ଛାତ୍ରଛାତ୍ରୀଙ୍କୁ ମିଳୁନି ମଧ୍ୟାହ୍ନ‌ଭୋଜନ ଚାଉଳ

ଧର୍ମଶାଳା : ଧର୍ମଶାଳା ବ୍ଲକର କେତେକ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟାହ୍ନଭୋଜନ ଦେବା ପାଇଁ ଚାଉଳ ମିଳୁନି । ଦାୟିତ୍ବରେ ଥିବା ଯୋଗାଣକାରୀ ସଂସ୍ଥା ନିର୍ଦ୍ଧାରିତ ସମୟରେ ଚାଉଳ ଦେଇ ନଥିବାରୁ ଏଭଳି ଅଭାବ ହୋଇଥିବା ଜଣାପଡ଼ିଛି । କରୋନା ମହାମାରୀ ପାଇଁ ଦୁଇବର୍ଷ ହେଲା ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ କାର୍ଯ୍ୟକ୍ରମ ବନ୍ଦ ରହିଥିଲା । କରୋନା କମିବା ପରେ ସ୍କୁଲ ଖୋଲିବାରୁ ଗତ ୨ ତାରିଖରୁ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟାହ୍ନଭୋଜନ ଦିଆଯାଉଛି । ଏକସପ୍ତାହ ହେଲା ବିଦ୍ୟାଳୟରେ ଚାଉଳ ପହ‌ଞ୍ଚି ନାହିଁ କିମ୍ବା ଏଥିପାଇଁ ଆବଶ୍ୟକ ଅର୍ଥ ମଧ୍ୟ ପ୍ରଦାନ କରାଯାଇନାହିଁ । ଫଳରେ ବିଭିନ୍ନ ବିଦ୍ୟାଳୟରେ ଦାୟିତ୍ବରେ ଥିବା ଶିକ୍ଷକ ଚାଉଳ ପାଇଁ ବ୍ୟାଗ୍ ଧରି ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି । ଏହାର ଏକ ଉଦାହରଣ ଆଜି ଦେଖିବାକୁ ମିଳିଛି ଗଙ୍ଗାଧରପୁର ପଞ୍ଚାୟତ ରଥିଆ ପ୍ରକଳ୍ପ ଉପ୍ରା ବିଦ୍ୟାଳୟରେ ।

ଏହି ବିଦ୍ୟାଳୟର ୮ଟି ଶ୍ରେଣୀରେ ୮୪ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ସେମାନଙ୍କ ପାଇଁ ମଧ୍ୟାହ୍ନଭୋଜନ ପ୍ରସ୍ତୁତ କରିବାକୁ ବିଦ୍ୟାଳୟରେ ଚାଉଳ ମୁଠେ ନଥିଲା । ବାଧ୍ୟହୋଇ ଦାୟିତ୍ବରେ ଥିବା ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଅଜୟ କୁମାର ସେଠୀ ବ୍ୟାଗ୍ ଧରି ଗାଁ ଦୋକାନକୁ ଚାଉଳ କିଣିବା ପାଇଁ ଯାଇଥିଲେ । ଏଣେ ମଧ୍ୟାହ୍ନଭୋଜନ ବନ୍ଦ ହୋଇଗଲେ ଅଭିଭାବକଙ୍କ ଆକ୍ରୋଶ । ଅନ୍ୟପଟେ ଚାଉଳ ଯୋଗାଣକାରୀ ସଂସ୍ଥାର ଦାୟିତ୍ବହୀନତା । ଏଥିପ୍ରତି ମଧ୍ୟାହ୍ନଭୋଜନ ଦାୟିତ୍ବରେ ଥିବା ନୋଡାଲ ଅଧିକାରୀ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଅଭିଭାବକ ମହଲରେ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *