ସ୍କୁଲ ପାଚେରି ନିର୍ମାଣ ନିମ୍ନମାନର ଅଭିଯୋଗ, କାମ ବନ୍ଦ କଲେ ସ୍କୁଲ ପରିଚାଳନା କମିଟି

ଲାଞ୍ଜିଗଡ଼ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଉଚ୍ଚପ୍ରାଥମିକ ବିଦ୍ୟାଳୟ ବିପଦସଂକୁଳ ଅବସ୍ଥାରେ ରହିଛି । ତେବେ ଏହି ସ୍କୁଲର ପାଚେରି ନିର୍ମାଣ କାମ ନିମ୍ନମାନର ହେଉଥିବା ଅଭିଯୋଗ କରି ସ୍କୁଲ ପରିଚାଳନା କମିଟି କାମ ବନ୍ଦ କରିଦେଇଛି ।

୧୮୯୧ ମସିହାରେ ସ୍ଥାପିତ ଏହି ବିଦ୍ୟାଳୟ ଅନେକ ଶ୍ରେଣୀ ଗୃହ ଭଙ୍ଗା ଦଦରା ଅବସ୍ଥାରେ ପଡ଼ିରହିଛି । ଏଠାରେ ବର୍ତ୍ତମାନ ୩୩୦ ରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । କୋଠରିର କାନ୍ଥ ଏବଂ ଚଟାଣ ଫାଟି ଆଁ କରିଛି । ଶିକ୍ଷକଙ୍କ ଅଫିସ କୋଠା ଛାତରୁ ମଧ୍ୟ ସିମେଣ୍ଟ ଖଣ୍ଡ ବାହାରୁଛି । ସ୍କୁଲରେ ଏଭଳି ନାନା ସମସ୍ୟା ଲାଗି ରହିଥିବା ବେଳେ ମୁଖ୍ୟ ରାସ୍ତା କଡ଼ରେ ଥିବା ପ୍ରାୟ ୩୦ ମିଟର ପାଚେରି ଭାଙ୍ଗି ଯାଇଥିବା ଫଳରେ ଯେତିକି ବି ଅଛି ତାହା ମଧ୍ୟ ବିପଦସଂକୁଳ ଅବସ୍ଥାରେ ରହିଛି । ପାଚେରି ଭାଙ୍ଗି ଯାଇଥିବା ଯୋଗୁ ବୁଲା ଗାଈ-ଛେଳି ସ୍କୁଲକୁ ପଶୁଥିଲେ ।

ପରିଚାଳନା କମିଟି ଓ ଅଭିଭାବକମାନେ ପାଚେରି ଓ ସ୍କୁଲର ପରିସ୍ଥିତିକୁ ନେଇ ଅନେକ ଥର ଅଭିଯୋଗ କରିବା ପରେ ପାଚେରି ନିର୍ମାଣ ପାଇଁ ବ୍ଲକ୍‌ ପ୍ରଶାସନ ପକ୍ଷରୁ ଅନୁମତି ମିଳିଥିଲା । ଏହାପରେ ଲାଞ୍ଜିଗଡ଼ ପଞ୍ଚାୟତ ପକ୍ଷରୁ ୫ ଲକ୍ଷ ଟଙ୍କା ମଞ୍ଜୁର ହୋଇ କାମ ଆରମ୍ଭ ହୋଇଛି । ନିର୍ମାଣ କାର୍ଯ୍ୟ ଲାଞ୍ଜିଗଡ଼ ପଞ୍ଚାୟତ ଅଧୀନରେ ରହିଥିବା ବେଳେ ପଞ୍ଚାୟତ ପକ୍ଷରୁ କୌଣସି କର୍ମଚାରୀ କାମ ଜାଗାରେ ଉପସ୍ଥିତ ନରହି କାମ ଦେଖାରେଖା ପାଇଁ କିଛି ଯୁବକଙ୍କୁ ନିୟୋଜିତ କରିଛନ୍ତି । ଫଳରେ ପାଚେରି ନିର୍ମାଣ କାମ ଅତି ନିମ୍ନମାନର ହେଉଥିବା ଦାୟିତ୍ବରେ ଥିବା ଯନ୍ତ୍ରୀ ରଞ୍ଜନ ଦାସ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ପରମେଶ୍ବର ସେନାପତିଙ୍କୁ ସ୍କୁଲ କମିଟି ପକ୍ଷରୁ ଅଭିଯୋଗ କରାଯାଇଥିଲା । ଅଭିଯୋଗ ପରେ ମଧ୍ୟ ପଞ୍ଚାୟତ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନଥିବା ଯୋଗୁ ଆଜି ସ୍କୁଲ ପରିଚାଳନା କମିଟି ସଭାପତି ବଳରାମ ପୂଜାରୀ, କମିଟି ସଦସ୍ୟ ବବ୍ରୁବାହାନ ନାଏକ, କିଶୋର ନାଏକ, ରଞ୍ଜିତା ପୂଜାରୀ, ଲିଙ୍ଗରାଜ ବାରିକ ସମେତ ଅଭିଭାବକ ଉପସ୍ଥିତରେ କାମକୁ ବନ୍ଦ କରିଛନ୍ତି। ଏ ବାବଦରେ ଦାୟିତ୍ୱରେ ଥିବା ଯନ୍ତ୍ରୀ ଶ୍ରୀ ଦାସଙ୍କୁ ପଚାରିବାରୁ, କାମ ବନ୍ଦ ରହିଛି, ତଦନ୍ତ କରି ଶୀଘ୍ର କାମ ଆରମ୍ଭ ହେବ ବୋଲି କହିଥିଲେ ।

Leave a Reply

Your email address will not be published. Required fields are marked *