ଵଣାଇ : ଵଣାଇ ଉପଖଣ୍ଡରେ ଅବସ୍ଥିତ ଏକମାତ୍ର ସରକାରୀ ଡ଼ାକ୍ତରଖାନା ଦୀର୍ଘ ଦିନ ଧରି ବିଭିନ୍ନ ସମସ୍ୟା ଦେଇ ଗତି କରୁଥିଲେ ମଧ୍ୟ ସେଥିପ୍ରତି ସରକାରଙ୍କ କୈାଣସି ଆନ୍ତରିକତା ନଥିବା ଦେଖିବାକୁ ମିଳୁଛି । ଉପଖଣ୍ଡରେ ଥିବା ଏହି ଏକ ମାତ୍ର ସରକାରୀ ଡ଼ାକ୍ତରଖାନା ଉପରେ ଚାରୋଟି ବ୍ଲକ୍ ର ଶହ ଶହ ରୋଗୀ ପ୍ରତ୍ୟେକ ଦିନ ଚିକିତ୍ସା ନିମନ୍ତେ ନିର୍ଭର କରିଆସୁଛନ୍ତି । କିନ୍ତୁ ଦୀର୍ଘ ଦିନ ଧରି ଡାକ୍ତରଖାନାରେ ବିଶେଷଜ୍ଞ ଡାକ୍ତର ମରୁଡି ପଡ଼ିଥିବା ଦେଖାଯାଇଛି । ପୂର୍ବରୁ ନିୟୋଜିତ ଥିବା ବିଭିନ୍ନ ବିଶେଷଜ୍ଞ ଡାକ୍ତରମାନଙ୍କୁ କୋଭିଡ ସମୟରେ ଅନ୍ୟତ୍ର ବଦଳି କରିଦେଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ତାଙ୍କ ସ୍ଥାନରେ ନୂତନ ଡାକ୍ତର ନିଯୁକ୍ତି କରାଯାଇ ନାହିଁ । ଫଳରେ ପ୍ରତ୍ୟେକ ଦିନ ଦୂରଦୂରାନ୍ତରୁ ଆସିଥିବା ରୋଗୀମାନଙ୍କୁ ଏଠାରେ ଚିକିତ୍ସା କରିବା ପରିବର୍ତ୍ତେ, ସଙ୍ଗେ ସଙ୍ଗେ ୬୦ କି:ମି ଦୂର ରାଉରକେଲା ସରକାରୀ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରି ଦିଆଯାଉଛି । ଫଳରେ ରୋଗୀ ସହିତ ତାଙ୍କ ସହାୟକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜିଲ୍ଲା ଖଣିଜ ପ୍ରତିଷ୍ଠାନର ସହାୟତାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି କେବଳ ନୂତନ କୋଠା ତିଆରି ଚାଲିଥିବା ବେଳେ ସ୍ବାସ୍ଥ୍ୟ ସେବାର ଉନ୍ନତି ପାଇଁ ଡାକ୍ତର ଅଭାବ ପୂରଣ କରିବାରେ ସରକାର ସକ୍ଷମ ହୋଇପାରୁନାହାଁନ୍ତି ।

ଗତକାଲି ଠାରୁ ଵଣାଇରେ ପ୍ରାକ୍ ମୌସୁମୀ ବର୍ଷାର ଆଗମନରେ ଅପରାହ୍ନରେ ଲଗାଣ ବର୍ଷା ଯୋଗୁଁ ଡ଼ାକ୍ତରଖାନାର ବିଭିନ୍ନ ୱାର୍ଡରେ ବର୍ଷା ଜଳ ପଶି ସମ୍ପୂର୍ଣ୍ଣ କୋଠରୀଗୁଡିକ ଜଳମଗ୍ନ ହେବା ଯୋଗୁଁ ରୋଗୀ ସହିତ ତାଙ୍କ ସହାୟକମାନେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିବା ଜଣାପଡିଛି । ଦୀର୍ଘ ବର୍ଷ ଧରି ଫାଟକ ସମ୍ମୁଖ ରାସ୍ତାରେ ଅଧାପନ୍ତରିଆ ଡ୍ରେନ ଯୋଗୁଁ ଅସରାଏ ବର୍ଷା ହେଲେ ପାଣି ଜମି ପୋଖରୀର ଭ୍ରମ ସୃଷ୍ଟି କରୁଛି । ତେଣୁ ଆଗାମୀ ବର୍ଷା ଦିନକୁ ଦୃଷ୍ଟିରେ ରଖି ପ୍ରଶାସନ ଏ ସମସ୍ତ ସମସ୍ୟାର ସମାଧାନ କରିବା ନିମନ୍ତେ ବଣାଇ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।
