ଚୋରି ସନ୍ଦେହରେ ଯୁବକଙ୍କୁ ପିଟିପିଟି ମାରିଦେଲେ, ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କଲେ ସମ୍ପର୍କୀୟ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଇଞ୍ଚୁଡ଼ି ଗ୍ରାମର ଜଣେ ଯୁବକ ଗତକାଲି ପ୍ରାଣାନ୍ତକ ଆକ୍ରମଣର ଶିକାର ହୋଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବାବେଳେ, ଶୁକ୍ରବାର ସକାଳେ ତାଙ୍କର ମୃତ୍ୟୁ ହୋଇଛି । ଘଟଣାକୁ କେନ୍ଦ୍ର କରି ଗ୍ରାମରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି । ସ୍ଥାନୀୟ ଲୋକେ ଗାଁର ମନ୍ଦିର ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ ସ୍ଥାନୀୟ ସରପଞ୍ଚ ଓ ହତ୍ୟାକାଣ୍ଡରେ ସମ୍ପୃକ୍ତ ଲୋକଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି ।

ସୂଚନାଯୋଗ୍ୟ ଯେ ଇଞ୍ଚୁଡ଼ି ଗ୍ରାମର ମୁକୁନ୍ଦ ଦଳେଇଙ୍କ ପୁଅ କୁନା ଓରଫ୍‌ ସନ୍ଦୀପ ଦଳେଇ(୩୫) ଗୁରୁବାର ସକାଳେ ସ୍ଥାନୀୟ ପାହି ଅଞ୍ଚଳରେ ଏକ ଚିଙ୍ଗୁଡ଼ିଘେରିରୁ ଲୁହାରଡ୍ ଚୋରି କରିଥିବା ନେଇ ଘେରି ମାଲିକ ତଥା ପଶ୍ଚିମବଙ୍ଗର ବାବୁ ମଣ୍ଡଳ ସ୍ଥାନୀୟ ସରପଞ୍ଚ ରମଣୀରଞ୍ଜନ ମହାଳିକଙ୍କ ନିକଟରେ ଅଭିଯୋଗ କରିଥିଲେ । ସରପଞ୍ଚ ଶ୍ରୀ ମହାଳିକ ଗତକାଲି କିଛି ଲୋକଙ୍କୁ ସାଙ୍ଗରେ ନେଇ ରାତି ୮ଟା ରେ କୁନାଙ୍କୁ ଘରୁ ଟେକିଆଣି ଗ୍ରାମର ମନ୍ଦିରଛକ ନିକଟକୁ ଆସିଥିଲେ । ସେଠାରେ ତାଙ୍କୁ ଚୋରି ସମ୍ପର୍କରେ ପଚରାଉଚୁରା କରିବା ସହ ଅନ୍ୟ ସହଯୋଗୀଙ୍କ ସହାୟତାରେ କୁନାଙ୍କୁ ଏକ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ । ମାଡ଼ ମାରିବା ବେଳେ ପାଖରେ ଥିବା ଏକ ଦୋକାନରେ ସିସି କ୍ୟାମେରା ଲାଗିଥିବାରୁ ସେଥିରେ ଦୃଶ୍ୟ କଏଦ ହେବା ଭୟରେ କୁନାଙ୍କୁ ସେଠାରୁ କିଛିଦୂର ଏକ ଅନ୍ଧାରିଆ ସ୍ଥାନକୁ ନେଇ ଯାଇଥିଲେ । ତା’ ପରେ ସରପଞ୍ଚଙ୍କ ଉପସ୍ଥିତିରେ କୁନାଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିଲା । ସେଠାରେ କୁନା ଗୁରୁତର ହେବା ପରେ ତାଙ୍କୁ ଏକ ଅଟୋରେ ଖନ୍ତାପଡ଼ା ଥାନାକୁ ନେଇ ଜିମା ଦେବା ପାଇଁ ଯାଇଥିବା ବେଳେ ପୁଲିସ ପେଟ୍ରୋଲିଂ ଥିବାରୁ ଥାନା ବାହାରେ ପୁଲିସ କୁନାଙ୍କ ଅବସ୍ଥା ଦେଖି ତାଙ୍କୁ ପ୍ରଥମେ ଡାକ୍ତରଖାନା ନେଇଯିବାକୁ କହିଥିଲେ । ଫଳରେ ଆକ୍ରମଣକାରୀ ଗୁରୁତର ଯୁବକଙ୍କୁ ଖନ୍ତାପଡ଼ା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଅବସ୍ଥା ସଙ୍କଟାପନ୍ନ ହେବାରୁ ଡାକ୍ତର ସେଠାରୁ ତାଙ୍କୁ ବାଲେଶ୍ବର ମୁଖ୍ୟ ଡାକ୍ତରଖାନା ସ୍ଥାନାନ୍ତର କରିଥିଲେ । ହେଲେ ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ କୁନାଙ୍କର ମୃତ୍ୟୁ ହୋଇଯାଇଥିଲା । ଏହାପରେ ଆକ୍ରମଣକାରୀ ସେଠାରୁ ଛତ୍ରଭଙ୍ଗ ଦେଇ ଚାଲିଯାଇଥିଲେ । ମୃତ ଯୁବକଙ୍କ ଦେହର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ଚିହ୍ନ ରହିଥିବା ଦେଖାଯାଇଛି । ଖବର ପ୍ରଚାରିତ ହେବା ପରେ ଗ୍ରାମରେ କୁନାଙ୍କ ସମ୍ପର୍କୀୟ ଓ ଗ୍ରାମବାସୀ ମନ୍ଦିରଛକ ନିକଟରେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ ନ୍ୟାୟ ଦାବିରେ ଧାରଣାରେ ବସି ରହିଛନ୍ତି ।

ଖବରପାଇ ଅତିରିକ୍ତ ଏସ୍‌ପି ଅଶୋକ କୁମାର ନାୟକ, ଏସଡିପିଓ ପଦାରବିନ୍ଦ ତ୍ରିପାଠୀ, ଥାନା ଅଧିକାରୀ ବିମଳ କୁମାର ନାୟକ, ଏଏସଆଇ ରତିକାନ୍ତ ଦାଶ, ଏଏସଆଇ ସୁଦର୍ଶନ ମୁର୍ମୁଙ୍କ ସହ ୧ ପ୍ଲାଟୁନ ଫୋର୍ସ ଧରି ଘଟଣାସ୍ଥଳରେ ପହଞ୍ଚିଥିଲେ । ସେପ‌ଟେ ଏନେଇ କୁନାଙ୍କ ପରିବାର ଲୋକେ ଖନ୍ତାପଡ଼ା ଥାନାରେ ସରପଞ୍ଚ ରମଣୀରଞ୍ଜନ ମହାଳିକ ଓ ଅନ୍ୟ ୧୫ ଜଣ ‌ସହଯୋଗୀଙ୍କ ନାମରେ ଅଭିଯୋଗ କରିଛନ୍ତି । ତେବେ ସରପଞ୍ଚ ଶ୍ରୀ ମହାଳିକଙ୍କ ବଡ଼ଭାଇ ପ୍ରତାପରୁଦ୍ର ମହାଳିକଙ୍କୁ ଏହି ମାମଲାରେ ପୁଲିସ ଥାନାରେ ଅଟକ ରଖି ପଚରାଉଚୁରା କରିବା ସହ ତଦନ୍ତ ଜାରି ରହିଥିବା ସୂଚନା ମିଳିଛି । ଏସ୍‌ପି ସୁଧାଂଶୁ ଶେଖର ମିଶ୍ର ଅଭିଯୁକ୍ତଙ୍କ ନାମ ପ୍ରକାଶ ନକରି ତାଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି ।

Leave a Reply

Your email address will not be published. Required fields are marked *