ପୁରୀ : ଶ୍ରୀଗୁଣ୍ଡିଚା ମନ୍ଦିରରେ ଚାଲିଛି ଆଡ଼ପ ଦର୍ଶନ । ଆଡ଼ପମଣ୍ଡପରେ ବିଜେ ଠାକୁରଙ୍କୁ ଦର୍ଶନ କଲେ କୋଟିପୁଣ୍ୟ ମିଳିବାର ବିଶ୍ବାସ ଥିବାରୁ କାହିଁ କେତେ ଦୂରରୁ ଭକ୍ତମାନେ ଦର୍ଶନ ପାଇଁ ଆସୁଛନ୍ତି । ଏଥିପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରରେ ଭିଡ଼ ଦେଖିବାକୁ ମିଳିଛି । ଏହାର ସୁଯୋଗ ନେଇ କିଛି ପକେଟ୍ମାର ଶ୍ରୀଗୁଣ୍ଡିଚା ମନ୍ଦିର ଭିତରେ ଓ ବାହାରେ ଲୁଟପାଟ କରିବା ଆରମ୍ଭ କରି ଦେଇଛନ୍ତି । ବୁଧବାର ଦିନ କଟକରୁ ଆସିଥିବା ଏକ ଦମ୍ପତ୍ତି ପରିମାଣିକ ଦର୍ଶନ ବେଳେ ଏମାନଙ୍କ ଲୁଟ୍ର ଶିକାର ହୋଇଛନ୍ତି । ଲୁଟେରାମାନେ ଭ୍ୟାନିଟି ବ୍ୟାଗ ଚେନ୍ ଖୋଲି ଏଥିରେ ଥିବା ପର୍ସକୁ ଲୁଟି ନେଇଛନ୍ତି । ଯେଉଁଥିରେ ୫ ହଜାର ଟଙ୍କା ସହ ଏଟିଏମ କାର୍ଡ଼ ଓ ଅନ୍ୟାନ୍ୟ ଦରକାରୀ କାଗଜପତ୍ର ଥିଲା, ଯାହାକୁ ଲୁଟେରାମାନେ ଲୁଟି ନେଇଛନ୍ତି । ଏହି ଦମ୍ପତ୍ତି ହେଲେ କଟକ ସିଡିଏର ଧରିତ୍ରୀ ମହାନ୍ତି ଓ ରଘୁନାଥ ମହାନ୍ତି । ଧରିତ୍ରୀ ଏ ସଂପର୍କରେ କୁମ୍ଭାରପଡ଼ା ଥାନାରେ ଲିଖିତ ଅଭିଯୋଗ ବି କରିଛନ୍ତି ।
ଶ୍ରୀ ମହାନ୍ତିଙ୍କ କହିବା ମୁତାବକ, ସେ ଦର୍ଶନ ପୂର୍ବରୁ ଚୋରି ଆଶଙ୍କା କରି ସ୍ତ୍ରୀ ଧରିତ୍ରୀଙ୍କ ଭ୍ୟାନିଟିରେ ପର୍ସ ରଖି ଦେଇଥିଲେ । ପରେ ୫୦ ଟଙ୍କା ଦେଇ ପରିମାଣିକ ଟିକେଟ୍ କରି ଭିତରକୁ ଦର୍ଶନ ପାଇଁ ଯାଇଥିଲେ । ଟିକେଟ୍ କିଣିବା ବେଳେ ଭ୍ୟାନିଟିରୁ ପର୍ସ କାଢ଼ି ଟଙ୍କା ଦେବା ପରେ ପୁଣି ରଖି ଦେଇଥିଲେ । କିନ୍ତୁ ଗର୍ଭଗୃହରୁ ଦର୍ଶନ କରି ଫେରିବା ବେଳକୁ ତାଙ୍କ ପର୍ସ ନଥିଲା । ଭ୍ୟାନିଟିରେ ଚେନ୍ ଖୋଲା ଥିଲା । ଏ ସଂପର୍କରେ ସେ ଶ୍ରୀମନ୍ଦିର ସୂଚନା କେନ୍ଦ୍ରରେ ବି ଜଣାଇଥିବା ଶ୍ରୀ ମହାନ୍ତି କହିଛନ୍ତି । ଅନ୍ୟପଟେ ଟଙ୍କା ଛାଡ଼ି ଅନ୍ୟ ଦରକାରୀ କାଗଜପତ୍ର ଫେରାଇ ଦେବାକୁ ନିବେଦନ କରିଛନ୍ତି । ସେପଟେ ବୁଧବାର ଦିନକ ଭିତରେ କୁମ୍ଭାରପଡ଼ା ଥାନାରେ ଶ୍ରୀଗୁଣ୍ଡିଚା ମନ୍ଦିର ଭିତରେ ଓ ବାହାରେ ଚୋରି ସଂପର୍କରେ ଆହୁରି ୧୯ଟି ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି । ମାଳ ମାଳ ପୁଲିସ ଅଧିକାରୀ, କର୍ମଚାରୀଙ୍କ ଗହଳି ଭିତରେ ଏଭଳି ଚୋରି ସୁରକ୍ଷା ବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।
