କାର୍ଯ୍ୟକ୍ଷମ ହେଉନି ୭.୫୦ କୋଟିର ‌‘ଅନ୍ବେଷା’ ହଷ୍ଟେଲ, ଛାତ୍ରଛାତ୍ରୀଙ୍କ ବଦଳରେ ରହୁଛନ୍ତି ହକି ଷ୍ଟାଡ଼ିୟମ ଶ୍ରମିକ

ରାଉରକେଲା : ଗରିବ ଛାତ୍ରଛାତ୍ରୀ ଇଂରାଜୀ ସ୍କୁଲରେ ଶିକ୍ଷା ପାଇବାରେ ସହାୟତା କରିବା ପାଇଁ ସରକାର ଆରମ୍ଭ କରିଛନ୍ତି ‘ଅନ୍ବେଷା’ ଯୋଜନା । କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ଏହି ଯୋଜନାର ଲକ୍ଷ୍ୟ ହେଉଛି, ଗ୍ରାମାଞ୍ଚଳର ଗରିବ ଛାତ୍ରଛାତ୍ରୀ ସହରର ଇଂରାଜୀ ମାଧ୍ୟମ ସ୍କୁଲରେ ପଢ଼ିବାକୁ ଉତ୍ସାହିତ କରିବା ଓ ସୁଯୋଗ ଦେବା । ସେମାନଙ୍କ ସ୍କୁଲ ପଢ଼ା ଖର୍ଚ୍ଚ ସହିତ ବହିପତ୍ର, ରହିବା ଓ ଖାଇବା ଖର୍ଚ୍ଚ ସରକାର ବହନ କରୁଛନ୍ତି । ଏହିଭଳି ଛାତ୍ର ଛାତ୍ରୀଙ୍କ ପାଇଁ ୭ କୋଟି ୫୦ ଲକ୍ଷ ଟଙ୍କା ଖର୍ଚ୍ଚରେ ରାଉରକେଲାରେ ତିଆରି ହୋଇଛି ୩ଟି ହଷ୍ଟେଲ, ଯେଉଁଥିରେ ୯୦୦ ପିଲା ରହିବାର କଥା । କିନ୍ତୁ ପ୍ରାୟ ଦେଢ଼ବର୍ଷ ବିତି ଯାଇଥିଲେ ହେଁ ସେଥିରେ ପିଲା ରହୁ ନାହାନ୍ତି । ରହୁଛନ୍ତି ହକି ଷ୍ଟାଡ଼ିୟମ ଶ୍ରମିକମାନେ । ଏହି ଗରିବ ପିଲାମାନଙ୍କ ପାଇଁ, ଯେଉଁମାନଙ୍କ ଭିତରୁ ଅଧିକାଂଶ ହେଉଛନ୍ତି ଆଦିବାସୀ, କେହି ଚିନ୍ତା କରୁ ନାହାନ୍ତି ।

ନିଜସ୍ବ ହଷ୍ଟେଲ ନଥିବାରୁ ‘ଅନ୍ବେଷା’ ଅଧୀନରେ ପଢ଼ୁଥିବା ପିଲାମାନେ ବର୍ତ୍ତମାନ ରାଉରକେଲାର ତିନି ଚାରିଟି ଓଡ଼ିଆ ମାଧ୍ୟମ ସ୍କୁଲର ହଷ୍ଟେଲରେ ବାଣ୍ଟିହୋଇ ରହୁଛନ୍ତି । ସେମାନଙ୍କ ଭିତରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ପାଖାପାଖି ୧୧୦୦  ପିଲା ଅଛନ୍ତି । ସେମାନେ ସହରର ଭିନ୍ନ ଭିନ୍ନ ଇଂରାଜୀ ମାଧ୍ୟମ ସ୍କୁଲରେ ପାଠ ପଢ଼ୁଛନ୍ତି । ସେମାନଙ୍କ ପାଠ ପଢ଼ିବା ଠାରୁ ଆରମ୍ଭ କରି ଖାଇବା, ରହିବା ଓ ପୋଷାକ ଆଦି ସମସ୍ତ ଖର୍ଚ୍ଚ ସରକାର ବହନ କରୁଛନ୍ତି । କିନ୍ତୁ ସେମାନେ ପଢ଼ୁଥିବା ବେସରକାରୀ ସ୍କୁଲଗୁଡ଼ିକରେ ପିଲାମାନଙ୍କ ରହିବା ପାଇଁ ହଷ୍ଟେଲର ବ୍ୟବସ୍ଥା ନାହିଁ । ତେଣୁ ସେମାନେ ଉଦିତନଗର ସରକାରୀ ଉଚ୍ଚ ବିଦ୍ୟାଳୟ, ଜଗଦା ଆଶ୍ରମ ସ୍କୁଲ ଓ ଅନ୍ୟ କିଛି ସରକାରୀ ଓଡ଼ିଆ ମାଧ୍ୟମ ସ୍କୁଲର ହଷ୍ଟେଲରେ ବର୍ଷ ବର୍ଷ ଧରି ରହିଆସୁଛନ୍ତି । ଗତ ଦେଢ଼ବର୍ଷ ତଳୁ ଏମାନଙ୍କ ରହିବା ପାଇଁ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ (ବିପିୟୁଟି) ପାଚେରୀ ପାର୍ଶ୍ବରେ ୩୦୦ ଶଯ୍ୟାର ବିଶିଷ୍ଟ ୩ଟି କୋଠା ନିର୍ମାଣ ସରିଛି । ଓଡ଼ିଶା ସ୍ମଲ୍‌ ଇଣ୍ଡଷ୍ଟ୍ରିଜ୍‌ କର୍ପୋରେସନ୍‌ (ଓଏସ୍‌ଆଇସି) ଦ୍ବାରା ନିର୍ମିତ ଏହି ୩ଟି କୋଠାରେ ମୋଟ୍‌ ୭.୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ସେଗୁଡ଼ିକୁ ଦେଖିଲେ, ପିଲାଙ୍କ ସ୍ବାର୍ଥ ପାଇଁ ନୁହେଁ, ଯେମିତି ଠିକାଦାରଙ୍କୁ ପୋଷିବାଲାଗି ହିଁ ସେଗୁଡ଼ିକୁ ତିଆରି କରା ଯାଇଥିବା ଭଳି ମନେ ହେଉଛି ।

ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି)ର ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର ନିକଟରେ ଥିବା ନିଚ୍ଛାଟିଆ ସ୍ଥାନରେ ଏଗୁଡ଼ିକୁ ତିଆରି କରାଯାଇଛି । ତା’ର ଚତୁଃପାର୍ଶ୍ବରେ ପାଚେରୀ ଏଯାଏଁ ନିର୍ମାଣ ହୋଇନାହିଁ । ଏଥିସହ ସହ ବିଜୁଳି ଓ ପାନୀୟ ଜଳ ସଂଯୋଗ ମଧ୍ୟ ହୋଇ ନାହିଁ । କେବଳ ଏତିକି ନୁହେଁ, ହଷ୍ଟେଲ ଯିବାକୁ ରାସ୍ତାଟିଏ ମଧ୍ୟ ଏଯାଏଁ ହୋଇପାରିନି । ଏସବୁ କାମ କେବେ ହେବ, ବିଭାଗୀୟ ଅଧିକାରୀ ବା ନିର୍ମାଣକାରୀ ସଂସ୍ଥା ପାଖରେ କିଛି ସନ୍ତୋଷଜନକ ଉତ୍ତର ନାହିଁ । ସେପଟେ ଦେଢ଼ବର୍ଷ ଧରି ବନ୍ଦ ପଡିଥିବା ଏହି ୩ଟି କୋଠାରେ ବର୍ତ୍ତମାନ ନିର୍ମାଣଧୀନ ହକି ଷ୍ଟାଡିୟମରେ କାର୍ଯ୍ୟରତ ଶ୍ରମିକମାନେ ରହୁଛନ୍ତି । ତେଣୁ ଯେପର୍ଯ୍ୟନ୍ତ ହକି ଷ୍ଟାଡିୟମ ନିର୍ମାଣ କାମ ନ ସରିଛି ଓ ପୁରୁଷ ବିଶ୍ବ ହକି କପ୍‌ ଶେଷ ନ ହୋଇଛି, ସେ ପର୍ଯ୍ୟନ୍ତ ‌ଅନ୍ବେଷା ‌ହଷ୍ଟେଲ କାର୍ଯ୍ୟକ୍ଷମ ହେବାର ଆଶା ଦେଖା ଯାଉନାହିଁ ।

ଏ ସଂକ୍ରାନ୍ତରେ ଜିଲ୍ଲା ମଙ୍ଗଳ ଅଧିକାରୀ (ଡିଡବ୍ଲ୍ୟୁଓ) ପବିତ୍ରମୋହନ ପ୍ରଧାନଙ୍କୁ ପଚାରିବାରୁ ସେ କହିଛନ୍ତି, ‘‘ଆନୁଷଙ୍ଗିକ ବ୍ୟବସ୍ଥା ନଥିବାରୁ ପିଲାମାନଙ୍କୁ ସ୍ଥାନାନ୍ତର କରାଯାଇପାରୁ ନାହିଁ । ହଷ୍ଟେଲର ସ୍ଥିତି ସମ୍ପର୍କରେ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ।’’ ଓଏସ୍‌ଆଇସିର ପୂର୍ଣ୍ଣିମା ପ୍ରିୟଦର୍ଶନୀ କହିଲେ, ‘‘ପାଚେରୀ ପାଇଁ ଟେଣ୍ଡର ଆହ୍ବାନ କରାଯାଇଛି । ବିଜୁଳି ଓ ଅନ୍ୟାନ୍ୟ କାମ ବାବଦରେ ହେବାକୁ ଥିବା ଖର୍ଚ୍ଚ ପାଇଁ ବିଭାଗକୁ ମଞ୍ଜୁରି ପାଇଁ ଲେଖାଇଛି । ଅନୁମତି ମିଳିବା ପରେ କାମ ଆରମ୍ଭ ହୋଇଯିବ ।’’

Leave a Reply

Your email address will not be published. Required fields are marked *