ଛତ୍ରପୁର : ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାର ପୁଳା ପୁଳା ଯୋଜନା ତିଆରି କରୁଥିବା ବେଳେ ଏହାକୁ ଖୋଦ୍ ସରକାରୀ କର୍ମଚାରୀମାନେ ଦଳିମକଚି ଦେଉଥିବା ଦେଖାଯାଇଛି । ଏହାର ଉଦାହରଣ ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ୍ରେ ଦେଖିବାକୁ ମିଳିଛି । ଜଳ ଓ ପରିମଳ ବିଭାଗର କର୍ମଚାରୀମାନେ ନଳକୂପ ସଜାଡ଼ିବା ପାଇଁ ଦେଶୀ କୁକୁଡ଼ା ଦାବି କରୁଥିବା ବିଚିତ୍ର ଅଭିଯୋଗ ଆସିଛି । ଏଭଳି ଘଟଣାକୁ ନେଇ ଆଜି ସୋରଡ଼ା ବ୍ଲକ୍ ସିନ୍ଧିପୁର ଗ୍ରାମ ପଂଚାୟତର ରଘୁନାଥପୁର, କମଳାଖାଇ, ସରାବାଡ଼ି, ମଇଁଷିପଦା, ଅସୁରବନ୍ଧ, ବି.ଅଁଳାଝୋଳି ଆଦି ଗ୍ରାମବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଅଭିଯୋଗ ଦାଖଲ କରି କାର୍ଯ୍ୟାନୁଷ୍ଠାନ ଓ ସମସ୍ୟାର ସମାଧାନ ନହେଲେ ଭୋଟବର୍ଜନ କରିବେ ବୋଲି ପତ୍ର ଦେଇଛନ୍ତି ।
ପ୍ରକାଶ ଯେ, ପ୍ରାୟ ୩୦ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଏହି ଗ୍ରାମଗୁଡ଼ିକରେ ଆଦିବାସୀ ସଂପ୍ରଦାୟର ଲୋକେ ବସବାସ କରି ଆସୁଛନ୍ତି । ସରକାରଙ୍କ ସମସ୍ତ ବିକାଶମୂଳକ ଯୋଜନାରୁ ଏ ସବୁ ଗ୍ରାମବାସୀ ବଂଚିତ । ବିଶେଷ କରି ପିଇବା ପାଣି ଓ ବିଦ୍ୟୁତ ସଂଯୋଗ ହୋଇ ପାରିନାହିଁ । ଏଥିନେଇ ସ୍ଥାନୀୟ ବ୍ଲକ୍ ପ୍ରଶାସନ, ବିଦ୍ୟୁତ୍ ବିଭାଗ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ନ ଥିବାରୁ ସେମାନେ ବାଧ୍ୟ ହୋଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି । ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍ଙ୍କୁ ସାକ୍ଷତ କରି ଉପରୋକ୍ତ ଅଭିଯୋଗ କରିଛନ୍ତି । ଆଗାମୀ ଦିନରେ ଏହାର ସମାଧାନ ନ ହେଲେ ଗ୍ରାମବାସୀ ପଂଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି । ସ୍ମାରକପତ୍ର ପ୍ରଦାନ ବେଳେ ଅଖିଳ ଭାରତ କିଷାନ ମଜଦୁର ସଭାର ଜିଲ୍ଲା ସମ୍ପାଦକ ସଂଗ୍ରାମ ନାୟକ, ସୋରଡ଼ା ବ୍ଲକ୍ ସଭାପତି କାଳୀଚରଣ ନାୟକ, ଉପସଭାପତି ବିଦ୍ୟାଧର ନାୟକ, ବ୍ଲକ୍ କମିଟି ବିଶୁ ମଣ୍ତଳ, ଦାନିଏଲ ମଣ୍ତଳଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ।
