ଆରଡବ୍ଲୁଏସ୍‌ଏସ୍‌ ଡିଭିଜନ କେଳେଙ୍କାରୀ : ୩ ବର୍ଷରେ ୧୫୯ ଗୁପ୍ତ ଟେଣ୍ଡର

ଯାଜପୁର : ଯାଜପୁର ଜିଲ୍ଲାର ଗ୍ରାମାଞ୍ଚଳ ଲୋକଙ୍କୁ ବିଶୁଦ୍ଧ ପିଇବା ପାଣି ଯୋଗାଇ ଦେବାପାଇଁ ଆରଡବ୍ଲୁଏସ୍‌ଏସ ଡିଭିଜନ(ଚଣ୍ଡିଖୋଲ) ଜରିଆରେ ସରକାର କୋଟିକୋଟି ଟଙ୍କା ବ୍ୟୟ କରିଚାଲିଛନ୍ତି । ମାତ୍ର, ଗୁପ୍ତ ଟେଣ୍ଡର୍‌ ଜରିଆରେ ସରକାରୀ ଅନୁଦାନକୁ ହଡ଼ପ କରାଯାଇଥିବା ନେଇ ଅଭିଯୋଗ ହୋଇଆସୁଛି । ଏବେ ଆଉ ଏକ ତଥ୍ୟ ସାମ୍‌ନାକୁ ଆସିଛି । ଜିଲ୍ଲା ଅନ୍ତର୍ଗତ ବିଂଝାରପୁର, ଯାଜପୁର ଓ ଦଶରଥପୁର ବ୍ଳକ୍‌ରେ ୩ ବର୍ଷ ମଧ୍ୟରେ ୧୫୯ଟି ଗୁପ୍ତଟେଣ୍ଡର କରାଯାଇ ମରାମତି ଆଳରେ ୨ କୋଟି ୮୨ ଲକ୍ଷ ୮୦ ହଜାର ୯୪୭ ଟଙ୍କା ବିଲ୍ କରାଯାଇଛି ।

ସରକାରୀ ତଥ୍ୟ ମୁତାବକ ବିଂଝାରପୁର ବ୍ଲକରେ ୨୦୨୧ -୨୨ ଆର୍ଥିକ ବର୍ଷରେ ୨ ଜଣ ନିର୍ଦ୍ଦିଷ୍ଟ ଠିକାଦାର ନାମରେ ୧୧ଟି ଗୁପ୍ତ ଟେଣ୍ଡର କରାଯାଇ ୯ ଲକ୍ଷ ୨୧ ହଜାର ୩୫୪ ଟଙ୍କା ବ୍ୟୟ ହୋଇଥିବାର ଦର୍ଶାଯାଇଛି । ସେହିପରି ୨୦୨୦-୨୧ ଆର୍ଥିକ ବର୍ଷରେ ୨୪ଟି ଗୁପ୍ତଟେଣ୍ଡର ୩ ଜଣ ନିର୍ଦ୍ଦିଷ୍ଟ ଠିକାଦାର ନାମରେ ୩୫ ଲକ୍ଷ ୫୬ ହଜାର ୬୧ ଟଙ୍କା ବିଲ୍ ହୋଇଛି । ୨୦୧୯-୨୦ ଆର୍ଥିକ ବର୍ଷରେ ୩ ଜଣ ଠିକାଦାର ନାମରେ ୧୫ଟି ଗୁପ୍ତଟେଣ୍ଡର କରାଯାଇ ୨୩ ଲକ୍ଷ ୩୬ ହଜାର ୭୪ ଟଙ୍କା ବିଲ୍ କରାଯାଇଛି । ଏହି ୩ ବର୍ଷରେ ୫୦ଟି ଗୁପ୍ତଟେଣ୍ଡର ବାବଦରେ ୬୮ ଲକ୍ଷ ୧୩ ହଜାର ୪୮୯ ଟଙ୍କା ବ୍ୟୟ ହୋଇଥିବାର ବିଲ୍ କରାଯାଇଛି । ମୋଟ ୫୦ଟି ଗୁପ୍ତଟେଣ୍ଡର ମଧ୍ୟରୁ ଜଣେ ନିର୍ଦ୍ଦିଷ୍ଟ ଠିକାଦାର ନାମରେ ୩୪ ଟି ଗୁପ୍ତଟେଣ୍ଡର କରାଯାଇଛି ।

ଦଶରଥପୁର ବ୍ଲକ୍‌ରେ ୨୦୨୧-୨୨ ଆର୍ଥିକ ବର୍ଷରେ ୧୪ଟି ଗୁପ୍ତଟେଣ୍ଡର ଜରିଆରେ ୨୪ ଲକ୍ଷ ୨୭ ହଜାର ୭୮୪ ଟଙ୍କା, ୨୦୨୦-୨୧ ବର୍ଷରେ ୨୧ଟି ଗୁପ୍ତ ଟେଣ୍ଡର ଜରିଆରେ ୪୯ ଲକ୍ଷ ୪୨ ହଜାର ୫୪୪ ଟଙ୍କା ଓ ୨୦୧୯-୨୦ ବର୍ଷରେ ୨୮ ଟି ଗୁପ୍ତ ଟେଣ୍ଡର ଜରିଆରେ ୪୬ ଲକ୍ଷ ୨୧ ହଜାର ୫୧୮ ଟଙ୍କା ବିଲ୍ ହୋଇଛି । ମୋଟ ୩ ବର୍ଷରେ ୬୩ଟି ଗୁପ୍ତଟେଣ୍ଡର ୫ ଜଣ ନିର୍ଦ୍ଦିଷ୍ଟ ଠିକାଦାର ଜରିଆରେ କରାଯାଇ ୧ କୋଟି ୧୯ ଲକ୍ଷ ୯୧ ହଜାର ୮୪୬ ଟଙ୍କା ପୈଠ କରାଯାଇଛି ।

ସେହିପରି, ଜିଲ୍ଲା ସଦର ମହକୁମା ଯାଜପୁର ବ୍ଲକରେ ୨୦୨୧-୨୨ ବର୍ଷରେ ୯ଟି ଗୁପ୍ତଟେଣ୍ଡରରେ ୧୫ ଲକ୍ଷ ୭୭ ହଜାର ୮୪୭ ଟଙ୍କା ଓ ୨୦୨୦-୨୧ ବର୍ଷରେ ୧୬ଟି ଗୁପ୍ତ ଟେଣ୍ଡରରେ ୨୯ ଲକ୍ଷ ୮୧ ହଜାର ୭୧୦ ଟଙ୍କା ଓ ୨୦୧୯-୨୦ ବର୍ଷରେ ୨୧ଟି ଗୁପ୍ତ ଟେଣ୍ଡର କରାଯାଇ ୪୯ ଲକ୍ଷ ୧୬ ହଜାର ୫୫ ହଜାର ଟଙ୍କା ବିଲ୍ ହୋଇଛି । ୩ ବର୍ଷରେ ୮ ଜଣ ନିର୍ଦ୍ଦିଷ୍ଟ ଠିକାଦାରଙ୍କ ନାମରେ ମରାମତି ବାବଦରେ ୪୬ଟି ଗୁପ୍ତଟେଣ୍ଡର ଜରିଆରେ ୯୪ ଲକ୍ଷ ୭୫ ହଜାର ୬୧୨ ଟଙ୍କା ଦିଆଯାଇଛି । ଏହି ବାବଦରେ ସରକାର ଲକ୍ଷ ଲକ୍ଷ ଟଙ୍କା ହରାଇଥିବା ବେଳେ ସରକାରଙ୍କର ସ୍ବଚ୍ଛତା ଉପରେ ଯନ୍ତ୍ରୀ ଓ ଠିକାଦାରଙ୍କ ଅସାଧୁମେଣ୍ଟ କଳା ବୋଳିଛନ୍ତି । ଏପରିକି କେତେକ ପ୍ରକଳ୍ପ ଅଚଳ ଥିବା ‌ବେ‌ଳେ ମିଥ୍ୟା ବିଲ୍ କରି ସରକାରୀ ଅନୁଦାନ ହରିଲୁଟ୍ କରିଛନ୍ତି । ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ଡିଭିଜନରେ ମହାଦୁର୍ନୀତି ପଦାକୁ ଆସିବ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *