ସମ୍ବଲପୁର : ଦେଶର ସରକାରୀ ସ୍କୁଲ୍ ଗୁଡ଼ିକରେ ପ୍ରାଥମିକ ଶିକ୍ଷାର ସ୍ଥିତି ସଂପର୍କରେ ଜାତୀୟ ଶୈକ୍ଷିକ ଅନୁସଂଧାନ ଓ ପ୍ରଶିକ୍ଷଣ ପରିଷଦ (ଏନ୍ସିଇଆର୍ଟି) ଦ୍ବାରା କରା ଯାଉଥିବା ଜାତୀୟ ଉପଲବ୍ଧି ସର୍ବେକ୍ଷଣ (ନାସ୍)ରେ ଓଡ଼ିଶାର ସ୍ଥାନ ଜାତୀୟ ସ୍ତରରେ ଯଥେଷ୍ଟ ତଳେ ରହିଛି । ତୃତୀୟ, ପଞ୍ଚମ ଓ ଅଷ୍ଟମ ତିନିଟି ଶ୍ରେଣୀର ପ୍ରଦର୍ଶନକୁ ନେଇ ହେଉଥିବା ସର୍ଭେରେ ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ଓଡ଼ିଶା ଜାତୀୟ ହାରାହାରିର ଯଥେଷ୍ଟ ତଳେ ରହିଛି । ଏହାଠୁ ଅଧିକ ଉଦ୍ବେଗର ବିଷୟ ଯେ ସମ୍ବଲପୁର ଜିଲ୍ଲା ରାଜ୍ୟସ୍ତରରେ ସବୁଠୁ ତଳେ ରହିଛି । ଉପରୋକ୍ତ ତିନିଟି ଶ୍ରେଣୀରେ ଗଣିତ, ଭାଷା ଜ୍ଞାନ, ବିଜ୍ଞାନ ଓ ସାମାଜିକ ବିଜ୍ଞାନ ଆଦି ୪ଟି ବିଷୟରେ ପରୀକ୍ଷା ହୋଇଥିଲା । ଏହାର ମୂଲ୍ୟାୟନ ଆଧାରରେ ପ୍ରକାଶିତ ତାଲିକାରେ ରାଜ୍ୟର ୩୦ଟି ଜିଲ୍ଲା ମଧ୍ୟରେ ସମ୍ବଲପୁର ତୃତୀୟ ଶ୍ରେଣୀରେ ୨୯ତମ, ପଞ୍ଚମ ଶ୍ରେଣୀରେ ୩୦ତମ ଓ ଅଷ୍ଟମ ଶ୍ରେଣୀରେ ୨୯ତମ ସ୍ଥାନରେ ରହିଛି । ଏହି ତିନି ଶ୍ରେଣୀରେ ଜିଲ୍ଲାର ହାରାହାରି ନମ୍ବର ଯଥାକ୍ରମେ ୪୬, ୩୮ ଓ ୩୫ ରହିଛି । ଏହା କେବଳ ତୃତୀୟ ଶ୍ରେଣୀରେ କୋରାପୁଟ (୪୫) ଓ ଅଷ୍ଟମରେ ରାୟଗଡ଼ା (୩୨) ଉପରକୁ ରହିଛି । ତେବେ ତିନି ଶ୍ରେଣୀର ପ୍ରଦର୍ଶନକୁ ଯୋଡ଼ି ମୋଟ ଉପରେ ବିଚାରକୁ ନେଲେ ସମ୍ବଲପୁରର ସ୍ଥାନ ରାଜ୍ୟର ସବା ଶେଷରେ ରହିଛି ।
୨୦୧୭ ମସିହା ନାସ୍ ରିପୋର୍ଟରେ ଜିଲ୍ଲାର ଏଭଳି ସ୍ଥିତି ଥିଲାବେଳେ ୨୦୨୧ରେ ବି କୌଣସି ସୁଧାର ଆସି ନାହିଁ । ଓଲଟା ୨୦୨୨ ବେଳକୁ ତାହା ଆହୁରି ନିମ୍ନଗାମୀ ହୋଇଥିବା ବିଶେଷଜ୍ଞ ମାନେ କହନ୍ତି। ବିଶେଷ କରି କରୋନା ୨ ବର୍ଷରେ ସରକାରୀ ସ୍କୁଲ୍ ଗୁଡ଼ିକରେ, ବିଶେଷ କରି ପ୍ରାଥମିକ ଶ୍ରେଣୀରେ ପାଠପଢ଼ା ଏକପ୍ରକାର ଶୂନ ହୋଇଯାଇଛି । ତେଣୁ ବର୍ତ୍ତମାନ ଏହି ସ୍ଥିତି ସୁଧାରିବାକୁ କେବଳ ଛାତ୍ର ବା ଶିକ୍ଷକ ନୁହେଁ, ଖୋଦ୍ ସରକାରଙ୍କୁ ମଧ୍ୟ ନିଷ୍ଠାବାନ ହେବାକୁ ପଡ଼ିବ ବୋଲି ବିଶେଷଜ୍ଞଙ୍କ ମତ ।

ସମ୍ବଲପୁର ଗସ୍ତରେ ଆସିଥିଲାବେଳେ ସ୍କୁଲ୍ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାସ ମାନିଥିଲେ ଯେ ରାଜ୍ୟରେ ତଥା ସାରା ଦେଶରେ ସମ୍ବଲପୁରର ପ୍ରଦର୍ଶନ ଅତି ଦୁର୍ବଳ ରହିଛି । ଏହାର ନିରାକରଣ ପାଇଁ ସରକାର ପଦକ୍ଷେପ ନେଉଥିବା ସେ କହିଥିଲେ । ହେଲେ ସମ୍ବଲପୁର ପାଇଁ କଣ ସବୁ ନିର୍ଦ୍ଦିଷ୍ଟ ଯୋଜନା ରହିଛି ସେହି ଉତ୍ତର ମନ୍ତ୍ରୀଙ୍କ ପାଖରେ ନଥିଲା । ସମ୍ବଲପୁର ପାଇଁ ନା ଅଧିକ ଶିକ୍ଷକ ଦେବାକୁ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ନା’ ଶିକ୍ଷକଙ୍କୁ ପାଠପଢ଼ା ବ୍ୟତୀତ ଅନ୍ୟାନ୍ୟ ଯାବତୀୟ କାର୍ଯ୍ୟରୁ ନିସ୍ତାର ଦେବାକୁ । ସମ୍ବଲପୁର ଜିଲ୍ଲା ଶିକ୍ଷା ବିଭାଗରେ ବ୍ୟାପକ ଅନିୟମିତତା ଲାଗି ରହିଥିବା ସବୁବେଳେ ଅଭିଯୋଗ ହୋଇ ଆସୁଛି । ପ୍ରାଥମିକ ଶିକ୍ଷକ ମାନଙ୍କୁ ପାଠପଢ଼ା କମ୍ ଓ ଅନ୍ୟାନ୍ୟ କାର୍ଯ୍ୟରେ ଅଧିକ ନିୟୋଜିତ କରାଯାଉଛି । ଖାସ୍ କରି ସହରାଞ୍ଚଳର ଶିକ୍ଷକ ମାନଙ୍କୁ ବିଭିନ୍ନ ବିଭାଗର ଯାବତୀୟ କାର୍ଯ୍ୟରେ ଲଗା ଯାଉଥିବାବେଳେ ପିଲାଙ୍କ ପାଠପଢ଼ା ଅବହେଳିତ ହେଉଛି । ଗ୍ରାମାଞ୍ଚଳରେ ଶିକ୍ଷକ ଅଭାବ ଉତ୍କଟ ରହିଛି । ପିଲାଙ୍କ ମୂଳଦୁଆ କହା ଯାଉଥିବା ପ୍ରଥମ, ଦ୍ବିତୀୟ, ତୃତୀୟ ଆଦି ଶ୍ରେଣୀରେ ପାଠପଢ଼ା ଠିକ୍ରେ ହେଉ ନାହିଁ । ଫଳରେ ପିଲାମାନେ ଉପର ଶ୍ରେଣୀରେ ପାଠ ଧରିବା କଷ୍ଟକର ହୋଇ ପଡ଼ୁଛି ।
