ପ୍ରଶାସନିକ ଅବହେଳା ଯୋଗୁଁ ସିଂହଦ୍ଵାର ସମ୍ମୁଖ ରାସ୍ତା ପାଲଟିଛି ମରଣଯନ୍ତା, ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଭକ୍ତମାନେ

ପୁରୀ : ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖ ରାସ୍ତା ପାଲଟିଛି ମରଣଯନ୍ତା । ଏହି ରାସ୍ତା ଦେଇ ସ୍ଥାନୀୟ ବାସିନ୍ଦା ଓ ସାଧାରଣ ବ୍ୟକ୍ତି ଯିବାଆସିବା କରୁଥିବା ବେଳେ ଭକ୍ତମାନେ ମଧ୍ୟ ମହାପ୍ରଭୁଙ୍କ ଦର୍ଶନ ପାଇଁ ଏହି ରାସ୍ତା ଦେଇ ଶ୍ରୀମନ୍ଦିର ଯାଇଥାନ୍ତି ।

ତେବେ ବିଶ୍ବ ଐତିହ୍ୟ ନଗରୀ ଭାବେ ଶ୍ରୀକ୍ଷେତ୍ରକୁ ଗଢି ତୋଳିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଚାଲିଥିଲେ ହେଁ ପ୍ରଶାସନିକ ଅବହେଳା ଯୋଗୁଁ ସିଂହଦ୍ଵାର ସମ୍ମୁଖ ରାସ୍ତା ମରଣଯନ୍ତା ପାଲଟିଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସୁଥିବା ଭକ୍ତମାନେ ସିଂହଦ୍ଵାର ସମ୍ମୁଖରେ ରାସ୍ତାର ଏଭଳି ଦୃଶ୍ୟ ଦେଖି ଉଦବେଗ ପ୍ରକାଶ କରିଛନ୍ତି । କେବଳ ସେତିକି ନୁହେଁ ଏହି ରାସ୍ତା ଦେଇ ଯିବାଆସିବା କରୁଥିବା ସ୍ଥାନୀୟ ବାସିନ୍ଦା ଓ ସାଧାରଣ ଲୋକେ ମଧ୍ୟ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ।

ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ଚାଲିଥିବା ଐତିହ୍ୟ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ପାଇଁ ବଡ ବଡ ଯାନ ଏହି ରାସ୍ତା ଦେଇ ଯିବାଆସିବା କରୁଥିବାରୁ ରାସ୍ତାରେ ଏଭଳି ବଡ ବଡ ଗାତ ସୃଷ୍ଟି ହୋଇଛି । ବାରମ୍ବାର ଏହାର ମରାମତି କରାଗଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ତେବେ ଆଜି ପବିତ୍ର ଜନ୍ମାଷ୍ଟମୀ ଅବସରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସିଥିବା ଭକ୍ତମାନେ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖ ରାସ୍ତାର ଏଭଳି ଅବସ୍ଥା ଦେଖି କ୍ଷୋଭ ପ୍ରକାଶ କରିଛନ୍ତି । ତୁରନ୍ତ ଏହାର ମରାମତି କରାନଗଲେ ଶ୍ରୀମନ୍ଦିର ପ୍ରତି ବିପଦ ଆସିପାରେ ବୋଲି ସେବାୟତମାନେ ମତପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *