ବାଲେଶ୍ବରରେ ବିଚ୍‌ ରାସ୍ତାରେ ମାରଣାସ୍ତ୍ର ଦେଖାଇ ଝାମ୍ପି ନେଲେ ୩ ଲକ୍ଷ

ବାଲେଶ୍ବର/ଚାନ୍ଦିପୁର : ବାଲେଶ୍ବର ସହରରେ ଅପରାଧୀ ଗୋଷ୍ଠୀ ଆଜି ପୁଣି ଆତଙ୍କ ରଚିଛନ୍ତି । ଦିନ ଦ୍ବିପ୍ରହରରେ ବ୍ୟାଙ୍କରୁ ୩ ଲକ୍ଷ ଟଙ୍କା ଉଠାଇ ଘରକୁ ଫେରୁଥିବାବେଳେ ମାରଣାସ୍ତ୍ର ଦେଖାଇ ଜଣେ ଲୋକ ଠାରୁ ଟଙ୍କାବ୍ୟାଗ୍‌ ଛଡ଼ାଇ ନେଇଥିବା ବେଳେ ରାତି ପ୍ରାୟ ୧୦ଟା ବେଳେ ବାଲେଶ୍ବରରୁ ଚାନ୍ଦିପୁର ଯିବା ରାସ୍ତା‌େର ଜଣେ ଯୁବକଙ୍କୁ ବୀଭତ୍ସ ହତ୍ୟା କରାଯାଇଥିବା ଜଣାଯାଇଛି ।

ମିଳିଥିବା ସୂଚନା ମୁତାବକ, ଶୁକ୍ରବାର ରାତି ୧୦ଟା ବେଳେ ଚାନ୍ଦିପୁର ରାସ୍ତାର ଗଛମାଳିଆ ଛକଠାରେ ଜଣେ ଯୁବକଙ୍କୁ ଦୁର୍ବୃତ୍ତମାନେ ଅତି ନିର୍ମମ ଭାବେ ହତ୍ୟା କରି ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତାକଡ଼କୁ ଫିଙ୍ଗି ଦେଇଛନ୍ତି । ମୃତକ ଜଣକ ସୁନହଟ୍‌ ଅଞ୍ଚଳର ବାପୁନୁ ଓରଫ୍‌ ସତ୍ୟବ୍ରତ ଦାସ ବୋଲି ‌କୁହାଯାଇଛି । ତାଙ୍କ ମୁହଁ ଓ ଦେହର ଅନେକ ସ୍ଥାନରେ ହଣା ଦାଗ ଦେଖିବାକୁ ମିଳିଛି । ଏଥିସହ ତାଙ୍କୁ ଉଲଗ୍ନ କରିଦିଆଯାଇଛି । ତାଙ୍କ ନିକଟରେ ନମ୍ବର ପ୍ଲେଟ୍‌ ନଥିବା ଏକ କଳା-ନୀଳ ରଙ୍ଗର ସିଡି ଡିଲକ୍ସ ବାଇକ୍‌ ଏବଂ ଏକ ଭୁଜାଲି ଓ ମାରଣାସ୍ତ୍ରର ବେଣ୍ଟ ପଡ଼ିଥିବା ଦେଖାଯାଇଛି । କିଏ ଓ କାହିଁକି ତାଙ୍କୁ ହତ୍ୟା କରିଛି ତା’ର ରହସ୍ୟ କିଛି ଜଣାପଡ଼ିନାହିଁ । ଖବର ପାଇ ବାଲେଶ୍ବର କ୍ରାଇମ ଡିଏସ୍‌ପି ଅମୂଲ୍ୟ ଧର, ସଦର ଏସ୍‌ଡିପିଓ ପଦାରବିନ୍ଦ ତ୍ରିପାଠୀ, ଚାନ୍ଦିପୁର ଥାନା ଆଇଆଇସି ଅଜୟ ମୁର୍ମୁ ଓ ଟାଉନ ଥାନା ଗୋପାଳ ଚନ୍ଦ୍ର କର୍ଣ୍ଣ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଘଟଣାକୁ ନେଇ ସ୍ଥାନୀୟବାସୀଙ୍କ ଭୟର ବାତାବରଣ ଦେଖିବାକୁ ମିଳିଛି ।

ଅନ୍ୟ ପକ୍ଷରେ ଆଜି ଦ୍ବିପ୍ରହର ସମୟରେ ବାଲେଶ୍ବର ସହର ଟାଉନ ଥାନା ଅଧୀନ ମଲ୍ଲିକାଶପୁରଠାରେ ଜଣେ ବ୍ୟକ୍ତିଙ୍କୁ ବିଚ୍‌ ରାସ୍ତାରେ ଅଟକାଇ ମାରଣାସ୍ତ୍ର ଦେଖାଇବା ସହ ତାଙ୍କ ଠାରୁ ୩ ଲକ୍ଷ ଟଙ୍କା ଦୁର୍ବୃତ୍ତମାନେ ଲୁଟି ନେଇଥିବା ଖବର ମିଳିଛି । ଲୁଟ୍‌ର ଶିକାର ହୋଇଥିବା ବ୍ୟକ୍ତି ହେଲେ ସହର ଉପକଣ୍ଠ ସଦର ଥାନା ଅଧୀନ ଟୁଲଙ୍ଗସାହିର ଭାଗିରଥୀ ନାୟକ । ତାଙ୍କ ଅଭିଯୋଗ ଅନୁସାରେ, ଆଜି ଏକ ଜରୁରୀ କାମରେ ସେ ବାଲେଶ୍ବର ଷ୍ଟେଟ୍‌ ବ୍ୟାଙ୍କ ମୁଖ୍ୟ ଶାଖାରୁ ୩ ଲକ୍ଷ ଟଙ୍କା ଉଠାଇ ଏକ ବ୍ୟାଗରେ ଭର୍ତ୍ତି କରି ଖୁବ୍‌ ସତର୍କତାର ସହ ଘରକୁ ଫେରୁଥିଲେ । ତେବେ ମଲ୍ଲିକାଶପୁର ଠାରୁ ହରଗଙ୍ଗାପୋଖରୀ ଆଡ଼କୁ ଯିବା ଛକ ନିକଟରେ ତାଙ୍କୁ ୩/୪ ଜଣ ଅଜଣା ଯୁବକ ବାଇକ୍‌ରେ ଆସି ଅଟକାଇବା ସହ ମାରଣାସ୍ତ୍ର ଦେଖାଇ ଟଙ୍କା ବ୍ୟାଗ୍‌ ମାଗିଥିଲେ । ସେ ନଦେବାରୁ ତାଙ୍କୁ ଧକ୍କା ମାରି ତାଙ୍କ ବ୍ୟାଗ୍‌ ଛଡ଼ାଇ ନେଇଥିବା ସେ ଅଭିଯୋଗ କରିଛନ୍ତି । ଖବର ପାଇ ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ଏନେଇ ସେ ଥାନାରେ ମଧ୍ୟ ଲିଖିତ ଅଭିଯୋଗ କରିଥିବା ଜଣାଇଛନ୍ତି ।

ସୂଚନାଥାଉକି, ଗତ ପାଞ୍ଚଦିନ ମଧ୍ୟରେ ବାଲେଶ୍ବର ସହରର ଆଇନ୍‌ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ଭାବେ ବିଗିଡ଼ିଯାଇଛି । ଗତ ୩୦ ତାରିଖରେ ଜଣେ କେରଳୀ ଯୁବକଙ୍କୁ ଅପହରଣ ପରେ ଆକ୍ରମଣ କରି ତାଙ୍କ ଠାରୁ ୬୦ ହଜାର ଟଙ୍କା ଲୁଟ୍‌ କରିଥିଲେ । ଉକ୍ତ ଯୁବକଜଣକ ଚିକିତ୍ସାଧୀନ ଅବସ୍ଥାରେ ପରଦିନ ଆଖି ବୁଜିଥିବା ବେଳେ ସେହିଦିନ ସାରଗାଁ ଛକରେ ଜଣେ ବାଇକ୍‌ ଆରୋହୀଙ୍କୁ ଦୁର୍ବୃତ୍ତମାନେ ଖଣ୍ଡାରେ ହାଣି ଲହୁଲୁହାଣ କରିଥିଲେ । ଏହା ସହିତ ଦୁଇଦିନ ପୂର୍ବରୁ ବାଲେଶ୍ବର ସହରର ୩୧ ନମ୍ବର ୱାର୍ଡ କାଉନସିଲର ରଂଜିତା ମହାପାତ୍ର ଓ ବିଜେପି ନେତ୍ରୀ ମହୁଆ ପ୍ରଧାନ ଛିନ୍‌ତାଇର ଶିକାର ହୋଇଛନ୍ତି । ସହରରେ ପୁଲିସ ନିଷ୍କ୍ରିୟ ହୋଇପଡ଼ିଥିବା ବେଳେ ଅପରାଧୀମାନେ ଏଭଳି ଆତଙ୍କ ସୃଷ୍ଟି କରିବା ସହରବାସୀଙ୍କ ଜୀବନଜୀବିକାର ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *