ବ୍ରହ୍ମପୁର : ଜନନୀ ଯନ୍ତ୍ରଣାର କରୁଣ କାହାଣୀ । ୫ କିଲୋମିଟର ଦୋଳାରେ ବୁହା ହେବା ସହ ୩୦ ମିନଟ ଡ଼ଙ୍ଗାରେ ବୁହା ହେଲେ ଗର୍ଭବତୀ । ଗଞ୍ଜାମ ପାତ୍ରପୁର ବ୍ଳକ ଆଙ୍କୁଲି ପଞ୍ଚାୟତ ଏଲଗଲ ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଅବ୍ୟବସ୍ଥା । ଜଣେ ଗର୍ଭବତୀଙ୍କୁ ପ୍ରଥମେ ୫ କିଲୋମିଟର ଦୋଳାରେ ବୁହା ହେବା ପରେ ଡ଼ଙ୍ଗାରେ ପାର ହୋଇ ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଗର୍ଭବତୀ ଜଣକ ହେଲେ ସରୋଜିନୀ କାର୍ଯୀ । ବିଳମ୍ବିତ ରାତିରେ ପ୍ରସବ ବେଦନା ଆରମ୍ଭ ହେବାରୁ ପରିବାର ଲୋକେ ତାଙ୍କୁ ଦୋଳା ସାହାଯ୍ୟରେ ପ୍ରାୟ ୫ କିଲୋମିଟର ବୋହି ଆଣିଥିଲେ । ପରେ ବାଘଲଟି ଜଳଭଣ୍ଡାର ଦୀର୍ଘ ୩୦ ମିନଟର ଯାତ୍ରା ଡ଼ଙ୍ଗା ଦ୍ବାରା ପାର କରାଯାଇଥିଲେ । ସେଠାରୁ ଆମ୍ବୁଲାନ୍ସ ଯୋଗେ ଗର୍ଭବତୀଙ୍କୁ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ସେଠାରେ ସରୋଜିନୀ ଏକ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଥିଲେ । ଏଲଗଲ ଗ୍ରାମକୁ ପକ୍କା ରାସ୍ତା ନିର୍ମାଣ କିମ୍ବା ବାଘଲଟି ଆର ପାରିରେ ଥିବା ଗ୍ରାମଗୁଡିକୁ ଥଇଥାନ କରାଯାଉନଥିବାରୁ ଏହା ନିତିଦିନିଆ ଘଟଣା ହୋଇଯାଇଛି ।
