କୁଆମରା : ଗତକାଲି (ସୋମବାର) ପ୍ରାୟ ରାତି ୧୦ଟା ସମୟରେ ଗୋଟିଏ ଘରର କାନ୍ଥ ଭୁଶୁଡ଼ି ଦୁଇ ଶିଶୁଙ୍କର ମୃତ୍ୟୁ ଘଟିଛି । ମୟୂରଭଞ୍ଜ ଜିଲ୍ଲାର ଗୋପବନ୍ଧୁ ନଗର ବ୍ଲକ ଜୟପୁର ପଞ୍ଚାୟତର ରାଇଡାହି ଗ୍ରାମର ଗଣେଶ ସିଂ ଭୁବନେଶ୍ବରରେ ଶ୍ରମିକ ଭାବେ କାର୍ଯ୍ୟ କରନ୍ତି । ତେବେ ତାଙ୍କ ଘରେ ସ୍ତ୍ରୀ ତୁଳସୀ, ଦୁଇ ପୁଅ ଜ୍ୟୋତି ଶଙ୍କର (୬) ଓ ଭୋଳା ଶଙ୍କର (୫) ଏବଂ ଝିଅ ଯଶୋଦା (୧୦) ଘରେ ରହୁଥିଲେ ।
ଗତ ରାତିରେ ୪ ଜଣ ଥିବା ଉକ୍ତ ପରିବାରର ଘର କାନ୍ଥକୁ ଲାଗି ଜ୍ୟୋତି ଶଙ୍କର ଓ ଯଶୋଦା ଶୋଇଥିବା ବେଳେ ତାଙ୍କ କାନ୍ଥ ଭୁଶୁଡ଼ି ପଡ଼ିବା ଯୋଗୁଁ କାନ୍ଥ ତଳେ ଚାପି ହୋଇ ଭାଇ ଭଉଣୀଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ଅନ୍ୟ ପାର୍ଶ୍ବରେ ଶୋଇଥିବା ମାଆ ତୁଳସୀ ଓ ଭୋଳା ଉଭୟ ବର୍ତ୍ତି ଯାଇଛନ୍ତି । ତେବେ ଏହି ହୃଦୟ ବିଦାରକ ଘଟଣା ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ଉଭୟ ମୃତକଙ୍କୁ ଏବେ ଉଦଳା ଡାକ୍ତରଖାନାରେ ରଖାଯାଇଛି ।
