ପୁରୀ : ତିନିଦିନ ପରେ ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା । ନବଦିନାତ୍ମକ ଲୀଳାଖେଳ ସାରି ରତ୍ନବେଦିକୁ ଫେରିବେ ମହାବାହୁ । ବାହୁଡ଼ା ଯାତ୍ରାରେ ଫେରିବା ବେଳେ ଅନୁରୋଧ ରକ୍ଷା କରି ମାଉସୀ ମା’ଙ୍କ ହାତରୁ ପୋଡ଼ପିଠା ବି ଖାଇବେ । ଏଥିପାଇଁ ବଳଗଣ୍ଡି ଛକ ମାଉସୀ ମା’ଙ୍କ ମନ୍ଦିର ଠାରେ ମହାପ୍ରଭୁଙ୍କ ରଥ ଅଟକିବ । କାହିଁ କେଉଁ ଯୁଗରୁ ଏହି ପରମ୍ପରା ରହି ଆସିଛି । କିନ୍ତୁ ପୋଡ଼ପିଠା ପ୍ରସ୍ତୁତି ଓ ସମର୍ପଣ ବିବାଦ ଏହି ପରମ୍ପରାରେ ଅନ୍ତରାୟ ସୃଷ୍ଟି କରିଛି । ବର୍ଷ ବର୍ଷ ଧରି ଅଧିକାରକୁ ନେଇ କୋର୍ଟରେ ଦୁଇପକ୍ଷର ଲଢ଼େଇ ଚାଲିଥିବାରୁ ଏହି ପରମ୍ପରାକୁ ଶ୍ରୀମନ୍ଦିର ପ୍ରଶାସନ ବି ସ୍ବୀକୃତି ଦେଉନି । ଯାହା ଭକ୍ତଙ୍କ ଭକ୍ତିଭାବରେ ଗଭୀର ଆଘାତ ସୃଷ୍ଟି କରୁଛି ।
ବିଶ୍ୱାସ ରହିଛି, ସେତେବେଳର ମାଳିନୀ ନଦୀ ବଡ଼ଦାଣ୍ଡକୁ ଦୁଇଭାଗ କରୁଥିଲା । ଯେଉଁଥି ପାଇଁ ମହାପ୍ରଭୁଙ୍କ ପାଇଁ ୬ଟି ରଥ ପ୍ରସ୍ତୁତ ହେଉଥିଲା । ତିନିଟି ରଥରେ ମହାପ୍ରଭୁ ମାଳିନୀ ନଦୀର ଗୋଟିଏ ପାର୍ଶ୍ୱରେ ପହଞ୍ଚିବା ପରେ ଅପରପାର୍ଶ୍ୱକୁ ଡଙ୍ଗାରେ ନଦୀ ପାର ହୋଇ ଯାଉଥିଲେ । ପରେ ଅପରପାର୍ଶ୍ୱରେ ଥିବା ତିନି ରଥରେ ବିଜେ ହୋଇ ତିନି ଠାକୁର ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଉଥିଲେ । ଏଥିପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚିବାକୁ ମହାପ୍ରଭୁଙ୍କୁ ୭/୮ ଦିନ ଲାଗି ଯାଉଥିଲା । ଏହାଦେଖି ମାଉସୀ ମା’ ମାଳିନୀ ନଦୀର ଜଳକୁ ଶୋଷି ନେଇଥିଲେ । ସେ ସମୟରୁ ଅନୁରୋଧ ରକ୍ଷା କରି ମହାପ୍ରଭୁ ମାଉସୀ ମା’ଙ୍କ ହାତରୁ ପୋଡ଼ପିଠା ଖାଇ ଆସୁଛନ୍ତି । କିନ୍ତୁ ବଂଶାନୁକ୍ରମିକ ସେବାକୁ ନେଇ ମାଉସୀ ମା’ଙ୍କ ଏହି ପୋଡ଼ପିଠା ବିବାଦୀୟ ହୋଇପଡ଼ିଛି । ଅଦ୍ୟାବଧି ଶ୍ରୀମନ୍ଦିର ପ୍ରଶାସନ ପୋଡ଼ପିଠା ସମର୍ପଣ ନେଇ କାହାରିକୁ ସେପରି ନିର୍ଦ୍ଦିଷ୍ଟ ସ୍ୱୀକୃତି ଦେଇନଥିବାରୁ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ବି ଦୁଇପକ୍ଷ ମହାପ୍ରଭୁଙ୍କୁ ପୋଡ଼ପିଠା ସମର୍ପଣ କରିବେ ବୋଲି ଜଣାପଡ଼ିଛି । ଏଥିପାଇଁ ସେବା ଅଧିକାର ଦାବି କରୁଥିବା ଦୁଇଜଣ ବି ପୋଡ଼ପିଠା ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଗତକାଲି ଠାରୁ ଚୁଲି ଲାଗିବା ପରେ ପୋଡ଼ପିଠା ପ୍ରସ୍ତୁତି ଆରମ୍ଭ ହୋଇଛି ।

ମିଳିଥିବା ସୂଚନା ମୁତାବକ, ୧୮୯୯ ମସିହାରୁ ରଥୀ ଦାଶ ମାଉସୀ ମା’ଙ୍କ ସେବା କରି ଆସୁଥିଲେ । ତାଙ୍କ ମୃତ୍ୟୁ ପରେ ପୁଅ ଲୋକନାଥ ଦାଶ ଏହି କାର୍ଯ୍ୟ ସଂପାଦନ କରି ଆସୁଥିଲେ । ଲୋକନାଥଙ୍କର ଗୋଟିଏ ପୁଅ ଓ ତିନି ଝିଅ ଥିଲେ । ଅବିବାହିତ ଅବସ୍ଥାରେ ପୁଅ ଓ ଦୁଇ ଝିଅଙ୍କ ମୃତ୍ୟୁ ହୋଇସାରିଛି । ତିନି ଝିଅଙ୍କ ଭିତରୁ ଜଣେ ମାତ୍ର ଝିଅ ଅନ୍ନପୂର୍ଣ୍ଣା ମିଶ୍ରଙ୍କ ଦୁଇ ପୁଅ ମନୋରଂଜନ ମିଶ୍ର ଓ ଜ୍ୟୋତିରଂଜନ ମିଶ୍ର ଥିଲେ । ଦୁଇ ପୁଅରୁ ଜ୍ୟୋତିରଂଜନଙ୍କ ମୃତ୍ୟୁ ପରେ ବଂଶରେ ଏକମାତ୍ର ପୁଅ ମନୋରଂଜନ ହିଁ ରହିଛନ୍ତି । ଏଣୁ ମନୋରଂଜନ ବଂଶାନୁକ୍ରମିକ ସେବା ପାଇଁ ହକ୍ଦାର ବୋଲି ଦାବି କରି ଆସୁଛନ୍ତି । ସେପଟେ ବିଶ୍ୱନାଥ ମିଶ୍ର ଏହି ସେବାର ଅଧିକାରୀ ବୋଲି ଦାବି କରିଛନ୍ତି । ସେ ମୂଳ ସେବାଧାରୀଙ୍କ ଠାରୁ ବଂଶାନୁକ୍ରମିକ ସେବାର ଅଧିକାର ପାଇଥିବା ଓ ଶ୍ରୀମନ୍ଦିର ପ୍ରଶାସନ ତାଙ୍କୁ ସେବା ସ୍ବୀକୃତି ଦେଇଥିବା ଦାବି କରୁଛନ୍ତି । ଏହି ବାଦବିବାଦ ପରେ ଏ ଉପରେ ସିଭିଲ୍ ଜଜ୍ ଜୁନିୟର ଡିଭିଜନଙ୍କ ନିକଟରେ ମନୋରଂଜନ ଏକ ମାମଲା (କେସ୍ ନଂ-୯୨/୨୦୧୮) ଦାୟର କରିଛନ୍ତି । ଏହି ମାମଲା ଏବେ ବିଚାରାଧୀନ ରହିଛି । ଯେଉଁଥି ପାଇଁ ଉଭୟ ବିଶ୍ବନାଥ ଓ ମନୋରଂଜନ ପ୍ରତିବର୍ଷ ପୋଡ଼ପିଠା ସମର୍ପଣ କରି ଆସୁଛନ୍ତି ।
