ଗରମ ପାଇଁ ୭ ଜଣରେ ଜଣେ ଅସୁସ୍ଥ : ଅସୁସ୍ଥତାର କାରଣ ବିଜୁଳି ଓ ଶୀତଳତାର ଅଭାବ

ନୂଆଦିଲ୍ଲୀ : ଦିନକୁ ଦିନ ପୃଥିବୀର ତାପମାତ୍ରା ବଢ଼ୁଛି । ଅନ୍ୟ ପକ୍ଷରେ ଦାରିଦ୍ର୍ୟ ମଧ୍ୟରେ ବାସ କରୁଥିବା ଲୋକମାନେ ଶରୀରକୁ ଥଣ୍ଡା ରଖିବା ପାଇଁ ଆବଶ୍ୟକ ଉପକରଣ କିମ୍ବା ନିରନ୍ତର ବିଜୁଳି ଯୋଗାଣର ସୁବିଧା ପାଉନାହାନ୍ତି । ଏଥିପାଇଁ ବିଶ୍ବରେ ପ୍ରତି ୭ ଜଣରେ ଜଣଙ୍କ ଜୀବନ ପ୍ରତି ସ୍ବାସ୍ଥ୍ୟଜନିତ ବିପଦ ରହିଛି । ବିଶ୍ବରେ ୧୨୦ କୋଟି ଲୋକ ଏଭଳି ଭୟଙ୍କର ବିପଦର ସମ୍ମୁଖୀନ ହେଉଛନ୍ତି । ରୁଆଣ୍ଡାର କିଗାଲି ଠାରେ ଗ୍ଲୋବାଲ ଏନର୍ଜି ଫୋରମରେ ଉନ୍ମୋଚିତ ‘ସଷ୍ଟେନବେଲ୍ ଏନର୍ଜି ଫର୍‌ ଅଲ୍‌’ ଆନୁଆଲ ରିପୋର୍ଟ ଚିଲିଂ ପ୍ରସପେକ୍ଟସ: ଟ୍ରାକିଂ ସଷ୍ଟେନେବଲ୍ କୁଲିଂ ଫର ଅଲ୍‌ ୨୦୨୨ ଉନ୍ମୋଚନ ଅବସରରେ ଏଭଳି ତଥ୍ୟ ପଦାକୁ ଆସିଛି ।

ଅତ୍ୟଧିକ ତାପମାତ୍ରା ଯୋଗୁ ସମାଜରେ ଆର୍ଥିକ ଦୁର୍ବଳ ବର୍ଗର ଲୋକଙ୍କ ପ୍ରତି ଅଧିକ ବିପଦ ସୃଷ୍ଟି ହୋଇଛି । କାରଣ ବିଭିନ୍ନ ପ୍ରକାର କୁଲିଂ ସାମଗ୍ରୀ ସେମାନଙ୍କ ହାତପାଆନ୍ତାରେ ରହୁନାହିଁ । କୁଲିଂ ସୁବିଧା ଯୋଗାଣ ନେଇ ଯଦି ନିରନ୍ତର ବିକାଶ ଲକ୍ଷ୍ୟକୁ ହାସଲ କରାନଯିବ ତାହେଲେ ଲୋକଙ୍କ ଜୀବନ ପ୍ରତି ବିପଦ ଅଧିକ ରହିବ । ବିଶ୍ବର ୭୬ଟି ଦେଶରେ କୁଲିଂ ସୁବିଧା ପାଇବା ନେଇ ରହିଥିବା ସମସ୍ୟାକୁ ଉକ୍ତ ରିପୋର୍ଟରେ ଅନୁଧ୍ୟାନ କରାଯାଇଛି । ବିଶ୍ବରେ ୧୨୦ କୋଟି ଲୋକଙ୍କ ପାଖରେ କୁଲିଂ ସୁବିଧା ନଥିବାରୁ ଅଧିକ ତାପମାତ୍ରାରେ ବଞ୍ଚିରହିବା ସେମାନଙ୍କ ପାଇଁ କଷ୍ଟକର ହୋଇପଡ଼ିଛି । କେବଳ ସେତିକି ନୁହେଁ, ପୁଷ୍ଟିକର ଖାଦ୍ୟ ସାଇତି ରଖିବା ଏବଂ ନିରାପଦରେ ଟିକା ନେବା ସମସ୍ୟା ସୃଷ୍ଟି ହୋଇଛି । ବର୍ତ୍ତମାନର ଧାରା ଅବ୍ୟାହତ ରହିଲେ ଆହୁରି ଅଧିକ ଲୋକ ଚଳିତ ଦଶନ୍ଧି ଶେଷବେଳକୁ ଅସୁବିଧାରେ ରହିଥିବେ । କିନ୍ତୁ ସମସ୍ତଙ୍କୁ ବିଜୁଳି ସୁବିଧା ଉପଲବ୍ଧ ହେଲେ ଏବଂ ଉତ୍କଟ ଦାରିଦ୍ର୍ୟ ହ୍ରାସ ପାଇଲେ ଜୀବନ ପ୍ରତି ଅଧିକ ବିପଦ ଥିବା ଲୋକଙ୍କ ସଂଖ୍ୟା ୩୬ ପ୍ରତିଶତ ବା ୪୫ କୋଟିରୁ ଅଧିକ ହ୍ରାସ ପାଇବ ।

ବିଶ୍ବର କୋଟି କୋଟି ଲୋକଙ୍କ ପାଇଁ ଏହି ରିପୋର୍ଟ ଚିନ୍ତା ଉଦ୍ରେକକାରୀ ବିଷୟ ହୋଇଛି । ତାପମାତ୍ରା ଯେତେବେଳେ ଗ୍ରୀଷ୍ଣଲହରୀ ସ୍ତରକୁ ଯାଉଛି ସେତେବେଳେ ଲୋକଙ୍କ ଦୈନନ୍ଦିନ କାର୍ଯ୍ୟ ବନ୍ଦ ‌ରହିପାରିବ ନାହିଁ । ଯେଉଁମାନେ ଦାରିଦ୍ର୍ୟ ସୀମାରଖୋ ତଳେ ବଞ୍ଚୁଛନ୍ତି କିମ୍ବା ଯେଉଁମାନଙ୍କ ନିକଟରେ ସୁଲଭ ଏବଂ ନିରନ୍ତର ଶକ୍ତି ପହଞ୍ଚି ପାରୁନାହିଁ କୁଲିଂ ଉତ୍ପାଦ ବିନା ସେହି ପରିବେଶ ସହିତ ଖାପ ଖୁଆଇ ଚଳିବା କଷ୍ଟକର ହୋଇପଡ଼ିଛି ।

୨୦୧୪ରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଆକଳନ କରାଯାଇଥିଲା ଯେ ଗ୍ରୀଷ୍ଣଲହରି ଯୋଗୁ ବିଶ୍ବରେ ବର୍ଷକୁ ୧୨ ହଜାର ଲୋକଙ୍କ ଜୀବନ ଯିବ । କିନ୍ତୁ ୮ ବର୍ଷ ପରେ ଏହି ସମସ୍ୟା ବହୁଗୁଣିତ ହୋଇଥିବା ଦେଖାଦେଉଛି । ଲାନସେଟର ଏକ ନୂଆ ରିପୋର୍ଟରୁ ଜଣାଯାଇଛି ଯେ ଅତ୍ୟଧିକ ଗରମ ଯୋଗୁ ୨୦୧୯ରେ କେବଳ ୩,୫୬,୦୦୦ ଲୋକଙ୍କ ମୃତ୍ୟୁ ହୋଇଛି । ସମସ୍ୟାର ସମାଧାନ ପାଇଁ ପ୍ରତ୍ୟେକ ଆଗେଇ ଆସିବା ଉଚିତ ବୋଲି ଜାତିସଂଘ ପରିବେଶ କାର୍ଯ୍ୟକ୍ରମ (ୟୁଏନଇପି)ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆଇଙ୍ଗର ଆଣ୍ଡରସନ କହିଛନ୍ତି । ପ୍ରାକୃତିକ ସମାଧାନ ଯଥା ଗଛ ଲଗାଇବା ଏବଂ ପ୍ରଯୁକ୍ତିଭିତ୍ତିକ ସମାଧାନ ଯଥା ସୁଲଭ ମୂଲ୍ୟର ଏବଂ ଅଧିକ ଦକ୍ଷ ଶୀତତାପ ନିୟନ୍ତ୍ରିତ ଯନ୍ତ୍ର, ଉତ୍ତମ ଡିଜାଇନରେ ପ୍ରସ୍ତୁତ କୋଠା ଆଦି ଉପରେ ଗୁରୁତ୍ବାରୋପ କରାଯାଇଛି ।

ଭାରତ ଏବଂ ପାକିସ୍ତାନରେ ତାପମାତ୍ରା ୫୦ ଡିଗ୍ରିର ନିକଟତର ହେବାକୁ ବସିଥିବାବେଳେ ବ୍ୟାପକ ବିଜୁଳି କାଟ ହେଉଛି । ଲୋକେ ଅତ୍ୟଧିକ ଦାରିଦ୍ର୍ୟ ମଧ୍ୟରେ ବାସ କରୁଥିବାରୁ ଶୀତଳତା ପ୍ରଦାନ କରୁଥିବା ବିଭିନ୍ନ ସରଞ୍ଜାମ ସେମାନଙ୍କ ନିକଟରେ ନାହିଁ । ଏଥିସହିତ ବିଶ୍ବରେ ଗ୍ରାମାଞ୍ଚଳରେ ବାସ କରୁଥିବା ଲୋକମାନେ ଅଧିକରୁ ଅଧିକ ଗରିବ ହେବାରେ ଲାଗିଛନ୍ତି । ଭାରତର ମୋଟ ଲୋକସଂଖ୍ୟାରୁ ୩୬ ପ୍ରତିଶତ ହେଉଛନ୍ତି ଗ୍ରାମାଞ୍ଚଳର ଗରିବ ଲୋକ । ଯଦିଓ ସେମାନଙ୍କ ନିକଟରେ ପାଖାପାଖି ୧୦୦ ପ୍ରତିଶତ ବିଜୁଳି ପହଞ୍ଚ ରହିଛି କିନ୍ତୁ ଶୀତଳତା ପ୍ରଦାନକାରୀ ଉପାଦାନ ନାହିଁ । ଭାରତର ୧୪୦ କୋଟି ଲୋକରେ ମାତ୍ର ୧୬.୨ କୋଟି ରେଫ୍ରିଜରେଟର ରହିଛି ବୋଲି କୁହାଯାଇଛି ।

Leave a Reply

Your email address will not be published. Required fields are marked *