ଅନୁଗୁଳ : ଧୀରେ ଧୀରେ ଖୋଲୁଛି ନକଲି କ୍ରୀଡ଼ା ଶିକ୍ଷକ/ଶିକ୍ଷୟିତ୍ରୀଙ୍କର କେଳେଙ୍କାରୀ । ରାଜ୍ୟର ଦୁଇ ଖ୍ୟାତାନାମା କଲେଜ ନାଁରେ ଏହି ଶିକ୍ଷକମାନେ କରିଛନ୍ତି ଜାଲ୍ ସାର୍ଟିଫିକେଟ୍ । ସେଠାରେ ଆଦୌ ନାଁ ନ ଲେଖାଇ ନିଜକୁ ସେଠାକାର କୃତି ବିଦ୍ୟାର୍ଥୀ ବୋଲି ଦର୍ଶାଇ ସରକାରଙ୍କୁ ଭୂଆଁ ବୁଲାଇଛନ୍ତି । ଅନୁଗୁଳ ଜିଲ୍ଲାରେ ଚାକିରି କରି ସରକାରୀ ତହବିଲ୍ରୁ ଲକ୍ଷ ଲକ୍ଷ ଟଙ୍କା ଉଠାଣ କରିଛନ୍ତି । ଅନୁଗୁଳ ଜିଲ୍ଲା ଶିକ୍ଷା ବିଭାଗ ସମ୍ପୃକ୍ତ କଲେଜକୁ ଯାଇ ଏହି ଶିକ୍ଷକମାନଙ୍କର ନାମ ଯାଞ୍ଚ କଲା ପରେ ଏକଥାର ଖୁଲାସା ହୋଇଛି । ଜିଲ୍ଲା ଶିକ୍ଷା ବିଭାଗ ଏନେଇ ବୋର୍ଡକୁ ମଧ୍ୟ ଚିଠି ଲେଖିଥିବା ଜଣାପଡ଼ିଛି ।
ସୂଚନା ମୁତାବକ, ଜାଲ୍ ସାର୍ଟିଫିକେଟ୍ ତିଆରି କରାଯାଇଥିବା କଲେଜ ଦୁଇଟି ହେଲା କଟକ ଜିଲ୍ଲା ତିରିଗିଆ ସ୍ଥିତି ପ୍ରସନ୍ନମଣି କଲେଜ ଅଫ୍ ଫିଜିକାଲ୍ ଏଜୁକେସନ୍ ଆଣ୍ଡ୍ ଯୋଗ ଏବଂ ବାଲେଶ୍ବର ଜିଲ୍ଲା ବାଲିଆପାଳ କଲେଜ ଅଫ୍ ଫିଜିକାଲ୍ ଏଜୁକେସନ୍ । ଶାରୀରିକ ଶିକ୍ଷା କ୍ଷେତ୍ରରେ ଏହି ଦୁଇଟି କଲେଜ ହେଉଛି ରାଜ୍ୟର ଜଣାଶୁଣା କଲେଜ । ତିଗିରିଆ କଲେଜ ବେଶ୍ ପ୍ରତିଷ୍ଠିତ । ଏନ୍ସିଟିଇ ଏବଂ ରାଜ୍ୟ ସରକାରଙ୍କ ଦ୍ବାରା ସ୍ବୀକୃତିପ୍ରାପ୍ତ ଏହି କଲେଜରେ ବିଦ୍ୟାର୍ଥୀମାନେ ଶାରୀରିକ ଶିକ୍ଷା ଉପରେ ପାଠ ପଢ଼ନ୍ତି । ଏଠାରୁ ଉତୀର୍ଣ୍ଣ ପିଲାମାନେ ସରକାରୀ ସ୍କୁଲରେ ପିଇଟି/ କ୍ରୀଡ଼ା ଶିକ୍ଷକ ହେବାକୁ ଯୋଗ୍ୟ ।
ଗତ ୨୦୧୨ ମସିହା ଠାରୁ ଆରମ୍ଭ କରି ବିଭିନ୍ନ ସମୟରେ ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍କୁଲରେ ଯେଉଁ ଶିକ୍ଷକମାନେ ପିଇଟିମାନେ ନିୟୋଜିତ ହୋଇଥିଲେ, ସେମାନେ ବାଲିଆପାଳ ଏବଂ ତିଗିରିଆ କଲେଜର ସାର୍ଟିଫିକେଟ୍ ରାଜ୍ୟ ସରକାରଙ୍କ ନିକଟରେ ୨ଖଲ କରିଥିଲେ । ଅନୁଗୁଳ ଜିଲ୍ଲାରେ ସେମାନଙ୍କୁ ନିଯୁକ୍ତି ଦିଆଯାଇଥିଲା ।
ଅନୁଗୁଳ ଜିଲ୍ଲା ଶିକ୍ଷା ବିଭାଗ ବି ସେମାନଙ୍କ ସାର୍ଟିଫିକେଟ୍ ତନଖି ନ ଥିଲା । କିଛି ଦିନ ତଳେ ହଠାତ୍ ଜିଲ୍ଲା ଶିକ୍ଷା ବିଭାଗ ନିକଟକୁ ଏକ ବେନାମି ଚିଠି ଆସିଥିଲେ । ଯେଉଁଥିରେ ଜାଲ୍ ସାର୍ଟିଫିକେଟ୍ ଦେଇ ଚାକିରି କରାଯାଇଥିବା କଥା ସୂଚନା ଦିଆଯାଇଥିଲା । ବେନାମି ଚିଠିର ଖୋଳତାଡ଼ କରୁ କରୁ ବିଭାଗର ସନ୍ଦେହ ଆହୁରି ଦୃଢ଼ୀଭୂତ ହୋଇଥିଲା ।
୨୦୧୬ ବ୍ୟାଚ୍ର ୯ ଜଣ ଶିକ୍ଷକଙ୍କ ସାର୍ଟିଫିକେଟ୍ ନେଇ ତିଗିରିଆ କଲେଜକୁ ଜିଲ୍ଲା ଶିକ୍ଷା ବିଭାଗ ଯାଇଥିଲା । କଲେଜ ରେଜିଷ୍ଟର ତନଖିଲା ପରେ ୯ ଜଣ ରୁ ୮ ଜଣ ଶିକ୍ଷକଙ୍କର ନାଁ କଲେଜରେ ନ ଥିବା କଲେଜ କର୍ତୃପକ୍ଷ ସ୍ପଷ୍ଟ କରିଥିଲେ । ଯାହା ବିଭାଗକୁ ତାଜୁବ କରିଥିଲା । ଏହି ଶିକ୍ଷକମାନେ ରେଗୁଲାର ସ୍ଥିତିକୁ ଚାଲି ଆସିଥିଲେ । ମୋଟା ଅଙ୍କର ଦରମା ପାଇଲା ବେଳକୁ ସେମାନଙ୍କ ଦରମା ତୁରନ୍ତ ବନ୍ଦ କରାଯାଇଛି । ୨୦୧୬ ବ୍ୟାଚ୍ ଭଳି ଅନ୍ୟ ବ୍ୟାଚ୍ ଉପରେ ମଧ୍ୟ ବିଭାଗର ସନ୍ଦେହ ଉପୁଜିଥିଲା । ସେଥିରୁ କିଛି ବିଦ୍ୟାର୍ଥୀଙ୍କର ସାର୍ଟିଫିକେଟ୍ ଅସଲି ବୋଲି ସ୍ପଷ୍ଟ ହୋଇଥିବା ବେଳେ ଆଉ ତିନି ଜଣ ସାର୍ଟିଫିକେଟ୍ ଦେଲେ ନାହିଁ । ଜଣେ ବାଲିଆପାଳ କଲେଜରୁ ପାସ୍ କରିଥିବା ଦର୍ଶାଇ ସାର୍ଟିଫିକେଟ୍ ଦେଇଥିଲେ । ତାଙ୍କ ସାର୍ଟିଫିକେଟ୍ ମଧ୍ୟ ଜାଲ୍ ବୋଲି ବାଲିଆପାଳ କଲେଜ କର୍ତୃପକ୍ଷ ସ୍ପଷ୍ଟ କରିଥିଲେ । ଏହି ନକଲି ଶିକ୍ଷକମାନେ ଯେଉଁ ସାର୍ଟିଫିକେଟ୍ ଦେଖାଉଛନ୍ତି, ତାହା କଲେଜ ନୁହେଁ । କେବଳ କଲେଜ ନାଁରେ ସବୁ କାରନାମା କରାଯାଇଛି । ଇଏ କେବଳ ଅନୁଗୁଳ ଜିଲ୍ଲାର କଥା ନୁହେଁ, ସେହି ବ୍ୟାଚ୍ରେ ପଡ଼ୋଶୀ ଜିଲ୍ଲା ଢେଙ୍କାନାଳ ସମେତ ସାରା ରାଜ୍ୟରେ ପିଇଟିମାନଙ୍କୁ ନିଯୁକ୍ତି ଦିଆଯାଇଥିଲା । ଯଦି ଅନୁଗୁଳ ଜିଲ୍ଲାରେ ୧୨ ଜଣ ପିଇଟି ନକଲି ବାହାରିଲେଣି, ତେବେ ଢେଙ୍କାନାଳ ଜିଲ୍ଲାରେ କେତେ ? ପୂରା ରାଜ୍ୟରେ ନକଲି ସାର୍ଟିଫିକେଟ୍ ନେଇ କେତେ ଚାକିରି କରିଛନ୍ତି ? ତାହାକୁ ନେଇ ଜୋର୍ ଚର୍ଚ୍ଚା ଉଠିଲାଣି । ପିଇଟିଙ୍କର ଏ ପ୍ରକାର କାରନାମା ପଦାକୁ ଆସିଲା ପରେ ହିନ୍ଦୀ ଏବଂ ସଂସ୍କୃତ ଶିକ୍ଷକଙ୍କ ଉପରେ ବି ସନ୍ଦେହ ବଢ଼ିଛି । ଏ ଶିକ୍ଷକମାନଙ୍କର ସାର୍ଟିଫିକେଟ୍ କେତେ ଅସଲି ତାହାର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି ।
