ରୋଗଣା କରୁଛି ବୋରୱେଲ୍‌ ପାଣି, ରାଜଧାନୀ ବୋରୱେଲ୍‌ ପାଣି ପିଇବା ଯୋଗ୍ୟ ନୁହେଁ

ଭୁବନେଶ୍ବର : ସରକାରଙ୍କର ସବୁ ଘରକୁ ପିଇବା ପାଣି ଯୋଗାଣ‌ ଲକ୍ଷ୍ୟ ପୂରଣ ହୋଇପାରୁନି । ଏପଟେ ଯେତିକି ଘରକୁ ପିଇବା ପାଣି ସଂଯୋଗ ଦିଆଯାଇଛି ସେତିକି ପାଣି ପର୍ଯ୍ୟାପ୍ତ ହେଉନି । ଯେଉଁଥି ପାଇଁ ସହରାଞ୍ଚଳରେ ଘରେ ଘରେ ବୋରୱେଲ୍‌ ଉପରେ ଲୋକ ନିର୍ଭର କରୁଛନ୍ତି । ହେଲେ ୩୦ଟି ଯାକ ଜିଲ୍ଲାର ଅଧିକାଂଶ ସ୍ଥାନରେ ବୋରୱେଲ୍‌ ପାଣି ଆଉ ପିଇବା ଯୋଗ୍ୟ ନାହିଁ । ଲୋକ ବୋରୱେଲ୍ ପାଣି ପିଇବା ଦ୍ବାରା ବହୁ ପେଟ, କିଡ୍‌ନି, ଚର୍ମ ରୋଗରୁ ଆରମ୍ଭ କରି ବିଭିନ୍ନ ରୋଗର ଶିକାର ହେଉଛନ୍ତି । ହେଲେ ରାଜଧାନୀରେ ଖଣ୍ଡଗିରି, ୟୁନିଟ-୬ସ୍ଥିତ କ୍ୟାପିଟାଲ ହସ୍ପିଟାଲ ଅଞ୍ଚଳ, ଚନ୍ଦ୍ରଶେଖରପୁର, ପୁରୁଣା ଭୁବନେଶ୍ବର, କଳ୍ପନା-ଲକ୍ଷ୍ମୀସାଗର ଅଞ୍ଚଳରେ ପାଣି ସବୁଠୁ ଅଧିକ ପ୍ରଦୂଷିତ । ପାଣିର ପ୍ରଦୂଷଣ ମାତ୍ରା ବଢ଼ାଇବାକୁ ଯେଉଁ ଯେଉଁ ଉପାଦାନ ଦରକାର ତାହା ଏହି ସବୁ ଅଞ୍ଚଳର ବୋରୱେଲ୍‌ ପାଣିରେ ଭରି ହୋଇ ଅଛି ।

ଏହିଭଳି ଏକ ରିପୋର୍ଟ ରାଜ୍ୟ ପ୍ରଦୂଷଣ ବୋର୍ଡ ନଗର ଉନ୍ନୟନ ବିଭାଗ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଜଳସମ୍ପଦ ବିଭାଗକୁ ଦେଇଛି । ରାଜ୍ୟର ଅଧିକାଂଶ ସ୍ଥାନରେ ଲୋକମାନେ ବୋରୱେଲ୍‌ ମାଧ୍ୟମରେ ବିଷାକ୍ତ ପାଣି ପିଉଛନ୍ତି ବୋଲି ଏହି ରିପୋର୍ଟରୁ ଜଣାପଡ଼ିଛି ।

ରାଜ୍ୟ ପ୍ରଦୂଷଣ ବୋର୍ଡ ପକ୍ଷରୁ ୨୦୨୧ ଏପ୍ରିଲରୁ ଅକ୍ଟୋବର ମଧ୍ୟରେ ସର୍ଭେ ହୋଇଥିବାବେଳେ ପାଣିରେ ପିଏଚ୍‌, ନାଇଟ୍ରେଟ୍, ଫ୍ଲୋରାଇଡ୍‌, ଆଇରନ୍, ଟୋଟାଲ କଲିଫର୍ମ, ଫେସାଲ କଲିଫର୍ମ, କ୍ଲୋରାଇଡ୍, ଟର୍ବିଡିଟି ସମେତ କେଉଁ ଉପାଦାନ କେତେ ମାତ୍ରାରେ ଅଛି ତା’ର ରିପୋର୍ଟ ଦିଆଯାଇଛି । ଏହି ସର୍ଭେ ରିପୋର୍ଟ ଦର୍ଶାଇ ଦେଇଛି ଯେ, ବର୍ଜ୍ୟଜଳ ବିଶୋଧନ ପାଇଁ ବ୍ୟାପକ ବ୍ୟବସ୍ଥା ନଥିବାରୁ ବର୍ଜ୍ୟ ଜଳ ଜମି ଜମି ଏହା ଭୂତଳ ଜଳକୁ ପ୍ରଦୂଷିତ କରିଦେଲାଣି । ଏପରିକି ୧୫୦ ରୁ ୨୦୦ ଫୁଟ ସ୍ତରରେ ଅଧିକାଂଶ ସ୍ଥାନରେ ବୋରୱେଲ୍‌ ପାଣି ଉଠାଉଥିବାବେଳେ ଏହା ପ୍ରଦୂଷିତ ହୋଇଯାଇଛି । ଯେଉଁଥି ପାଇଁ ପାଣିରେ ଜେଲଡାହାଲ ନାଇଟ୍ରୋଜେନ୍, ଫସଫରସ୍‌, ପୋଟାସିୟମ ଓ କାଲସିୟମ ମାତ୍ରା ଅଧିକ ରହୁଛି ।

ରାଜ୍ୟ ପ୍ରଦୂଷଣ ବୋର୍ଡର ରିପୋର୍ଟ ଅନୁଯାୟୀ, ଖଣ୍ଡଗିରି ଓ କ୍ୟାପିଟାଲ ହସ୍ପିଟାଲ ଅଞ୍ଚଳରେ ପାଣି ଅଧିକ ପ୍ରଦୂଷିତ । ଏଠାରେ ପାଣିରେ ନାଇଟ୍ରୋଜେନ୍, ଆଇରନ୍, ଟର୍ବିଡିଟି ଅଧିକ ରହୁଛି । ଖଣ୍ଡଗିରି ଅଞ୍ଚଳରେ ଗୋଟିଏ ଲିଟର ପାଣିରେ ୬.୨୫୦ ମିଲିଗ୍ରାମ୍ ଆଇରନ୍ ରହୁଥିବାବେଳେ ଜେଲଡାହାଲ ନାଇଟ୍ରୋଜେନ୍ ୭.୨୮ମିଲିଗ୍ରାମ ରହୁଛି । ଖଣ୍ଡଗିରି ଅଞ୍ଚଳରେ ପାଣିରେ ଆଇରନ୍ ବା ଲୌହ ଅଂଶ ପ୍ରତି ଲିଟର ପାଣିରେ ୬.୨୫୦ ମିଲିଗ୍ରାମ୍ ରହୁଛି, କ୍ୟାପିଟାଲ ହସ୍ପିଟାଲ ଅଞ୍ଚଳରେ ଆଇରନ୍ ୭.୮୨୫ ମିଲିଗ୍ରାମ୍ ଏବଂ ନାଇଟ୍ରୋଜେନ୍ ୫.୬ ମିଲିଗ୍ରାମ୍ ରହୁଛି । ଯେତେବେଳେ କି ଆଇରନ୍‌ ମାତ୍ରା ୧ ଲିଟର ପାଣିରେ ସର୍ବାଧିକ ୧ ମିଲିଗ୍ରାମ୍ ଏବଂ ଜେଲଡାହାଲ ନାଇଟ୍ରୋଜେନ୍ ୨ ମିଲିଗ୍ରାମ୍ ରହିବା କଥା‌ । ନାଇଟ୍ରୋଜେନ୍ ପରିମାଣ ଅଧିକ ରହିଲେ ଲୋକଙ୍କ ଶ୍ବାସକ୍ରିୟା ଏବଂ ଦୃଷ୍ଟିଶକ୍ତି ଉପରେ ପ୍ରଭାବ ପକାଉଛି ।

କେବଳ ଖଣ୍ଡଗିରି କି କ୍ୟାପିଟାଲ ହସ୍ପିଟାଲ ଅଞ୍ଚଳ ନୁହେଁ, ପୁରୁଣା ଭୁବନେଶ୍ବରର ସାମନ୍ତରାପୁରରେ ଜେଲଡାହାଲ ନାଇଟ୍ରୋଜେନ୍ ମାତ୍ରା ୫.୦୪ଏ ମ୍‌ଜି/ଲି, କଳ୍ପନା-ଲକ୍ଷ୍ମୀସାଗର ଅଞ୍ଚଳରେ ୬.୧୬, ଲୋକସେବା ଭବନରୁ ରାଜଭବନ ଏବଂ ପୁରୁଣା ବସଷ୍ଟାଣ୍ଡ ଅଞ୍ଚଳରେ ପ୍ରତି ଲିଟର ପାଣିରେ ୪.୪୮ ମିଲିଗ୍ରାମ୍ ରହୁଛି । କନ୍ଧମାଳ ବର୍ଜ୍ୟବସ୍ତୁ ପରିଚାଳନା ଅଞ୍ଚଳରେ ଏହା ୬.୭୨, ପୁରୀରେ ଜଗନ୍ନାଥ ମନ୍ଦିର ନିକଟରେ ୫.୦୪, କେନ୍ଦ୍ରାପଡ଼ା କୋର୍ଟ ଛକରେ ୭.୨୮, ହଜାରି ବଗିଚାରେ ୫.୦୪, ଝାରସୁଗୁଡ଼ାର ବେଲପାହାଡ଼ରେ ୬.୭୨, ରାମପୁରରେ ୪.୪୮, ଦେବଗଡ଼ ସରକାରୀ ମେଡିକାଲ କଲେଜ ପରିସରରେ ୪.୪୮, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ୩.୯୨, କଟକ ଜିଲ୍ଲା ବଡ଼ମ୍ବା‌େର ୪.୪୮, ବିଡ଼ାନାସିରେ ୩.୯୨, ବାଲେଶ୍ବରର କୁଆଁରପୁରରେ ୬.୦୯ମିଲିଗ୍ରାମ୍ ରେକର୍ଡ ହୋଇଛି ।

ସେହିପରି ରାଜ୍ୟର ଅଧିକାଂଶ ସ୍ଥାନରେ(ଟର୍ବିଡିଟି) ଗୋଳିଆ ପାଣି ଆସୁଛି । ପାଣିରେ ସିସା, ପାରଦ ଏବଂ କ୍ୟାଡମିୟମ୍ ରହୁଛି । ‌ଯାହାକୁ ପିଇଲେ ଲୋକଙ୍କର ଖାଇବା ଶକ୍ତି ଏବଂ ହଜମ କ୍ଷମତା କମିଯାଉଛି । ଲୋକଙ୍କୁ ହାଲିଆ ଲାଗିବା, ସିର ଟାଣିହେବା, ମୁଣ୍ଡ ବିନ୍ଧା ଭଳି ରୋଗ ହେଉଛି । ଗୋଟିଏ ଲିଟର ପାଣିରେ ୧ ଏନ୍‌ଟିୟୁ ଟର୍ବିଡିଟି ରହିପାରିବ ବା ସର୍ବାଧିକ ୫ ଟର୍ବିଡିଟି ଚଳନୀୟ ଥିଲେ ହେଁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଗୋଳିଆ ପାଣି ଆସୁଛି । ସୁନ୍ଦରଗଡ଼ର ଟେନ୍‌ସାରେ ୬.୬ ଏନ୍‌ଟିୟୁ, ସୋନପୁରର ଗୁଣ୍ଡିଚାମନ୍ଦିର ନିକଟରେ ୬ ମିଲିଗ୍ରାମ୍ ଅଛି । ଭୁବନେଶ୍ବରରେ ଖଣ୍ଡିଗରି ଅଞ୍ଚଳରେ ୬, ଚନ୍ଦ୍ରଶେଖରପୁର‌େର ୭, ଲୋକସେବାଭବନ-ରାଜଭବନ-ପୁରୁଣା ବସଷ୍ଟାଣ୍ଡ ଅଞ୍ଚଳରେ ୧୧ ମିଲିଗ୍ରାମ୍ ରହିଛି ।

ମୟୂରଭଞ୍ଜରେ ତ ସ୍ଥିତି ସାଂଘାତିକ । କୁସୁମି ବ୍ଲକ ଅଫିସ ନିକଟରେ ଟର୍ବିଡିଟି ୭୦ ଏନ୍‌ଟିୟୁ ଅଛି । ଯାହା ସର୍ବାଧିକ ଚଳନୀୟ ୧୪ ଗୁଣା ଅଧିକ । ଜଗତପୁରରେ ଟର୍ବିଡିଟି ୪୦, ବାଦାମବାଡ଼ିରେ ୨୦, ବିଡାନାସିରେ ୮, ଢେଙ୍କାନାଳସ୍ଥିତ ଗଜମାନ ୟୁପି ସ୍କୁଲରେ ୧୩ ଏନ୍‌ଟିୟୁ ରହିଛି ।ଜଗତସିଂହପୁର ଜିଲ୍ଲାର ପାରାଦୀପରେ ବଡ଼ପାଦିଆରେ ପିଏଚ୍‌ ଭାଲ୍ୟୁ ୮.୫ ରହିଛି । ସେହିପରି ଏହି ଜିଲ୍ଲାର ମୂଷାଡିହ ଏବଂ ବଡ଼ପଦିଆରେ କ୍ଲୋରାଇଡ୍‌ ପରିମାଣ ସବୁୁଠୁ ଅଧିକ । ୧ ଲିଟର ପା‌ଣିରେ ୨୫୦ ମିଲିଗ୍ରାମ୍ କ୍ଲୋରାଇଡ୍ ଗ୍ରହଣୀୟ ହୋଇଥିବାବେଳେ ମୂଷାଡିହରେ ୬୪୫.୭, ବଡ଼ପଦିଆରେ ୩୫୫.୮ ମିଲିଗ୍ରାମ୍ ରେକର୍ଡ ହୋଇଛି । ବରଗଡ଼ର ଗଣପତି ହୋଟେଲ ନିକଟରେ ୧୦୯୫.୪ ମିଲିଗ୍ରାମ୍ କ୍ଲୋରାଇଡ୍ ମିଳିଛି । ଏହାକୁ ପିଇଲେ କିଡ୍‌ନି ଷ୍ଟୋନ୍ ଜନିତ ରୋଗ ଦେଖାଦେବ ।

ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଅଧିକ ଆଇରନ୍‌ ଥିବା ପାଣି ବଡମ୍ବାରେ ୨.୬୨୦ମିଲିଗ୍ରାମ୍, ଦେବଗଡ଼ରେ ୧.୦୫୮, ବ୍ରହ୍ମପୁର ବସଷ୍ଟାଣ୍ଡ ନିକଟରେ ୨.୦୮, ଯାଜପୁର କାଳିଆପାଣିରେ ୨.୯୫୭, ଇବ୍‌ ଥର୍ମାଲ୍ ପାୱାର ଷ୍ଟେସନରେ ୩.୩୨, ରାମପୁରରେ ୨.୦୫, କେନ୍ଦ୍ରାପଡ଼ା କୋର୍ଟ ଛକରେ ୧.୪୯ମିଲିଗ୍ରାମ୍ ଅଛି । ରାଜ୍ୟ ସରକାର ଜଳଯୋଗାଣ ସଂସ୍ଥାଗୁଡ଼ିକ ଏହି ରିପୋର୍ଟ ପାଇଥିଲେ ବି ଏହା ଉପରେ କେହି କାର୍ଯ୍ୟାନୁଷ୍ଠାନ ନନେଇ ଚୁପ୍ ବସିଯାଇଛନ୍ତି ।

Leave a Reply

Your email address will not be published. Required fields are marked *