲେ । ତେବେ ରାଜାରାଜୁଡ଼ା ସମୟରୁ ଓଡ଼ିଶାର ସାହିତ୍ୟ, କଳାସଂସ୍କୃତି କ୍ଷେତ୍ରକୁ ସର୍ବାଧିକ ଅବଦାନ ରଖିଥିବା ମୟୂରଭଞ୍ଜ ମାଟି ତା’ର ସୁଯୋଗ୍ୟ ସନ୍ତାନମାନଙ୍କୁ ହରାଇ ଏବେ ଶୋକ ଓ କୋହରେ ଡୁବିଛି ।
