ସୁନ୍ଦରଗଡ : ସୁନ୍ଦରଗଡ଼ ଜିଲ୍ଲା ବଣାଇ ରେଞ୍ଜରେ ଗତ ଦୁଇ ଦିନ ହେଲା ମାତିଛି ଗୋଠଛଡା ଦନ୍ତା । ଦନ୍ତା ଏବେ ଜଙ୍ଗଲ ଛାଡି ଗାଁ ମୁହାଁ ହୋଇ କାହାର ଘର ଭାଙ୍ଗୁଛି ତ କାହାର ପନିପରିବା ନଷ୍ଟ କରୁଛି । ପୁଣି କେତେବେଳେ ଘରୁ ଧାନ ଚାଉଳ ଖାଇ ଦେଉଛି । ଯାହାକୁ ନେଇ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ହାତୀଟି ପ୍ରଥମେ କୁଳିପୋଷର ଜଙ୍ଗଳା ଗ୍ରାମରେ ଉତ୍ପାତ କରି ଏବେ ବଣାଇ ରେଞ୍ଜର ଜକେଇ କଳା, ବଡପୋଷ, ତଳିତା, ବାଘା ପାଲି, ଭାଙ୍ଗଡ଼ିହି ଆଦି ଗ୍ରାମରେ ଆତଙ୍କ ଖେଳାଇଛି । ହାତୀ ଭୟରେ ସନ୍ଧ୍ୟା ହେଲେ ଗାଁରେ ତାଟି କବାଟ ପଡିଯାଉଛି । ବନ କର୍ମଚାରୀ, ସ୍ଥାନୀୟ ଗ୍ରାମବାସୀ ହାତୀ ଘଉଡ଼ାଇବାକୁ ଉଦ୍ୟମ ଜାରିରଖିଛନ୍ତି । ହାତୀଟି ଏକୁଟିଆ ହୋଇ ଯାଇଥିବାରୁ ଏବେ ଘଉଡ଼ାଇବା ସମୟରେ ଲୋକଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରୁଛି । ବନ ବିଭାଗ ସହ ଲୋକେ ସତର୍କତା ସହ ଗଜରାଜକୁ ଘଉଢେଇବାକୁ ଉଦ୍ୟମ ଜାରି ରଖିଛନ୍ତି ।
